ଅଲିମ୍ପିକ୍ସ ପାଇଁ ୧୯୦ ଜଣିଆ ଟିମ ଟୋକିଓ ଗସ୍ତ କରିବେ: ବାତ୍ରା

ନୂଆଦିଲ୍ଲୀ: ଆସନ୍ତା ଟୋକିଓ ଅଲିମ୍ପିକ୍ସକୁ ଆଉ ୫୦ ଦିନ ବାକି ରହିଥିଲା ବେଳେ ନୂଆଦିଲ୍ଲୀରେ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ଭାରତୀୟ ଆଥଲେଟଙ୍କ ପାଇଁ ଅଫିସିଆଲ କିଟ୍ସ ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। କ୍ରୀଡ଼ା ମନ୍ତ୍ରୀ କିରଣ ରିଜିଜୁ ଓ ଆଇଓଏ ସଭାପତି ନରିନ୍ଦର ବାତ୍ରା ପ୍ରମୁଖ ଏହି ସ୍ବତନ୍ତ୍ର ଉତ୍ସବରେ ଉପସ୍ଥିତ ରହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଳ୍ପ କେତେଜଣ ଆଥଲେଟ ମଧ୍ୟ ସାମିଲ ହୋଇଥିଲେ। ଏହି ଅବସରରେ ଆଇଓଏ ସଭାପତି ବାତ୍ରା କହିଛନ୍ତି ଯେ ଟୋକିଓ ଅଲିମ୍ପିକ୍ସ ପାଇଁ ଆଥଲେଟ ଓ ଅଫିସିଆଲଙ୍କ ମିଶାଇ ମୋଟ ୧୯୦ ଜଣ ଯାତ୍ରା କରିବେ। ବର୍ତ୍ତମାନ ସୁଦ୍ଧା ଅଲିମ୍ପିକ୍ସ ପାଇଁ ୫୬ ଜଣ ପୁରୁଷ ଓ ୪୪ ଜଣ ମହିଳା ଆଥଲେଟ ଯୋଗ୍ୟତା ହାସଲ କରିସାରିଛନ୍ତି। ଆଗକୁ ବାକିଥିବା ଯୋଗ୍ୟତା ପର୍ଯ୍ୟାୟ ମୁକାବିଲାରେ ଆଉ ୨୫ରୁ ୩୫ ଜଣ ଯୋଗ୍ୟତା ହାସଲ କରିବା ଆଶା କରାଯାଉଛି।

ଜୁଲାଇ ୨୩ରୁ ଆରମ୍ଭ ହେବାକୁ ଥିବା ବିଶ୍ବର ଏହି ବୃହତ କ୍ରୀଡ଼ା ପ୍ରତିଯୋଗିତା ପାଇଁ କ୍ରୀଡ଼ା ମନ୍ତ୍ରାଳୟ ନିୟମ ଅନୁସାରେ ଯେତିକି ଆଥଲେଟ ଯୋଗ୍ୟତା ହାସଲ କରିବେ ସେହି ସଂଖ୍ୟାର ଏକ ତୃତୀୟାଂଶ ଅଫିସିଆଲଙ୍କୁ ଆଥଲେଟଙ୍କ ସହ ଗସ୍ତ କରିବା ପାଇଁ ଅନୁମତି ମିଳିବ। ଯଦି ଆଉ ଏହା ବାଦ କେହି ଅଫିସିଆଲ ଭାବେ ଗସ୍ତ କରିବାକୁ ଚାହାନ୍ତି, ତାହେଲେ ସେମାନେ ନିଜସ୍ବ ଖର୍ଚ୍ଚରେ ଗସ୍ତ କରିବେ ବୋଲି ସ୍ଥିର ହୋଇଛି। କରୋନା ମହାମାରୀ ଭିତରେ ଏହି ମେଗା ଇଭେଣ୍ଟ ଅନୁଷ୍ଠିତ ହେଉଥିବାରୁ ଭାଗ ନେବାକୁ ଥିବା ସବୁ ଦେଶ ଆଥଲେଟ ଓ ଅଫିସିଆଲଙ୍କ ସଂଖ୍ୟା କାଣ୍ଟଛାଣ୍ଟ କରୁଛନ୍ତି। ଭାରତ ୨୦୧୨ ଲଣ୍ଡନ ଅଲିଲମ୍ପିକ୍ସରେ ୪ ବ୍ରୋଞ୍ଜ ଓ ୨ ରୌପ୍ୟ ସହ ପାଇଥିବା ମୋଟ ୬ଟି ପଦକର ରେକର୍ଡକୁ ଏଥର ଭାରତୀୟ ଆଥଲେଟ ଭଙ୍ଗ କରିବେ ବୋଲି ଆଇଓଏ ସଭାପତି ନରିନ୍ଦର ବାତ୍ରା ଆଶାବ୍ୟକ୍ତ କରିଛନ୍ତି।

Related Articles

Leave a Reply

Your email address will not be published.

Back to top button