ଖଣ୍ଡଗିରିରେ ଆଜିଠୁ ଯାତ୍ରା ମହାସମର

ଭୁବନେଶ୍ୱର: ଖଣ୍ଡଗିରିରେ ଚାଲିଛି ବିଶ୍ୱପ୍ରସିଦ୍ଧ ଖଣ୍ଡଗିରି ମାଘ ମେଳା । ସାଧୁସନ୍ଥଙ୍କ ମନ୍ତ୍ରଧ୍ବନିରେ କମ୍ପୁଛି ଖଣ୍ଡଗିରି-ଉଦୟଗିରି ପାଦଦେଶ । ଭଜନ କୀର୍ତ୍ତନ ଓ ହରିନାମରେ ତପୋଭୂମି ଫାଟି ପଡ଼ୁଛି । ଶୁକ୍ରବାରଠାରୁ ପବିତ୍ର ମାଘ ସପ୍ତମୀ ଆରମ୍ଭ ହୋଇଥିବା ବେଳେ ଖଣ୍ଡଗିରିରେ କୁମ୍ଭମେଳା ବେଶ୍ ଜମୁଛି । ଶନିବାରରେ ଏଠାରେ ପ୍ରବଳ ଜନସମାଗମ ସହ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା । ଶତାଧିକ ସାଧୁସନ୍ଥ ଚନ୍ଦ୍ରଭାଗାରେ ବୁଡ଼ ପକାଇ ଖଣ୍ଡଗିରିରେ ଡେରା ପକାଇଥିଲେ । ରବିବାର ଖଣ୍ଡଗିରିରେ ଯାତ୍ରା ମହାସମର ଦେଖିବାକୁ ମିଳିବ । ୧୮ରୁ ଆରମ୍ଭ ହୋଇ ୨୯ ତାରିଖ ଯାଏ ଅର୍ଥାତ୍ ୧୨ ଦିନ ଯାଏ ଦୁଲୁକିବ ଖଣ୍ଡଗିରି ଅପେରା ମଞ୍ଚ । ଚିକମିକ ଆଲୁଅ ସାଙ୍ଗକୁ ଦମଦାର ଡ଼ାଇଲଗରେ କମ୍ପିବ ଯାତ୍ରା ପେଣ୍ଡାଲ । ଯାହାକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଯାତ୍ରା ପରିବେଷଣ ପାଇଁ ଚଳିତ ବର୍ଷ ୬ଟି ଯାତ୍ରା କମିଟିକୁ ଅନୁମତି ମିଳିଥିବା ବେଳେ ଆଜିଠାରୁ ୫ଟି ପେଣ୍ଡାଲରେ ଯାତ୍ରା ପରିବେଷଣ ହେବ । କୋଣାର୍କ ଗଣନାଟ୍ୟ, ବିଶ୍ଵଦରବାର, ତୁଳସୀ, ସାଇ ସମ୍ରାଟ, କୋଣାର୍କ, ସୂର୍ୟ୍ୟ ମନ୍ଦିର, କଳିଙ୍ଗ, ଶିବାନୀ, ରଙ୍ଗ ମହଲ, ସୂର୍ଣ୍ଣ ମହଲ, ସ୍ବପ୍ନ ମହଲ ଅପେରା ଦଳ ଯାତ୍ରା ମଇଦାନକୁ ଓହ୍ଲାଇବେ । ଏଥିପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ୬ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା ହୋଇଛି । ସିସିଟିଭି କଭରେଜରେ ସମସ୍ତ ଅଞ୍ଚଳ ରହିଛି । ଟ୍ରାଫିକଠାରୁ ମେଳା ପର୍ୟ୍ୟନ୍ତ ସମସ୍ତ ଅଞ୍ଚଳର କାର୍ୟ୍ୟକଳାପ କ୍ୟାମେରାରେ ରେକର୍ଡ ହେଉଛି । ଅନ୍ୟପଟେ ପ୍ରତ୍ୟେକ ପେଣ୍ଡାଲରେ ଦୁଇ ହଜାରରୁ ତିନି ହଜାର ଦର୍ଶକ ବସିବା ବ୍ୟବସ୍ଥା କରାଯାଇଛି । ସାଧାରଣ ବର୍ଗର ଟିକେଟ ମୂଲ୍ୟ ୧୫୦ ଟଙ୍କା ରଖାଯାଇଥିବା ବେଳେ ସ୍ୱତନ୍ତ୍ର ବର୍ଗର ଟିକେଟ ମୂଲ୍ୟ ୨୫୦ ଟଙ୍କା ରଖାଯାଇଛି । ଚଳିତ ବର୍ଷ ମୁଖ୍ୟ ଆକର୍ଷଣ ରହିବ ରାଣୀ ପଣ୍ଡାଙ୍କ ଜୀବନର ବାସ୍ତବ ଘଟଣାକୁ ନେଇ ପ୍ରସ୍ତୁତ ‘ରାଣୀ ପଣ୍ଡାକୁ ଖଣ୍ଡଗିରି ମନା’ ନାଟକ ।

Related Articles

Leave a Reply

Your email address will not be published.

Back to top button