କାଳବୈଶାଖୀ ଯୋଗୁ ଆଜିଠୁ ତାତି କମିବ

ଭୁବନେଶ୍ବର :  ଆଜିଠାରୁ ରାଜ୍ୟର ତାପମାତ୍ରାରେ ହ୍ରାସ ଘଟିବ। ବାୟୁର ଦିଗ ପରିବର୍ତ୍ତନ ଯୋଗୁ ରାଜ୍ୟର ପାରଦ ନିମ୍ନଗାମୀ ହେବ। ୨ରୁ ୬ ତାରିଖ ପର୍ୟ୍ୟନ୍ତ ରାଜ୍ୟ‌ର ତାପମାତ୍ରାରେ ହ୍ରାସ ଘଟିବ। ଏଥିସହ ଆସନ୍ତା ୩ ଦିନ ପର୍ୟ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷାର ସମ୍ଭାବନା ଯୋଗୁ ତାପମାତ୍ରା ନିୟନ୍ତ୍ରଣରେ ରହିବ ବୋଲି ପାଣିପାଗ ବିଜ୍ଞାନୀମାନେ ପୂର୍ବାନୁମାନ କରିଛନ୍ତି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ଆକଳନ କହୁଛି ଯେ ଆଜି ଗଜପତି, ଗଞ୍ଜାମ, ନୟାଗଡ଼, ଖୋର୍ଧା, କଟକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଆଦି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବ। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୪୦ରୁ ୫୦ କିମି ପର୍ୟ୍ୟନ୍ତ ରହିବ। ଏଥିସହ ୩ ତାରିଖ ଦିନ ନୟାଗଡ଼, ଖୋର୍ଧା, କଟକ, ଢେଙ୍କାନାଳ, ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର, ମୟୂରଭଞ୍ଜ, କନ୍ଧମାଳ, ଅନୁଗୁଳ ଓ ବୌଦ୍ଧ ଆଦି ଜିଲ୍ଲାରେ ମଧ୍ୟ ୩୦ରୁ ୪୦ କିମି ବେଗରେ ପବନ ବହିବ ଓ ବିଜୁଳି, ଘଡ଼ଘଡ଼ି ସହ କାଳବୈଶାଖୀଜନିତ ବର୍ଷା ହୋଇପାରେ। ସେହିପରି ୪ ତାରିଖ ଦିନ ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, କଟକ, ଖୋର୍ଧା ଓ ଜଗତସିଂହପୁର ଆଦି ୧୧ ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ। ଏଣୁ ଏହି ୩ ଦିନ ପାଇଁ ଉକ୍ତ ଜିଲ୍ଲାଗୁଡ଼ିକରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। କାଳବୈଶାଖୀ କାରଣରୁ ରାଜ୍ୟର ତାପମାତ୍ରାରେ ବି ପରିବର୍ତ୍ତନ ଆସିବ ଓ ତାପମାତ୍ରା ଟିକେ ହ୍ରାସ ଘଟିବ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି।ଆଜିଠାରୁ ଉପକୂଳକୁ ପଶ୍ଚିମା ଗରମ ପବନ ଆସିବ ନାହିଁ। ଉତ୍ତର ଓଡ଼ିଶାକୁ ପୂର୍ବ-ଉତ୍ତର ପ୍ରଦେଶ, ବିହାର, ଝାଡ଼ଖଣ୍ଡ ଦେଇ ଉତ୍ତରା ପବନ ଆସିବା ବେଳେ ଦକ୍ଷିଣ ଓ କେନ୍ଦ୍ରୀୟ ଉପକୂଳକୁ ସାମୁଦ୍ରିକ ପବନ ବହିବ। ୫ ତାରିଖ ପର୍ୟ୍ୟନ୍ତ ଏହା ଅଧିକ ପ୍ରସନ୍ତ ରହିବ। ଯାହା ଫଳରେ କେନ୍ଦ୍ରୀୟ ଓଡ଼ିଶା‌ରେ ମଧ୍ୟ ତାପମାତ୍ରା ହ୍ରାସ ପାଇବ। ତେବେ ପଶ୍ଚିମ ସୀମାନ୍ତ ଜିଲ୍ଲା ଓ ଦକ୍ଷିଣ-ପଶ୍ଚିମ ଓଡ଼ିଶାରେ ସର୍ବାଧିକ ତାପମାତ୍ରା ସାମାନ୍ୟ ହ୍ରାସ ପାଇବ ବା ପ୍ରାୟତଃ ଅପରିବର୍ତ୍ତିତ ରହିବ। ୬ ତାରିଖରୁ ଆଭ୍ୟନ୍ତରୀଣ ଓଡ଼ିଶାରେ ପୁଣି ଗରମ ବଢ଼ିବାର ସମ୍ଭାବନା ରହିଛି।

Related Articles

Leave a Reply

Your email address will not be published.

Back to top button