ଭାରତ ମଣ୍ଡପମ୍ ଠାରେ ‘ଅତି ବିଶିଷ୍ଟ ରେଳ ସେବା ପୁରସ୍କାର’ ପ୍ରଦାନ କଲେ କେନ୍ଦ୍ର ରେଳ ମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ରେଳ, ଯୋଗାଯୋଗ ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଶୁକ୍ରବାର ଦିନ ସାରା ଦେଶର ବିଭିନ୍ନ ଜୋନ୍ / ଡିଭିଜନ୍, ଉତ୍ପାଦନ ୟୁନିଟ୍ ଏବଂ ରେଳବାଇ ପିଏସୟୁର ୧୦୦ ଜଣ ରେଳ କର୍ମଚାରୀଙ୍କୁ ସେମାନଙ୍କ ଉତ୍କୃଷ୍ଟ ସେବା ପାଇଁ ‘ଅତି ବିଶିଷ୍ଟ ରେଳ ସେବା ପୁରସ୍କାର’ (ଏଭିଆର୍ଏସ୍ପି) ପ୍ରଦାନ କରିଛନ୍ତି । ରେଳ କର୍ମଚାରୀ ମାନଙ୍କ ମଧ୍ୟରେ ସର୍ବୋତ୍ତମ ଅଭ୍ୟାସକୁ ପ୍ରୋତ୍ସାହିତ କରିବା ପାଇଁ ସେ ୨୧ଟି ଶିଲ୍ଡ ମଧ୍ୟ ପ୍ରଦାନ କରିଥିଲେ । ନୂଆଦିଲ୍ଲୀର ପ୍ରଗତି ମଇଦାନସ୍ଥିତ ଭାରତ ମଣ୍ଡପମ୍ ଠାରେ ଆୟୋଜିତ ୬୮ତମ ରେଳ ସପ୍ତାହ କେନ୍ଦ୍ରୀୟ ସମାରୋହରେ ଏହି ପୁରସ୍କାର / ଶିଲ୍ଡ ପ୍ରଦାନ କରାଯାଇଥିଲା । ଏହି ଅବସରରେ ରେଳବାଇ ବୋର୍ଡର ଅଧ୍ୟକ୍ଷ ଓ ସିଇଓ ଓ ରେଳବାଇ ବୋର୍ଡର ସଦସ୍ୟ, ଜୋନାଲ ରେଳବାଇର ଜେନେରାଲ ମ୍ୟାନେଜର ଏବଂ ରେଳବାଇର ଉତ୍ପାଦନ ୟୁନିଟ୍ ଏବଂ ରେଳବାଇର ପିଏସ୍ୟୁର ମୁଖ୍ୟମାନେ ଉପସ୍ଥିତ ଥିଲେ ।
ପୁରସ୍କାର ପ୍ରଦାନ ପରେ ଆୟୋଜିତ ସମାବେଶକୁ ସମ୍ବୋଧିତ କରି କେନ୍ଦ୍ର ରେଳ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ସମସ୍ତ ପୁରସ୍କାର ବିଜେତାଙ୍କୁ ସେମାନଙ୍କ ଅସାଧାରଣ କାର୍ଯ୍ୟ ଓ ପ୍ରୟାସ ପାଇଁ ଅଭିନନ୍ଦନ ଜଣାଇଥିଲେ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ରେଳବାଇରେ ଦ୍ରୁତ ଗତିରେ ପରିବର୍ତ୍ତନମୂଳକ କାର୍ଯ୍ୟ ଚାଲିଛି ବୋଲି ସେ କହିଛନ୍ତି । ଗତ ୪୦ ବର୍ଷ ତୁଳନାରେ ସାଢ଼େ ୯ ବର୍ଷରେ ଅଧିକ ବିଦ୍ୟୁତିକରଣ କରାଯାଇଛି । ଏହି ପରିବର୍ତ୍ତନ ପଛରେ ବଡ଼ ଚିତ୍ର ହେଉଛି, ଯେତେବେଳେ ୨୦୧୫ରେ ପ୍ରଧାନମନ୍ତ୍ରୀ ରେଳ ବଜେଟକୁ ସାଧାରଣ ବଜେଟ ସହିତ ମିଶ୍ରଣ କରିଥିଲେ, ସେତେବେଳେ ରେଳ ଅନୁଦାନ ଉପରେ ପୂର୍ବରୁ ଦେବାକୁ ଥିବା ସୁଧ / ପୁଞ୍ଜି ଶୁଳ୍କର ଆବଶ୍ୟକତା ନଥିଲା ଏବଂ ଏହା ରେଳବାଇ ପାଇଁ ସମସ୍ତ ଆର୍ଥିକ ପ୍ରତିବନ୍ଧକ ଦୂର କରିଥିଲା । ରେଳବାଇ ପାଇଁ ସବୁଠାରୁ ବଡ଼ ସମସ୍ୟା ଥିବା ପୁଞ୍ଜି ନିବେଶର ଅଭାବ ଏବେ ଅତୀତର କଥା ପାଲଟିଛି ।
କେନ୍ଦ୍ର ମନ୍ତ୍ରୀ ଏହା କହିଛନ୍ତି ଯେ, ରେଳବାଇ ପ୍ରତି ଲୋକ ମାନଙ୍କର ଆଶା ଏବେ ପୂରଣ ହେଉଛି । ପ୍ରଧାନମନ୍ତ୍ରୀ ବାରମ୍ବାର କହିଛନ୍ତି ଯେ , ଏହା ରେଳବାଇ ପାଇଁ ସୁବର୍ଣ୍ଣ ସମୟ ଏବଂ ଏହା ପଛରେ ଆପଣମାନେ ସମସ୍ତେ ଶକ୍ତି ଅଟନ୍ତି । ସମସ୍ତ ରେଳ କର୍ମଚାରୀ ମାନଙ୍କ ଏହି ପ୍ରତିବଦ୍ଧତା ସମସ୍ତଙ୍କୁ ଗର୍ବିତ ଅନୁଭବ କରାଏ, କାରଣ ଆମେ ସମସ୍ତେ ଆମ ଦେଶ ପାଇଁ ଏହା କରୁଛୁ । ରେକର୍ଡ ପରିମାଣର କ୍ଷୀପ୍ରତା ଓ ସ୍ତର ଆଧାରରେ ରେଳ ଭିତ୍ତିଭୂମିର ବିକାଶ କରାଯାଉଛି । ଅନେକ ନୂଆ ଜିନିଷ ଘଟୁଛି ଯାହା ଏକ ରଣନୈତିକ ଲକ୍ଷ୍ୟ ହାସଲ କରିବାରେ ସହାୟକ ହେଉଛି ।
ରେଳବାଇ ମାଧ୍ୟମରେ ଲଜିଷ୍ଟିକ୍ ଖର୍ଚ୍ଚରେ ବ୍ୟାପକ ସମ୍ଭାବ୍ୟ ସଞ୍ଚୟ ବିଷୟରେ ଶ୍ରୀ ବୈଷ୍ଣବ କହିଛନ୍ତି ଯେ , ଯଦି ସଡ଼କ ପଥରେ ଏପରି ପରିବହନ କରାଯାଏ, ତେବେ ଇନ୍ଧନ ଖର୍ଚ୍ଚ ସହିତ ଅଧିକ ଖର୍ଚ୍ଚ ମଧ୍ୟ ହୋଇଥାଏ । ଏକ ଆକଳନ ଅନୁଯାୟୀ, ୩୦୦୦ ନିୟୁତ ଟନ୍ ନୂତନ ମାଲ ପରିବହନ ହେବ ଏବଂ ଯଦି ରେଳବାଇ ଏହାର ଅଧା ପାଇବ ତେବେ ଏହା ସମ୍ଭବତଃ ୧୬,୦୦୦ କୋଟି ଲିଟର ଇନ୍ଧନ ସଞ୍ଚୟ କରିବ ଏବଂ ଏହା ମାଧ୍ୟମରେ ୧,୨୮,୦୦୦ କୋଟି ଟଙ୍କା ସଞ୍ଚୟ ହେବ ଯାହା ଦେଶ ପାଇଁ ଏକ ବଡ଼ ଉପଲବ୍ଧି ଏବଂ ସଞ୍ଚୟ ହେବ ।