ଚାକିରି ପଛରେ ନଗୋଡ଼ାଇ ନିଯୁକ୍ତିଦାତା ହୁଅ: ଉପରାଷ୍ଟ୍ରପତି

ଭୁବନେଶ୍ୱର: ଚାକିରି ପଛରେ  ନଗୋଡ଼ାଇ ନିଯୁକ୍ତିଦାତା ହେବାକୁ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଆହ୍ୱାନ ଦେଇଛନ୍ତି । ଆଜି ଉକ୍ରଳ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ମୁଖ୍ୟ ଅତିଥିଭାବେ ଯୋଗଦେଇ ନିଜର ଦୀକ୍ଷାନ୍ତ ଅଭିଭାଷଣ ଅବସରରେ ଏଭଳି ଆହ୍ୱାନ ଦେଇଛନ୍ତି । ତେବେ ସବୁଠାରୁ ବଡ଼ କଥା ହେଉଛି ଉପରାଷ୍ଟ୍ରପତି ଓଡ଼ିଆରେ ନିଜ ଭାଷଣ ଆରମ୍ଭ କରିଥିଲେ ।  ଓଡ଼ିଶାର ଗୌରବମୟ ଇତିହାସର ସ୍ମୃତିଚାରଣ କରିଥିଲେ ଉପରାଷ୍ଟ୍ରପତି ।  ସେ କହିଥିଲେ ଯେ,  କଳିଙ୍ଗ ଯୁଦ୍ଧ ସାରା ବିଶ୍ୱକୁ ଶାନ୍ତିର ବାର୍ତ୍ତା ଦେଇଥିଲା । ପୂର୍ବ ଏସୀୟ ଦେଶ ସହ ନୌବାଣିଜ୍ୟ ଥିଲା କଳିଙ୍ଗର ମହାନ ପରମ୍ପରା ।  ଚରିତ୍ର ଗଠନ ସହ ଶିକ୍ଷା ସଫଳ ଜୀବନର ପ୍ରଥମ ପାହାଚ ।  ଶିକ୍ଷା ଛାତ୍ରଛାତ୍ରୀଙ୍କୁ ଶୃଙ୍ଖଳିତ ଓ ସଂଗଠିତ କରିଥାଏ ।  ଶୃଙ୍ଖଳା, ସଚ୍ଚୋଟତା ଓ କଠିନ ପରିଶ୍ରମ ସଫଳତାର ମୂଳମନ୍ତ୍ର ବୋଲି କହିବା ସହ ନିଜ ଉପରେ ବିଶ୍ୱାସ ରଖି ଆଗକୁ ବଢିବାକୁ ଆହ୍ୱାନ ଦେଇଛନ୍ତି । ଖାଲି ସେତିକି ନୁହେଁ ଚାକିରି ପଛରେ  ନଗୋଡ଼ାଇ ନିଯୁକ୍ତିଦାତା ହେବାକୁ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଆହ୍ୱାନ ଦେଇଥିଲେ ।   ଅନ୍ୟପକ୍ଷରେ  ଓଡ଼ିଶା ପ୍ରତିବର୍ଷ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥାଏ ।  ତେଣୁ ବିପର୍ଯ୍ୟୟ ପରିଚାଳନାକୁ ଶିକ୍ଷା ବ୍ୟବସ୍ଥାରେ ସାମିଲ ପାଇଁ ଉପରାଷ୍ଟ୍ରପତି ପରାମର୍ଶ ଦେଇଥିଲେ । ଏହି ଅବସରରେ ୫ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନସୂଚକ ଡକ୍ଟରେଟ ଉପାଧି ପ୍ରଦାନ କରାଯାଇଛି । ସେମାନେ ହେଲେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ, ସିଏଜି ଗିରୀଶ ମୁର୍ମୁ,  ହାଇକୋର୍ଟ ବିଚାରପତି ଜଷ୍ଟିସ ସଞ୍ଜୁ ପଣ୍ଡା, ବାର୍କର ନିର୍ଦ୍ଦେଶକ ଅଜିତ ମହାନ୍ତିଏବଂ ଓଏଭି ସଂଗଠକ ବିଜୟ ସାହୁ ।

Related Articles

Leave a Reply

Your email address will not be published.

Back to top button