ଆହୁରି ୭ ଦିନ କଲବଲ କରିବ ଶୀତ

ଭୁବନେଶ୍ବର: ଶୀତରେ ଥରୁଛି ସାରା ରାଜ୍ୟ। ଅସହ୍ୟ ଶୀତ ଲହରୀ ଜାରି ରହିଛି । ପାରଦ ତଳମୁହାଁ ଯୋଗୁଁ ସାରା ରାଜ୍ୟ ଜାଡ଼ରେ ଥରୁଛି । ୧୦ ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି । ଆଗାମୀ ୭ ଦିନ ଯାଏଁ ତାପମାତ୍ରାରେ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ । ଅର୍ଥାତ ୭ ଦିନ ପ୍ରବଳ ଥଣ୍ଡା ପଡ଼ିବ । ସେହିପରି ଘନ କୁହୁଡ଼ିକୁ ନେଇ ପାଣିପାଗ ବିଭାଗ ୱାର୍ଣ୍ଣିଂ ଜାରି କରିଛି । ଆଗାମୀ ୨ ଦିନ ଘନ କୁହୁଡ଼ି ଦୃଶ୍ୟମାନ ହେବା ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏନେଇ ଆସନ୍ତାକାଲି (୨୦ ତାରିଖ) ପାଇଁ ୪ ଜିଲ୍ଲା ଓ ୨୧ ଡିସେମ୍ବର ପାଇଁ ୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୨୦ ଡିସେମ୍ବରରେ କନ୍ଧମାଳ, ସମ୍ବଲପୁର, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ରେ ଭୀଷଣ ଶୀତ ହେବ।୨୧ ଡିସେମ୍ବରରେ ସମ୍ବଲପୁର, ଝାରସୁଗୁଡ଼ା ଓ ସୁନ୍ଦରଗଡ଼କୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ସେହିପରି କୋରାପୁଟ, କନ୍ଧମାଳ, କଳାହାଣ୍ଡି, ସମ୍ବଲପୁର, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରେ ଅନେକ ସ୍ଥାନରେ ବିଶେଷ କରି ସକାଳ ସମୟରେ କୁହୁଡ଼ି ଦୃଶ୍ୟମାନ ହେବାକୁ ଥିବା ବେଳେ ସତର୍କତା ଜାରି କରିଛି ପାଣିପାଗ ବିଭାଗ । ସେପଟେ ଆଗାମୀ ୭ ଦିନ ପର୍ଯ୍ୟନ୍ତ ସର୍ବନିମ୍ନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ । ଫଳରେ ଆଗାମୀ ୭ ଦିନ ଯାଏଁ ଏଭଳି ଶୀତର ପ୍ରକୋପ ଲାଗି ରହିବ । ପାଣିପାଗ ବିଭାଗର ପୂର୍ବାନୁସାରେ କୋରାପୁଟ ୬ ଡିଗ୍ରୀ, ଫୁଲବାଣୀ ୭ ଡିଗ୍ରୀ, ଝାରସୁଗୁଡ଼ା ୮ ଡିଗ୍ରୀ, ବୌଦ୍ଧ ୯ ଡିଗ୍ରୀ, ଅନୁଗୋଳ ୯ ଡିଗ୍ରୀ, ନବରଙ୍ଗପୁର ୯ ଡିଗ୍ରୀ, ସୁନ୍ଦରଗଡ଼ ୧୦ ଡିଗ୍ରୀ, ଭବାନୀପାଟଣା ୧୦ ଡିଗ୍ରୀ, ରାୟଗଡ଼ା ୧୦ ଡିଗ୍ରୀ ଓ ରାଉରକେଲାରେ ୧୦ ଡିଗ୍ରୀ ତାପମାତ୍ରା ରହିବ। ସେପଟେ ଆଜି (ଡିସେମ୍ବର ୧୯) ଏବଂ ଆସନ୍ତାକାଲି (୨୦ ତାରିଖ)ରେ ଓଡ଼ିଶା ସହ ପଞ୍ଜାବ, ଉତ୍ତରାଖଣ୍ଡ ଏବଂ ବିହାରରେ ଘନରୁ ଅତ୍ୟନ୍ତ ଘନ କୁହୁଡ଼ି ହେବାର ପୂର୍ବାନୁମାନ କରିଥି ପାଣିପାଗ ବିଭାଗ । ଉତ୍ତରପ୍ରଦେଶ ଏବଂ ହରିୟାଣାରେ ମଧ୍ୟ ସକାଳ ସମୟରେ ଅତ୍ୟନ୍ତ ଘନ କୁହୁଡ଼ି ପଡ଼ିବ । ଆଗାମୀ ଦୁଇରୁ ତିନି ଦିନ ପର୍ଯ୍ୟନ୍ତ, କୁହୁଡ଼ି ସ୍ଥିତି ଲାଗି ରହିବ । ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, କୁହୁଡ଼ି ସମୟରେ ଦୃଶ୍ୟମାନତା ଦୂରତା ହ୍ରାସ ହେବ, ଯାହା ବିପଦ ସୃଷ୍ଟି କରିପାରେ । ତେଣୁ ଯାତାୟତ ସମୟରେ ଗାଡ଼ି ଧୀରେ ଚଲାଇବା ସହ ହେଡଲାଇଟ୍ ଏବଂ ଫଗ୍‌ ଲାଇଟ୍ ଜାଳି ରଖିବା, ଅନାବଶ୍ୟକ ଯାତ୍ରା ଏଡାଇବା ପାଇଁ ପରାମର୍ଶ ଦେଇଛି ବିଭାଗ । ଗତ ୨୪ ଘଣ୍ଟା ମଧ୍ୟରେ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୬.୫ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ସର୍ବାଧିକ ତାପମାତ୍ରା ପାରଳାଖେମୁଣ୍ଡିରେ ୩୦.୨ ଡିଗ୍ରୀ ରେକର୍ଡ ହୋଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button