ପୁଣି ବଢ଼ିବ ତାତି, ପାରଦ ୪୦ ଡିଗ୍ରୀ ଛୁଇଁପାରେ

ଭୁବନେଶ୍ୱର : କାଳବୈଶାଖୀ ବର୍ଷା ପ୍ରଭାବରେ କିଛିଦିନ ଧରି ଓଡ଼ିଶାରେ ତାପମାତ୍ରା ହ୍ରାସ ପାଇଥିଲା। ଏବେ ପୁଣି ରାଜ୍ୟରେ ତାତି ବଢ଼ିବ। ତାପମାତ୍ରା ୪୦ ଡିଗ୍ରୀ ପାର କରିବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ମିଳିଥିବା ସୂଚନାରେ ଆସନ୍ତା ୨୪ ଘଣ୍ଟା ଯାଏଁ କିଛି ଜିଲ୍ଲାରେ କାଳବୈଶାଖୀ ପ୍ରଭାବ ମଧ୍ୟ ରହିବ। ବିଜୁଳି ଘଡ଼ଘଡ଼ି ସହ ବର୍ଷା ପାଇଁ କିଛି ଜିଲ୍ଲାକୁ ୟେଲୋ ଚେତାବନୀ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ଆଗାମୀ ୨୪ ଘଣ୍ଟା ମଧ୍ୟରେ ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଞ୍ଜାମ, ଗଜପତି, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ବିଜୁଳି ଘଡ଼ଘଡ଼ି ରହିବ। ଏହି ସମୟରେ ଘଣ୍ଟାପ୍ରତି ଝଟକା ପବନର ବେଗ ୩୦ରୁ ୪୦ କିମି ରହିବ। ଆଗାମୀ ୩ରୁ ୪ ଦିନ ଭିତରେ ଦିନତାପମାତ୍ରା ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ। ସେହିପରି ରାତିର ତାପମାତ୍ରା ୨ରୁ ୪ ଡିଗ୍ରୀ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଫଳରେ ତାପମାତ୍ରା ପୁଣି ୪୦ ଡିଗ୍ରୀ ଅତିକ୍ରମ କରିବା ସହ ତାତି ଆହୁରି ବଢ଼ିବା ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଗତ ୨୪ ଘଣ୍ଟା ମଦ୍ୟରେ ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଥିବା ବେଳେ ଗଞ୍ଜାମ ହିଞ୍ଜିଳିରେ ସର୍ବାଧିକ ୪୮ ମିମି ବର୍ଷା ରେକର୍ଡ କରାଯାଇଛି। ସେହପିରି ଗଞ୍ଜାମ ରଙ୍ଗେଇଲୁଣ୍ଡାରେ ୪୧ ମିମି, କେନ୍ଦୁଝର ଚମ୍ପୁଆରେ ୩୭.୬ ମିମି ବର୍ଷା ରେକର୍ଡ ହୋଇଛି। ସର୍ବାଧିକ ତାପମାତ୍ରା ମଲକାନଗିରିରେ ୩୭.୩ ଡିଗ୍ରୀ ଓ ସର୍ବନିମ୍ନ ଅନୁଗୋଳରେ ୧୭.୦ ଡିଗ୍ରୀ ରେକର୍ଡ କରାୟାଇଛି। ଭୁବନେଶ୍ୱର ଓ କଟକରେ ତାପମାତ୍ରା ଯଥାକ୍ରମେ ୩୧.୨ ଓ ୩୩.୬ ଡିଗ୍ରୀ ରେକର୍ଡ ହୋଇଛି।