ସ୍ୱାଭାବିକଠୁ ୬ ଡିଗ୍ରୀ ଯାଏ ଅଧିକ ତାତି, ଆରମ୍ଭରୁ ସ୍ଥିତି ଅସମ୍ଭାଳ

ଭୁବନେଶ୍ୱର: ରାଜ୍ୟରେ ଫେବୃଆରୀ ଆରମ୍ଭରୁ ଦେଖା ଦେଲାଣି ଅସମ୍ଭାଳ ତାତି । ଉପାନ୍ତରୁ ଉପକୂଳ ସବୁଠି ଉପରମୁହାଁ ପାରଦ। ବର୍ତ୍ତମାନ ରାଜ୍ୟରେ ସ୍ୱାଭାବିକଠାରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ଅଧିକ ରହିଛି। ବିଶେଷ କରି ଆଭ୍ୟନ୍ତରୀଣ ଓଡ଼ିଶାରେ ଅସମ୍ଭାଳ ସ୍ଥିତି ଆରମ୍ଭ ହେଲାଣି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଫେବୃଆରୀ ମାସରେ ଓଡିଶାର ତାତି ସ୍ୱାଭାବିକଠାରୁ ଅଧିକ ରହିବ। ସେପଟେ ଫେବୃଆରୀ ପ୍ରଥମ ସପ୍ତାହରେ ରାଜଧାନୀର ତାତି ୨୧ ବର୍ଷର ରେକର୍ଡ ଭାଙ୍ଗିଛି। ମେଘମୁକ୍ତ ଆକାଶ ସହ ସୂର୍ଯ୍ୟଙ୍କ ତେଜ୍ କିରଣ ପାଇଁ ଟାଇଁ ଟାଇଁ ଖରା ଅନୁଭୂତ ହେଉଛି ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ତେବେ ୨୦୨୪ରୁ ବଳିଯିବ ୨୦୨୫ର ତାତି। ପ୍ରଥମ ସପ୍ତାହରେ ଭୁବନେଶ୍ୱରର ତାପମାତ୍ରା ଛୁଇଁଲା ୩୪.୯ ଡିଗ୍ରୀ। ସାରା ରାଜ୍ୟରେ ଏବେ ଉପରମୁହାଁ ହୋଇଛି ପାରଦ। ଉପକୂଳ ଓଡ଼ିଶା ଅପେକ୍ଷା ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି ଅଧିକ ରହିଛି। ତେବେ ଫେବୃଆରୀ ତୃତୀୟ ସପ୍ତାହ ବେଳକୁ ସ୍ୱାଭାବିକ ଠାରୁ ୧୦ ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ହେବ ତାପମାତ୍ରା। ବର୍ତ୍ତମାନ କିଛି ସ୍ଥାନରେ ସ୍ୱାଭାବିକ ଠାରୁ ୫ ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ତାତି ରେକର୍ଡ ହୋଇଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ବିଶେଷକରି ଝାରସୁଗୁଡା, ସମ୍ବଲପୁର, ବରଗଡ, ବୌଦ୍ଧ, ସୋନପୁର, ବଲାଙ୍ଗୀର, ଗଜପତି ସମେତ ରାଜଧାନୀ ଭୁବନେଶ୍ୱର ଏବଂ କଟକରେ ତାତି ବୃଦ୍ଧି ପାଇଛି। ସେହିପରି ଜାନୁଆରୀ ୨୭ରେ ୫୨ ବର୍ଷର ରେକର୍ଡ ଭାଙ୍ଗିଛି କୋରାପୁଟର ତାତି। ଏହାସହ ୧୯୭୩ରୁ ୨୦୨୫ ମସିହା ମଧ୍ୟରେ ଭବାନୀପାଟଣାରେ ଜାନୁଆରୀ ୩୧ ତାରିଖ ଦିନ ଦ୍ୱିତୀୟ ସର୍ବାଧିକ ତାପମାତ୍ରା ୩୪ ଡିଗ୍ରୀ ରେକର୍ଡ ହୋଇଛି। ଗତବର୍ଷ ଏପ୍ରିଲ ମାସରେ ପ୍ରଥମଥର ପାଇଁ ରାଜଧାନୀରେ ଲଗାତର ୧୬ ଦିନ ଧରି ୪୦ ଡିଗ୍ରୀରୁ ଅଧିକ ତାପମାତ୍ରା ଅନୁଭୂତ ହେବା ସହ ଏକ ବିରଳ ରେକର୍ଡ ସ୍ଥାପନ ହୋଇଥିଲା। ଆସନ୍ତା ୭ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ। ୭ ଦିନ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ। ବର୍ଷାର ସମ୍ଭାବନା ନାହିଁ। ୩ ଦିନ ଅଧିକାଂଶ ଜିଲ୍ଲାରେ ଘନ କୁହୁଡ଼ି ରହିବାର ସମ୍ଭାବନା ରହିଛି। ସେପଟେ ବର୍ତ୍ତମାନ ଉପକୂଳରେ ଦିନ ତାପମାତ୍ରା ସ୍ୱାଭାବିକ ରହିଥିବା ବେଳେ ଆଭ୍ୟନ୍ତରୀଣ ଓଡିଶାରେ ସ୍ୱାଭାବିକ ଠାରୁ ୪ରୁ ୫ ଡିଗ୍ରୀ ଅଧିକା ରହିଛି। ତାପମାତ୍ରା ବୃଦ୍ଧି ସହ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଘନକୁହଡ଼ି ଅନୁଭୂତ ହେବ। ୨୪ ଘଣ୍ଟା ପର୍ଯ୍ୟନ୍ତ ଘନକୁହୁଡି ନେଇ ୧୨ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ବିଶେଷ କରି ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ଯାଜପୁର, କେନ୍ଦୁଝର, ଅନୁଗୋଳ, ଢେଙ୍କାନାଳ, ନୟାଗଡ, ଖୋର୍ଦ୍ଧା ଏବଂ ଗଞ୍ଜାମ ଜିଲ୍ଲାକୁ ସତର୍କତା ଜାରି କରାଯାଇଛି ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

Related Articles

Leave a Reply

Your email address will not be published. Required fields are marked *

Back to top button