ଲାଞ୍ଚୁଆ ଜେଇଙ୍କ ଘରେ ଭିଜିଲାନ୍ସ ରେଡ

ଭୁବନେଶ୍ବର : ଲାଞ୍ଚୁଆ ଜେଇଙ୍କ ଘରେ ଭିଜିଲାନ୍ସ ରେଡ । ଯାଜପୁର ଜିଲ୍ଲା ଜାରକା ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀ ଭୀମସେନ ମହାରଣା ଭିଜିଲାନ୍ସ ଦ୍ବାରା ଗିରଫ ହେବା ପରେ ତାଙ୍କ ଭୁବନେଶ୍ବର ବାସଭବନରେ ଚଢ଼ାଉ ଚାଲିଛି । ଭୁବନେଶ୍ୱର ସଦର ବାଲିଅନ୍ତା ଥାନା ବେଣ୍ଟପୁର ଗାଁରେ ଭୀମସେନଙ୍କ ଘର । ତାଙ୍କର ଆଲିସାନ ଘର ସାଙ୍ଗକୁ ସିଲିଂ ଦେଖି ଭିଜିଲାନ୍ସ ଟେରା । ଗତକାଲି ସନ୍ଧ୍ୟାରେ କଟକ ଟାଙ୍ଗୀ ସ୍ଥିତ ଟୋଲ ପ୍ଲାଜା ନିକଟରୁ ଭିଜିଲାନ୍ସ ହାତରେ ରଙ୍ଗେହାତ ଧରାପଡିଥିଲେ ଭୀମସେନ । ଜଣେ ଠିକାଦାରଙ୍କ ଠାରୁ ୨ଲକ୍ଷ ୩ ହଜାର ୯୪୦ଟଙ୍କା ଲାଞ୍ଚ ନେଉଥିଲେ । ଗ୍ରାମ୍ୟ ଉନ୍ନୟନ ଡିଭିଜନ ଅଧୀନ କୁଆଖିଆ ସେକ୍ସନର ଆର.ଡି. ଜେ.ଇ. ଭୀମସେନ ମହାରଣାଙ୍କୁ ଭିଜିଲାନ୍ସ ଟିମ୍ ଗିରଫ କରିବା ପରେ ତାଙ୍କୁ ଜେରା କରାଯାଇଥିଲା । ଗତକାଲି ରାତିରେ କୁଆଖିଆ ସେକ୍ସନ ଅଫିସ ଉପରେ ଭିଜିଲାନ୍ସ ଟିମ୍ ଚଢ଼ାଉ କରିଥିଲା। ଏହି ସମୟରେ ବିଭିନ୍ନ ବିଲ, କାର୍ଯ୍ୟାଦେଶ ଓ ଟେଣ୍ଡର ଆଦି କାଗଜପତ୍ର ଯାଞ୍ଚ କରାଯାଇଥିଲା । ଆରଡି କୁଆଖିଆ ସେକ୍ସନ ଅଫିସରେ ଭିଜିଲାନ୍ସ ଟିମ୍ ଗତକାଲି ଚଢାଉ କରିଥିଲା । ଆଜି ଭୁବନେଶ୍ୱର ସ୍ଥିତ ଘର ଉପରେ ରେଡ ଜାରି ରହିଥିବା ସୂଚନା ମିଳିଛି । ୨୦୦୯ ମସିହାରେ ଠିକା ଜେଇ ଭାବେ ନିଯୁକ୍ତି ପାଇଥିଲେ ଭୀମସେନ ମହାରଣା । ୨୦୧୮ରେ ସେ ନିୟମିତ ହୋଇଥିଲେ ।