ଆଜିଠାରୁ ୩୦ ପର୍ଯ୍ୟନ୍ତ ପାଳନ ହେବ ସଡ଼କ ଦୁର୍ଘଟଣାଜନିତ ଶୂନ ମୃତାହତ ପକ୍ଷ

ଭୁବନେଶ୍ୱର: ସଡ଼କ ଦୁର୍ଘଟଣା ଓ ତଦଜନିତ ମୃତ୍ୟୁ ସଂଖ୍ୟା ହ୍ରାସ ପାଇଁ ରାଜ୍ୟ ସରକାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି। ବ୍ୟାପକ ଜଣସଚେତନତା ମାଧ୍ୟମରେ ଏହି ସଂଖ୍ୟା ହ୍ରାସ କରିହେବ। ଏଥିପାଇଁ ନଭେମ୍ବର ୧୬ ରୁ ୩୦ ଯାଏଁ ଶୂନ ମୃତାହତ ପକ୍ଷ ପାଳନ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଏଥିନେଇ ସାରା ରାଜ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି ସମୟରେ ଚାରିଟି ‘ଇ’ ଯଥା- ଏନଫୋର୍ସମେଣ୍ଟ, ଇଂଜିନିୟରିଂ, ଏଜୁକେସନ ଓ ଏମର୍ଜେନ୍ସି କେୟାରକୁ ପ୍ରାଧାନ୍ୟ ଦିଆଯିବ ବୋଲି ଇସ୍ପାତ ଓ ଖଣି ଏବଂ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା ସୂଚନା ଦେଇଛନ୍ତି। ଏ ସମ୍ପର୍କରେ ଅନୁଷ୍ଠିତ ବୈଠକରେ ମନ୍ତ୍ରୀ ଶ୍ରୀ ଜେନା ବିଭାଗୀୟ ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ ଏବଂ ପରିବହନ କମିଶନର ଅମିତାଭ ଠାକୁରଙ୍କ ସହ ଆଲୋଚନା କରିବା ସହ ଶୂନ ମୃତାହତ ପକ୍ଷ ପାଳନକୁ ସଫଳ କରିବା ନେଇ ବିଭିନ୍ନ ପରାମର୍ଶ ଦେଇଥିଲେ। ଏଠାରେ ସୂଚନା ଯୁଗ୍ୟ କି ସଡ଼କ ଦୁର୍ଘଟଣା ଜନିତ ଶୂନ ମୃତାହତ ପାଳନ ସମୟରେ ସଡ଼କ ନିୟମ ଉଲ୍ଲଙ୍ଘକାରୀଙ୍କ ବିରୋଧରେ ଶୂନ ସହନଶୀଳତା ନୀତି ଅବଲମ୍ୱନ କରାଯିବ। ସାରା ରାଜ୍ୟରେ ଯାଞ୍ଚ ପ୍ରକ୍ରିୟାକୁ କଡାକଡି କରାଯିବ। ଏଥିପାଇଁ ସମସ୍ତ ଜିଲ୍ଲା ପ୍ରଶାସନକୁ ବିଭାଗ ପକ୍ଷରୁ ଏକ ମାର୍ଗଦର୍ଶିକା ପ୍ରଦାନ କରାଯାଇଛି । ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ ଏବଂ ଅନ୍ୟ ବିଭାଗ ସହ ମିଳିତ ଭାବରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଦ୍ୱାରା ଏନଫୋର୍ସମେଣ୍ଟ କାର୍ଯ୍ୟକ୍ରମ ବ୍ୟାପକ କରାଯିବ। ବିଶେଷକରି, ଜନଗହଳି ସ୍ଥାନ, ଟ୍ରାଫିକ ପଏଣ୍ଟ, ଶିକ୍ଷାନୁଷ୍ଠାନ, ବଡ ବଡ଼ ମଲ୍ ଓ ବଜାର ଆଦି ସ୍ଥାନରେ ଟିମ୍ ମୁତୟନ ରହିବେ। ସଡ଼କରେ ବେପରୁଆ ଗାଡ଼ି ଚାଳନା କରି ନିଜ ସହ ଅନ୍ୟ ମାନଙ୍କ ପାଇଁ ବିପଦ ସୃଷ୍ଟି କରୁଥିବା ଓ ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ ମୋଟର ଯାନ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ



