କଟକରେ କୋରୋନା ଆତଙ୍କ

ଘରୋଇ କଲେଜର ୧୨ ଛାତ୍ର ଆକ୍ରାନ୍ତ

କଟକ: କଟକରେ ପୁଣି କୋରୋନା ଆତଙ୍କ ଦେଖିବାକୁ ମିଳିଛି। ଏକ ଘରୋଇ ବିଜ୍ଞାନ କଲେଜର ୧୨ ଜଣ ଛାତ୍ରଛାତ୍ରୀ କୋରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ଏହା ଜଣାପଡ଼ିବା ପରେ କଟକ ମ୍ୟୁନିସିପାଲ୍‌ କର୍ପୋରେସନ୍‌(ସିଏମ୍‌ସି) ପକ୍ଷରୁ ଆକ୍ରାନ୍ତମାନଙ୍କୁ କଲେଜ ହଷ୍ଟେଲ୍‌ ପରିସରରେ କ୍ୱାରାଣ୍ଟାଇନ୍‌ରେ ରଖାଯାଇଛି। ଏଥିସହ ଅନ୍ୟ ଛାତ୍ରଛାତ୍ରୀ, ଶିକ୍ଷକ ଓ କର୍ମଚାରୀଙ୍କୁ ମଧ୍ୟ କ୍ୱାରେଣ୍ଟାଇନ୍‌ ରହିବାକୁ ନିର୍ଦେଶ ଦେବା ସହ ସମସ୍ତଙ୍କ ଟେଷ୍ଟିଂ ଆରମ୍ଭ ହୋଇଛି। ସେପଟେ ଆସନ୍ତା ୧୦ ଦିନ ପର୍ଯ୍ୟନ୍ତ କଲେଜ ବନ୍ଦ କରିବାକୁ ନିର୍ଦେଶ ଦେଇଛି ଜିଲ୍ଲା ପ୍ରଶାସନ।

ସମସ୍ତ ଆକ୍ରାନ୍ତଙ୍କଠାରେ ଲକ୍ଷଣ ଦେଖାଦେବା ପରେ ଆଣ୍ଟିଜେନ୍‌ ପରୀକ୍ଷା କରାଯାଇଥିଲା। ସେ ସବୁର ରିପୋର୍ଟ ପଜିଟିଭ୍ ଆସିଥିବା ଜଣାପଡ଼ିଛି। ତେବେ ଉକ୍ତ ଶିକ୍ଷାନୁଷ୍ଠାନରେ ପ୍ରଶାସନ ପକ୍ଷରୁ କଣ୍ଟାକ୍ଟ୍‌ ଟ୍ରେସିଂ କରାଯିବ ଓ ସେହି ଅନୁସାରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି। ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ୨୫ ଜଣଙ୍କୁ କ୍ୱାରେଣ୍ଟାଇନ୍‌ରେ ରହିବାକୁ ନିର୍ଦେଶ ଦେଇଛି ପ୍ରଶାସନ। ସେହିପରି ହଷ୍ଟେଲ୍‌ ଓ କଲେଜ ପରିସରକୁ ସିଏମ୍‌ସି ପକ୍ଷରୁ ବିଶୋଧନ କରାଯାଉଛି। ଉକ୍ତ କଲେଜ ନିକଟରେ ଅନେକ ହଷ୍ଟେଲ୍‌ ଥିବାରୁ ତୁରନ୍ତ ତ୍ୱରିତ ପଦକ୍ଷେପ ନିଆଯଉଛି ବୋଲି ସିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି। କଟକରେ ଗଲା କିଛିଦିନ ଧରି କରୋନା ସ୍ଥିତି ନିୟନ୍ତ୍ରଣରେ ରହିଥିବା ବେଳେ ଆଜି ଏକସଙ୍ଗେ ୧୨ଜଣ ପଜିଟିଭ୍‌ ଚିହ୍ନଟ ପରେ ପ୍ରଶାସନର ଚିନ୍ତା ବଢ଼ି ଯାଇଛି। ସୂଚନାଥାଉ, ବୁଧବାର କଟକ ମହାନଗର ନିଗମ ଅଞ୍ଚଳରୁ ୪ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ୩ ଜଣ ହୋମ୍‌ କ୍ୱାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍‌ କଣ୍ଟାକ୍ଟ କେସ୍‌ ୧ ରହିଛି। ସେହିପରି ଆଜି କଟକରୁ ସର୍ବାଧିକ ୨୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Related Articles

Leave a Reply

Your email address will not be published.

Back to top button