କେଜରିୱାଲଙ୍କ ମନ୍ତବ୍ୟକୁ ନେଇ ସିଙ୍ଗାପୁର ଖପ୍ପା, ବର୍ଷିଲେ ଜୟଶଙ୍କର

ସିଙ୍ଗାପୁର: ନିକଟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ମୁଖ୍ୟ ଅରବିନ୍ଦ କେଜରିୱାଲ୍ ସିଙ୍ଗାପୁରରେ କୋରୋନା ଭୂତାଣୁର ନୂଆ ଭ୍ୟାରିଆଣ୍ଟ୍ ଆତ୍ମପ୍ରକାଶ କରିଛି ଓ ଏହି ଭ୍ୟାରିଆଣ୍ଟ୍ ଶିଶୁଙ୍କ ପାଇଁ ମାରାତ୍ମକ ବୋଲି କହିଥିଲେ। ଏଥିସହ ଏହି ଭ୍ୟାରିଆଣ୍ଟ୍ ଆଗାମୀ ଦିନରେ ଭାରତରେ କୋଭିଡ୍ ଭୂତାଣୁର ୩ୟ ଲହରୀ ଭାବେ ବ୍ୟାପିବ ବୋଲି କେଜରିୱାଲ୍ ଆଶଙ୍କା ପ୍ରକାଶ କରିବା ସହ କେନ୍ଦ୍ର ସରକାରଙ୍କୁ ଶିଶୁମାନଙ୍କୁ ଏହି ଭୂତାଣୁ କବଳରୁ ରକ୍ଷା କରିବା ସକାଶେ ଠୋସ୍ ପଦକ୍ଷେପ ନେବାକୁ ନିବେଦନ କରିଥିଲେ। ଏଥିସହ ଭାରତ ସରକାର ସିଙ୍ଗାପୁର ଓ ଭାରତ ମଧ୍ୟରେ ଯାତାୟାତ କରୁଥିବା ବିମାନ ସେବାକୁ ମଧ୍ୟ ରଦ୍ଦ କରିବାକୁ କହିଥିଲେ। ତେବେ କେଜରିୱାଲଙ୍କ ଏପରି ମନ୍ତବ୍ୟ ଉପରେ ସିଙ୍ଗାପୁର ସରକାର କ୍ଷୋଭ ପ୍ରକାଶ କରିଛନ୍ତି। ସିଙ୍ଗାପୁରରେ ଏପରି କୌଣସି ଭ୍ୟାରିଆଣ୍ଟ୍ ଅଦ୍ୟାବଧି ଚିହ୍ନଟ କରାଯାଇ ନ ଥିବା ସେଠାକାର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ସିଙ୍ଗାପୁର ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ମନ୍ତବ୍ୟ ଆସିବା ପରେ ଭାରତର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କେଜରିୱାଲଙ୍କ ଏପରି ମତାମତକୁ ଭର୍ତ୍ସନା କରାଯିବା ସହ ବିଭାଗୀୟ ମନ୍ତ୍ରୀ ଏସ. ଜୟଶଙ୍କର ତାଙ୍କ ଉପରେ ଖୁବ୍ ବର୍ଷିଛନ୍ତି। ସେ କହିଛନ୍ତି ଯେ କେଜରିୱାଲ୍ କଦାପି ଭାରତ ସପକ୍ଷରେ କହନ୍ତି ନାହିଁ। ଦାୟିତ୍ବହୀନ ମନ୍ତବ୍ୟ ସହଯୋଗୀ ରାଷ୍ଟ୍ରଙ୍କ ସହ ଦ୍ବିପାକ୍ଷିକ ସମ୍ପର୍କକୁ ପ୍ରଭାବିତ କରିବାର ଆଶଙ୍କା ରହିଥିବା ଜୟଶଙ୍କର କହିଛନ୍ତି। କେଜରିୱାଲଙ୍କ ମନ୍ତବ୍ୟ ଆସିବା ପରେ ସିଙ୍ଗାପୁର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଭାରତରେ ଅବସ୍ଥାପିତ ହାଇକମିଶନଙ୍କୁ ଏ ସଂକ୍ରାନ୍ତରେ ଏକ ବିବୃତି ଜାରି କରାଯାଇଛି। ଉକ୍ତ ବିବୃତିରେ କୁହାଯାଇଛି ଯେ ସିଙ୍ଗାପୁରରେ କୌଣସି ନୂଆ ଭ୍ୟାରିଆଣ୍ଟର କୋଭିଡ୍ ଭୂତାଣୁ ଚିହ୍ନଟ ହୋଇନାହିଁ। ବରଂ ଭାରତରେ ବ୍ୟାପିଥିବା କୋଭିଡ୍ ଭୂତାଣୁର ବି.୧.୬୧୭.୨ ଭ୍ୟାରିଆଣ୍ଟ୍ ହିଁ ସିଙ୍ଗାପୁରରେ ଚିହ୍ନଟ ହୋଇଛି। ସିଙ୍ଗାପୁର ବୈଦେଶିକ ମନ୍ତ୍ରୀ ଭିଭିଆନ୍ ବାଲକ୍ରିଷ୍ଣନ୍ କହିଛନ୍ତି ଯେ ଭାରତର ରାଜନେତାମାନେ ବାସ୍ତବିକତାକୁ ଉପଲବ୍‌ଧି କରିବା ଉଚିତ। ସେହିପରି ଭାରତରେ ଅବସ୍ଥାପିତ ସିଙ୍ଗାପୁର ହାଇକମିଶନର୍ ମଧ୍ୟ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କର କୋଭିଡର କୌଣସି ଭ୍ୟାରିଆଣ୍ଟ୍ ଚିହ୍ନଟ କରିବା କି ବିମାନ ଚଳାଚଳ ସଂକ୍ରାନ୍ତ ନିଷ୍ପତ୍ତି ନେବାର ଅଧିକାର ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। କେଜରିୱାଲଙ୍କ ପରି ଜଣେ ପ୍ରମୁଖ ରାଜନୀତିଜ୍ଞ ସତ୍ୟର ଅନୁସନ୍ଧାନ ନ କରି ଏପରି ଦାୟିତ୍ବହୀନ ମନ୍ତବ୍ୟ ଦେବା ଦୁଃଖର ବିଷୟ ବୋଲି ଭାରତୀୟ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଏ ସଂକ୍ରାନ୍ତରେ ସିଙ୍ଗାପୁର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସିଙ୍ଗାପୁରରେ ଅବସ୍ଥାପିତ ଭାରତୀୟ ହାଇକମିଶନର୍ ପି. କୁମାରନଙ୍କୁ ବୁଧବାର ଭେଟି ଏନେଇ ନିଜର ଦୁଃଖ ପ୍ରକାଶ କରାଯାଇଛି।

Related Articles

Leave a Reply

Your email address will not be published.

Back to top button