ଟିକା ସଂଗ୍ରହ ପାଇଁ ଗ୍ଲୋବାଲ୍ ଟେଣ୍ଡର୍‌

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ରାଜ୍ୟ କ୍ୟାବିନେଟ୍‌ର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ। ଉକ୍ତ ବୈଠକରେ କୋଭିଡ୍‌ ପରିଚାଳନା ତଥା ଟିକାକରଣ ସମ୍ପର୍କରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ବେଳେ ମୋଟ ୧୧ଟି ପ୍ରସ୍ତାବ ଉପରେ ମୋହର ବାଜିଛି।  ବିଶ୍ବର ବିଭିନ୍ନ ପ୍ରମୁଖ ଟିକା କମ୍ପାନୀରୁ ଟିକା ସଂଗ୍ରହ ନିମନ୍ତେ ପଦକ୍ଷେପ ନିଆଯିବ। ଏଥିପାଇଁ ଏକ ଗ୍ଲୋବାଲ୍ ଟେଣ୍ଡର୍‌ ଜାରି କରାଯିବାକୁ ନିଷ୍ପତ୍ତି ହୋଇଛି। ଏଥିପାଇଁ ଏକ ବୈଷୟିକ କମିଟି ଗଠନ କରାଯିବ। ରାଜ୍ୟ ସରକାର ନିଜସ୍ୱ ସମ୍ବଳର ବିନିଯୋଗ କରି କୋଭିଡ଼ ବିରୋଧରେ ଲଢ଼େଇକୁ ଜୋରଦାର କରିବା ଏବଂ ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ସେବା ଯୋଗାଇବା ପାଇଁ ତାଙ୍କର ଦୃଢ଼ ସକଳ୍ପର ପୁନଃଘୋଷଣା କରିଛନ୍ତି। କୋଭିଡ୍ ଯୋଦ୍ଧାଙ୍କ ନିଷ୍ଠା ଓ ତ୍ୟାଗ ମନୋଭାବକୁ ରାଜ୍ୟ କ୍ୟାବିନେଟ୍‌ ଉଚ୍ଚ ପ୍ରଶଂସା କରିଛନ୍ତି। କୋଭିଡ୍‌ ବିରୋଧରେ ଚାଲିଥିବା ଲଢ଼େଇରେ ରାଜ୍ୟ ସରକାର ନେଇ ଥିବା ବିଭିନ୍ନ ପଦକ୍ଷେପ ଯଥା ଟେଷ୍ଟିଂ, ଟ୍ରାକିଙ୍ଗ ଏବଂ ଟିକାକରଣ ଇତ୍ୟାଦିରେ ଓଡ଼ିଶାବାସୀ ଯେଭଳି ସହଯୋଗ ଯୋଗାଇ ଆସିଛନ୍ତି ସେଥିପାଇଁ ରାଜ୍ୟ କ୍ୟାବିନେଟ୍‌ ରାଜ୍ୟବାସୀଙ୍କ ନିକଟରେ କୃତଜ୍ଞ ବୋଲି କୁହାଯାଇଛି।

ଏଥିସହିତ ଜଳସମ୍ପଦ, ଶିଳ୍ପ, ବାଣିଜ୍ୟ ଏବଂ ପରିବହନ, ସାଧାରଣ ପ୍ରଶାସନ ଏବଂ ଜନ ଅଭିଯୋଗ, ଏବଂ ଗୃହ ବିଭାଗ ସହ ଜଡ଼ିତ ଅନ୍ୟ ୧୦ଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟ ଗ୍ରହଣ କରାଯାଇଛି। କ୍ୟାବିନେଟ୍‌ ବୈଠକ ସମ୍ପର୍କରେ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର କହିଛନ୍ତି, ଇସ୍ରାଏଲ ପରି ଦେଶ ଯେଉଁମାନେ କି ତାଙ୍କ ଜନସଂଖ୍ୟାର ବୃହତର ଭାଗର ଟିକାକରଣ କରିସାରିଛନ୍ତି, ସେମାନେ ଏବେ ସ୍ବାଭାବିକତା ଆଡ଼କୁ ଫେରୁଛନ୍ତି। ରୋଗର ଜଟିଳତା ହ୍ରାସ କରି ରୋଗୀର ଜୀବନ ରଷା ଦିଗରେ ଟିକାକରଣ ବହୁତ ଫଳପ୍ରଦ ହେଉଥିବା ଜଣାପଡ଼ିଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶାବାସୀ ଯେପରି ସୁବିଧାରେ ଟିକା ପାଇ ପାରିବେ ସେଥିପାଇଁ ବିଶ୍ୱର ବିଭିନ୍ନ ପ୍ରମୁଖ ଟିକା କମ୍ପାନୀରୁ ଟୀକା ସଗ୍ରହ ନିମନ୍ତେ ପଦକ୍ଷେପ ନିଆଯିବ। ଏଥିପାଇଁଏକ ଗ୍ଲୋବାଲ୍‌ ଟେଣ୍ଡର ଜାରି କରିବାକୁ ରାଜ୍ୟ କ୍ୟାବିନେଟ୍‌ରେ ନିଷ୍ପତ୍ତି ହୋଇଛି। ବିପଦସଙ୍କୁଳ ଜନସାଧାରଣଙ୍କର ଶୀଘ୍ର ଟିକାକରଣ ଏବଂ ମୂଲ୍ୟବାନ ଜୀବନର ସୁରକ୍ଷା ସହିତ ଲୋକଙ୍କ ଜୀବନଜୀବିକାର ପୁନସ୍ଥାପନରେ ଏହା ସହାୟକ ହେବ। ଏଥିପାଇଁ ଏକ ବୈଷୟିକ କମିଟି ଗଠନ କରାଯିବ ଏବଂ ଏହା ବିଶଦ ବ୍ୟବସ୍ଥା ଉପରେ ଧ୍ୟାନ ଦେବ। ଟିକା ଉପରୁ ସମସ୍ତ ପ୍ରକାର ଟିକସ ଉଠାଇ ଦେବା ପାଇଁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ନିକଟରେ ଦାବି ଜଣାଇଛନ୍ତି। ଏହା ଫଳରେ ରାଜ୍ୟ ଅର୍ଥନୀତି ଉପରେ କମ୍ ଚାପ ପଡ଼ିବ ଏବଂ ସାର୍ବଜନୀନ ଟିକାକରଣ ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମରେ ଏହା ବିଶେଷ ସହାୟକ ହେବ। କେନ୍ଦ୍ର ସରକାର ବିଭିନ୍ନ ସେସ୍ ଓ ସରଚାର୍ଯ ଜରିଆରେ ଆଦାୟ କରୁଥିବା ଅତିରିକ୍ତ ସମ୍ବଳକୁ ରାଜ୍ୟମାନଙ୍କ ମଧ୍ୟରେ ଉପଯୁକ୍ତ ଭାବରେ ବଣ୍ଟନ କରାଯିବାର ଆବଶ୍ୟକତା ରହିଛି। ଏହି ଜଟିଳ ପରିସ୍ଥିତିରେ କୋଭିଡ୍‌ ଲଢ଼େଇରେ ରାଜ୍ୟମାନଙ୍କ ଆର୍ଥିକ ସ୍ଥିତିକୁ ମଜବୁତ କରିବାରେ ଏହା ଶକ୍ତି ଯୋଗାଇବ। ରାଜ୍ୟ ସରକାର ତାଙ୍କର ଉପଲବ୍ଧ ସମ୍ବଳର ବିନିଯୋଗ କରି କୋଭିଡ୍‌ ବିରୋଧରେ ଲଢ଼େଇକୁ ଜୋର୍‌ଦାର କରିବା ଏବଂ କୋଭିଡ୍‌ ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ସେବା ଯୋଗାଇବା ପାଇଁ ତାଙ୍କର ଦୃଢ଼ ସକଳ୍ପର ପୁନଘୋଷଣା କରୁଛନ୍ତି ବୋଲି ମୁଖ୍ୟ ସଚିବ କହିଛନ୍ତି।

Related Articles

Leave a Reply

Your email address will not be published.

Back to top button