ସିଟି ପ୍ୟାଲେସ ଗସ୍ତ ବାତିଲ, ୱାଶିଂଟନ ଫେରିଲେ ଆମେରିକାର ଉପରାଷ୍ଟ୍ରପତି

ନୂଆଦିଲ୍ଲୀ: ଆମେରିକୀୟ ଉପ ରାଷ୍ଟ୍ରପତି ଜେଡି ଭେନ୍ସ ତାଙ୍କ ପରିବାର ସହ ଚାରି ଦିନିଆ ଭାରତ ଗସ୍ତ ପରେ ଗୁରୁବାର ସକାଳେ ଓ୍ଵାଶିଂଟନ ଅଭିମୁଖେ ଯାତ୍ରା କରିଛନ୍ତି। ଜୟପୁର ଆନ୍ତର୍ଜାତୀୟ ବିମାନବନ୍ଦରରୁ ସେ ଏକ ବିଶେଷ ବିମାନରେ ଓ୍ଵାଶିଂଟନ ପାଇଁ ଉଡ଼ାଣ ଭରିଛନ୍ତି। ସୋମବାର ରାତିରେ ଭେନ୍ସ ଦିଲ୍ଲୀରୁ ଜୟପୁର ଆସିଥିଲେ। ପାହାଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଜୟପୁରରେ ତାଙ୍କର ସିଟି ପ୍ୟାଲେସ ଭ୍ରମଣ କାର୍ଯ୍ୟକ୍ରମ ବାତିଲ ହୋଇଥିଲା। ଏହି ଭାରତ ଗସ୍ତ ସମୟରେ ଭେନ୍ସ ଜୟପୁରରେ ଆମେର ଦୁର୍ଗ ଦେଖିଥିଲେ ଏବଂ ରାଜସ୍ଥାନ ଆନ୍ତର୍ଜାତୀୟ କେନ୍ଦ୍ରରେ ଭାରତ-ଆମେରିକା ସମ୍ପର୍କ ଉପରେ ଏକ ଭାଷଣ ଦେଇଥିଲେ। ଏହା ପୂର୍ବରୁ ସେ ବୁଧବାର ଆଗ୍ରାରେ ତାଜମହଲ ଦେଖିବାକୁ ଯାଇଥିଲେ। ଭେନ୍ସ ପରିବାର ସୋମବାର ଦିଲ୍ଲୀରେ ଅକ୍ଷରଧାମ ମନ୍ଦିର ଦର୍ଶନ କରିଥିଲେ। ଏହା ସହ ରାଜଧାନୀରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତାଙ୍କ ବାସଭବନରେ ଭେଟିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ଭେନ୍ସ ଏବଂ ତାଙ୍କ ପରିବାର ପାଇଁ ରାତ୍ରିଭୋଜନର ଆୟୋଜନ କରିଥିଲେ। ଏହି ଗସ୍ତକୁ ରାଜନୈତିକ, ଆର୍ଥିକ ଏବଂ ସାମରିକ ଦୃଷ୍ଟିକୋଣରୁ ଭାରତ-ଆମେରିକା ସମ୍ପର୍କକୁ ମଜବୁତ କରୁଥିବା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ବିବେଚନା କରାଯାଉଛି। ବୈଦେଶିକ ମନ୍ତ୍ରଣାଳୟ ଅନୁସାରେ, ଆଗ୍ରା ଭ୍ରମଣ ସମୟରେ ପାହାଲଗାମ ଆତଙ୍କବାଦୀ ଆକ୍ରମଣର ଖବର ମିଳିବା ପରେ ଭେନ୍ସ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଫୋନରେ କଥା ହୋଇଥିଲେ। ସେ ଏହି ଆକ୍ରମଣର କଡ଼ା ନିନ୍ଦା କରିବା ସହ ଏହି ଦୁଃଖଦ ମୁହୂର୍ତ୍ତରେ ଗଭୀର ସମବେଦନା ପ୍ରକାଶ କରିଥିଲେ। ସେ କହିଥିଲେ ଯେ ଆମେରିକା ଏହି କଠିନ ସମୟରେ ଭାରତୀୟ ଜନତାଙ୍କ ସହ ଛିଡ଼ା ହୋଇ ରହିଛି। ଆମେରିକା ଆତଙ୍କବାଦ ବିରୁଦ୍ଧରେ ମିଳିତ ଲଢ଼େଇରେ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ପ୍ରସ୍ତୁତ ରହିଛି।