କୋଟିଆରେ ପୁଣି ଆନ୍ଧ୍ରର ଭୋଟ ବିଜ୍ଞପ୍ତି

କୋରାପୁଟ : ଆନ୍ଧ୍ର ସରକାର ପୁଣିଥରେ ଦାଦାଗିରି ଦେଖାଇଛନ୍ତି। ଓଡ଼ିଶାର ଅବିଚ୍ଛେଦ୍ୟ ଅଙ୍ଗ କୁହାଯାଉଥିବା କୋଟିଆ ପଞ୍ଚାୟତର ତିନି ଗାଁକୁ ଛଡ଼ାଇନେବାକୁ ଜାରି ରହିଥିବା ଅପପ୍ରୟାସର ଆଉ ଏକ ନମୂନା ଦେଖାଇଛନ୍ତି ଉକ୍ତ ସରକାର। ସୁପ୍ରିମକୋର୍ଟରେ ମାମଲା ବିଚାରାଧିନ ଥିବାବେଳେ ଗଞ୍ଜେଇପଦ, ଫଗୁଣସିନେରୀ ଓ ଫାଟୁସିନେରୀରେ ପଞ୍ଚାୟତ ନିର୍ବାଚନ କରି ନିଜ ଦାଦାଗିରିର ପ୍ରମାଣ ଦେଇସାରିଥିବା ଆନ୍ଧ୍ର ପୁଣିଥରେ ଉକ୍ତ ପଞ୍ଚାୟତ ଗୁଡ଼ିକରେ ସମିତିସଭ୍ୟ ନିର୍ବାଚନ କରିବାକୁ ଯାଉଥିବା ଜଣାପଡ଼ିବା ପରେ ସୀମାନ୍ତରେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ପୂର୍ବରୁ ପଞ୍ଚାୟତ ନିର୍ବାଚନ ବେଳେ ବିଭିନ୍ନ ରାଜନୈତିକ ସଙ୍ଗଠନ, ସାମାଜିକ ସଙ୍ଗଠନ, ପ୍ରଶାସନ ସର୍ବୋପରି ଜନସାଧାରଣ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସତ୍ତ୍ବେ ଆନ୍ଧ୍ର ସୁରୁଖୁରୁରେ ପଞ୍ଚାୟତ ନିର୍ବାଚନ ସମ୍ପନ୍ନ କରିଥିଲା। ଏହାକୁ ନେଇ ତୁମ୍ବିତୋଫାନ ସୃଷ୍ଟି ହୋଇଥିଲା । ଏବେ କିଛିଦିନର ନୀରବତା ପରେ ପୁଣି ଉକ୍ତ ସ୍ଥାନରେ ଆନ୍ଧ୍ର ସମିତିସଭ୍ୟ ନିର୍ବାଚନ କରୁଥିବା ଚର୍ଚ୍ଚା ଜୋର ଧରିଥିବାବେଳେ ଏହାକୁ ନେଇ ସମସ୍ତେ ତତ୍ପର ହୋଇ ଉଠିଛନ୍ତି। ଏପ୍ରିଲ ୧ରେ କୋଟିଆର ପ୍ରତ୍ୟେକ ଗାଁରେ ଜାତୀୟ ପତାକା ଉତ୍ତୋଳନ କରି ବିଭିନ୍ନ ସଙ୍ଗଠନ ଉତ୍କଳ ଦିବସ ପାଳନ କରିଥିବାବେଳେ ଏହାର ଠିକ୍ ତିନିଦିନ ପରେ ଆନ୍ଧ୍ର ପୁଣିଥରେ ଉକ୍ତ ଗାଁ ଗୁଡ଼ିକରେ ସମିତିସଭ୍ୟ ଓ ଜିଲାପରିଷଦ ସଭ୍ୟ ନିର୍ବାଚନ କରିବା ପାଇଁ ବିଜ୍ଞପ୍ତି ପ୍ରକାଶ କରିବା ଜାଣି ସମସ୍ତଙ୍କ ଚିନ୍ତା ବଢ଼ିଛି। ଓଡ଼ିଶା ସରକାର ଆନ୍ଧ୍ରର ଏଭଳି ଅନୁପ୍ରବେଶ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ହେଁ ପୁଣି ଆନ୍ଧ୍ରର ଏହି ନିର୍ବାଚନୀ ବିଜ୍ଞପ୍ତି ଓଡ଼ିଶା ପ୍ରତି ଖୋଲା ଚ୍ୟାଲେଞ୍ଜ ସଦୃଶ ହୋଇଛି। ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ ଏପ୍ରିଲ ୮ରେ ଭୋଟ ଗ୍ରହଣ କରାଯିବ। ଯଦି ସମସ୍ୟା ସୃଷ୍ଟି ହୁଏ ତେବେ ୯ରେ ପୁଣିଥରେ ନିର୍ବାଚନ ହେବ। ୧୦ ତାରିଖରେ ଭୋଟ ଗଣତି ପରେ ତୁରନ୍ତ ନିର୍ବାଚନ ଫଳାଫଳ ଘୋଷଣା ପାଇଁ ନିର୍ଦେଶନାମା ଜାରି ହୋଇଛି।

Related Articles

Leave a Reply

Your email address will not be published.

Back to top button