ରାଜ୍ୟରେ ଘନ କୁହୁଡ଼ି ଲାଗି ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ଭୁବନେଶ୍ୱର : ରାଜ୍ୟରେ ଉପକୂଳରୁ ଆଭ୍ୟନ୍ତରୀଣ, ସବୁଠି ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ଆଗାମୀ ୨ ଦିନ ଯାଏ ସର୍ବନିମ୍ନ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବାକୁ ନଥିବାବେଳେ ଏଭଳି ଶୀତ ଜାରି ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ଜଣାପଡିଛି। ମିଳିଥିବା ସୂଚନା ଅନୁସାରେ, ବାୟୁମଣ୍ଡଳରେ ଆର୍ଦ୍ରତାର ପରିମାଣ ରହୁଥିବାରୁ ରାତିରେ ଶୀତର ପ୍ରକୋପ ଅଧିକ ରହୁଥିବାବେଳେ ଘନ କୁହୁଡ଼ି ଦୃଶ୍ୟମାନ ହେଉଛି। ଆସନ୍ତା ୨ ଦିନ ପର୍ଯ୍ୟନ୍ତ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ସର୍ବନିମ୍ନ ତାପମାତ୍ରାରେ କୌଣସି ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ଏହାପରେ ୩ ଦିନ ପର୍ଯ୍ୟନ୍ତ ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବା ସହ ଶୀତ ସାମାନ୍ୟ କମିବାର ସମ୍ଭାବନା ରହିଛି। ସେପଟେ ରାଜ୍ୟରେ ଘନ କୁହୁଡ଼ି ଲାଗି ରହିଥିବା ବେଳେ ବିଶେଷ କରି ଉପକୂଳ ଓଡ଼ିଶାର ଜିଲ୍ଲାଗୁଡ଼ିକୁ ସତର୍କ ଜାରି କରାଯାଇଛି। ଆଗାମୀ ୨ ଦିନ ପାଇଁ ୪ ଜିଲ୍ଲା କନ୍ଧମାଳ, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁରକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ୨୨ ତାରିଖରେ ଘନ କୁହୁଡ଼ି ସମ୍ପୂର୍ଣ୍ଣ ଉପକୂଳ ଓଡ଼ିଶାକୁ କବଳିତ କରିବ। ଘନ କୁହୁଡ଼ି ପାଇଁ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଏହି ଜିଲ୍ଲାଗୁଡ଼ିକରେ ଦୃଶ୍ୟମାନର ଦୂରତା ୨୦୦ ମିଟର ରହିବ। ସେପଟେ ଘନ କୁହୁଡ଼ି ସାଙ୍ଗକୁ କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟ ଧରଣର କୁହୁଡି ରହିବ। ଆଗାମୀ ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼, ଝାରସୁଗୁଡ଼ା, କଳାହାଣ୍ଡି, ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, କନ୍ଧମାଳ ଓ ଯାଜପୁର ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ଦୃଶ୍ୟମାନ ହେବ। ସେହିପରି ଆସନ୍ତାକାଲି ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, କନ୍ଧମାଳ, କଳାହାଣ୍ଡି, ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ ହାଲୁକାରୁ ମଧ୍ୟମ କୁହୁଡ଼ି ଦେଖାଯିବ। ୨୨ ତାରିଖରେ କନ୍ଧମାଳ, କଳାହାଣ୍ଡି, କୋରାପୁଟ, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୋଳ ଓ ଢେଙ୍କାନାଳରେ ହାଲୁକା କୁହୁଡ଼ି ଦୃଶ୍ୟମାନ ହେବା ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଅନ୍ୟପଟେ ଗତ ୨୪ ଘଣ୍ଟା ମଧ୍ୟରେ ୯ଟି ଜାଗାରେ ୧୦ ଡିଗ୍ରୀ ତଳେ ତାପମାତ୍ରା ରେକର୍ଡ ହୋଇଥିବା ପାହାଡ଼ିଆ ଅଞ୍ଚଳ ଭାବରେ ଜି. ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୪.୦ ଡିଗ୍ରୀ ରେକର୍ଡ କରାଯାଇଛି। ଫୁଲବାଣୀରେ ୭.୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ନୂଆପଡ଼ାରେ ସର୍ବାଧିକ ୩୨.୪ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି।