ସଂସଦରେ ଅଟକିଲା ୱକଫ ବିଲ୍,ଜେପିସି ନିକଟକୁ ପଠାଇବାକୁ ପ୍ରସ୍ତାବ

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀ କିରେନ ରିଜିଜୁ ଆଜି ଲୋକସଭାରେ ୱକଫ ବୋର୍ଡ ସଂଶୋଧନ ବିଲ୍ ଆଗତ କରିଛନ୍ତି। ବିରୋଧୀ ଦଳର ସମାଲୋଚନା ପରେ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ଏହି ୱକଫ (ସଂଶୋଧନ) ବିଲ୍, ୨୦୨୪ କୁ ମିଳିତ ସଂସଦ କମିଟିକୁ ପଠାଇବାକୁ ପରାମର୍ଶ ଦେଇଛନ୍ତି। କେନ୍ଦ୍ର ମନ୍ତ୍ରୀ ରିଜିଜୁ କହିଛନ୍ତି ଯେ, ଆମ ସରକାରଙ୍କ ତରଫରୁ ଆମେ କହିବାକୁ ଚାହୁଁଛୁ ସଂସଦର ଏକ ମିଳିତ କମିଟି ଗଠନ ହେବା ଉଚିତ ଏବଂ ଏହି ବିଲ୍ ସେଠାକୁ ପଠାଯିବା ଉଚିତ୍। ଏହା ଉପରେ ବାଚସ୍ପତି ଓମ ବିର୍ଲା କହିଛନ୍ତି ଯେ, ଆପଣ କମିଟି ଗଠନ କରି ଏହାକୁ ପଠାନ୍ତୁ। ସମସ୍ତ ନେତାଙ୍କ ସହ କଥାବାର୍ତ୍ତା ହେବା ପରେ ମୁଁ ମିଳିତ ସଂସଦୀୟ କମିଟି ଗଠନ କରିବି ବୋଲି ବାଚସ୍ପତି କହିଛନ୍ତି। ସଂସଦରେ କେନ୍ଦ୍ର ମନ୍ତ୍ରୀ କିରେନ ରିଜିଜୁ କହିଛନ୍ତି ଯେ, “ବର୍ତ୍ତମାନ କାହାର ଅଧିକାର ଛଡ଼ାଇ ନେବାକୁ ଭୁଲିଯାଅ। ଏହି ବିଲ୍ ସହିତ ଆମେ ନ୍ୟାୟ ପ୍ରଦାନ କରିବାକୁ ଚେଷ୍ଟା କରୁଛୁ ଯେଉଁମାନେ କେବେ ନ୍ୟାୟ ପାଇ ନାହାଁନ୍ତି। ଆମେ ସେମାନଙ୍କ ଅଧିକାର ପାଇଁ ଲଢିବୁ। ଏହା ପ୍ରଥମ ଥର ନୁହେଁ। ସ୍ୱାଧୀନତା ପରଠାରୁ ଏହାକୁ ଅନେକ ଥର ସଂଶୋଧନ କରାଯାଇଛି।”ସଂଖ୍ୟା ଲଘୁମନ୍ତ୍ରୀ କହିଛନ୍ତି ଯେ, ”ବିରୋଧୀ ମୁସଲମାନମାନଙ୍କୁ ବିଭ୍ରାନ୍ତ କରୁଛନ୍ତି। ଗତକାଲି ରାତି ପର୍ଯ୍ୟନ୍ତ ମୁସଲିମ ପ୍ରତିନିଧିମଣ୍ଡଳ ମୋ ପାଖକୁ ଆସିଥିଲେ, ୱକଫ ବୋର୍ଡ ଉପରେ ମାଫିଆ କବଜା କରିଛନ୍ତି ବୋଲି ଅନେକ ସାଂସଦ କହିଛନ୍ତି। କେତେକ ସାଂସଦ କହିଛନ୍ତି ଯେ, ସେମାନେ ବ୍ୟକ୍ତିଗତ ଭାବେ ଏହି ବିଲକୁ ସମର୍ଥନ କରନ୍ତି, କିନ୍ତୁ ସେମାନଙ୍କର ରାଜନୈତିକ ଦଳ ଯୋଗୁଁ ଏହା କହିପାରିବେ ନାହିଁ। ଆମେ ଏହି ବିଲ୍ କୁ ଦେଶ ସ୍ତରରେ ଆଲୋଚନା କରିଛୁ।”

Related Articles

Leave a Reply

Your email address will not be published.

Back to top button