ଏପ୍ରିଲରେ ହୋଇଛି ୪୬ ହଜାର କୋଟିର ସୁନା ଆମଦାନି

ନୂଆଦିଲ୍ଲୀ : ଦେଶର ଆର୍ଥିକ ଗତିବିଧିରେ ସୁଧାର ଆସିବା ପରେ ସୁନା ଚାହିଦା ବୃଦ୍ଧି ପାଇଛି । ବାଣିଜ୍ୟ ମନ୍ତ୍ରଣାଳୟର ସଦ୍ୟ ତଥ୍ୟ ମୁତାବକ ଏପ୍ରିଲରେ ୬୩୦ କୋଟି ଡଲାର ବା ପାଖାପାଖି ୪୬,୦୦୦ କୋଟି ଟଙ୍କାର ସୁନା ଆମଦାନୀ ହୋଇଛି । ପୂର୍ବ ବର୍ଷର ସମାନ ମାସରେ ମାତ୍ର ୨.୮୨ ନିୟୁତ ଡଲାର ବା ପାଖାପାଖି ୨୧.୬୧ କୋଟି ଟଙ୍କାର ସୁନା ଆମଦାନି ହୋଇଥିଲା । ମନ୍ତ୍ରଣାଳୟର ତଥ୍ୟ ମୁତାବକ ଚଳିତ ବର୍ଷ ଏପ୍ରିଲରେ ରୂପା ଆମଦାନିରେ ୮୮.୫୩% ହ୍ରାସ ଦେଖିବାକୁ ମିଳିଛି । ଏହି ଅବଧିରେ ୧୧.୯ ନିୟୁତ ଡଲାର ବା ପାଖାପାଖି ୮୭ କୋଟି ଟଙ୍କାର ରୂପା ଆମଦାନି ହୋଇଥିଲା । ଏପ୍ରିଲରେ ଦେଶର ସୁନା ଆମଦାନି ବଢ଼ିବା କାରଣରୁ ବାଣିଜ୍ୟ ନିଅଣ୍ଟ ବା ବେପାର ଘାଟା ପରିମାଣ ୧,୫୧୦ କୋଟି ଡଲାର ବା ପାଖାପାଖି ୧.୧୦ ଲକ୍ଷ କୋଟି ଟଙ୍କା ହୋଇଥିଲା । ଏକବର୍ଷ ପୂର୍ବେ ବ୍ୟବସାୟୀ କ୍ଷତି ପରିମାଣ ୬୭୬ କୋଟି ଡଲାର ବା ୪୯,୦୦୦ କୋଟି ଟଙ୍କା ରହିଥିଲା । ଶିଳ୍ପ ସହ ଜଡ଼ିତ ସୂତ୍ର ମୁତାବକ ଘରୋଇ ଚାହିଦା ବଢ଼ିବା କାରଣରୁ ଆମଦାନି ବୃଦ୍ଧି ପାଇଛି । କିନ୍ତୁ କୋଭିଡ-୧୯ ସଂକ୍ରମଣର ଦ୍ୱିତୀୟ ଲହର କାରଣରୁ ଆଗାମୀ ମାସ ଗୁଡ଼ିକରେ ସୁନା ଚାହିଦା ପ୍ରଭାବିତ ହୋଇପାରେ । ସୁନା କ୍ରୟ ନିମନ୍ତେ ଶୁଭ ବିବେଚନା କରାଯାଉଥିବା ଅକ୍ଷୟତୃତୀୟାରେ କମ ସୁନା ବିକି୍ର ହୋଇଛି । ମହାମାରୀ ମୁକାବିଲା ପାଇଁ ଲାଗୁ କରାଯାଇଥିବା କୋଭିଡ କଟକଣା ଯୋଗୁଁ ସୁନା ବିକି୍ରରେ ପ୍ରତିବନ୍ଧକ ସୃଷ୍ଟି ହୋଇଛି । ସ୍ୱାଭାବିକ ଭାବେ ଅକ୍ଷୟ ତୃତୀୟା ଭଳି ଶୁଭ ଅବସରରେ ୩୦ ରୁ ୪୦ ଟନ ସୁନା ବିକ୍ରି ହୋଇଥାଏ । କିନ୍ତୁ ଏ ବର୍ଷ ପାଖାପାଖି ୧ ଟନରେ ପହଞ୍ଚିଛି ।

Related Articles

Leave a Reply

Your email address will not be published.

Back to top button