ସମ୍ବଲପୁରରୁ ଓଡ଼ିଶାର ପ୍ରଥମ ‘ବୋଇଂ ସୁକନ୍ୟା ଷ୍ଟେମ୍ ଲ୍ୟାବ୍’ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ବର: ଜ୍ଞାନ ଓ ବିଜ୍ଞାନର ସମନ୍ୱୟରେ ଓଡ଼ିଶାର ଛାତ୍ରୀମାନେ ଏବେ ସ୍ୱପ୍ନ ଦେଖିବେ ନାହିଁ, ବରଂ ସେହି ସ୍ୱପ୍ନକୁ ବାସ୍ତବରେ ରୂପାନ୍ତରିତ କରିବେ। ପ୍ରଥମ ପର୍ଯ୍ୟାୟରେ ସମ୍ବଲପୁରର ଐତିହାସିକ ଚନ୍ଦ୍ରଶେଖର ବେହେରା(ସିଏସବି) ଜିଲ୍ଲା ସ୍କୁଲ ସମେତ ତିନୋଟି ସ୍ଥାନରେ ଉଦଘାଟିତ ‘ବୋଇଂ ସୁକନ୍ୟା ଷ୍ଟେମ୍ ଲ୍ୟାବ୍’ କେବଳ ଏକ ବିଜ୍ଞାନାଗାର ନୁହେଁ, ବରଂ ଏହା ଆମର କନ୍ୟାରତ୍ନମାନଙ୍କ ପାଇଁ ଆକାଶ ଛୁଇଁବାର ଏକ ଶକ୍ତିଶାଳୀ ମାଧ୍ୟମ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀ ପ୍ରଧାନ ଆଜି ‘ଜାତୀୟ ଶିଶୁ କନ୍ୟା ଦିବସ’ ଅବସରରେ ସମ୍ବଲପୁରର ଐତିହାସିକ ସି.ଏସ.ବି ଜିଲ୍ଲା ସ୍କୁଲର ବାର୍ଷିକୋତ୍ସବ ‘ଜ୍ୟୋତିର୍ଗମୟ’ରେ ଯୋଗଦେବା ସହ ଏହି ଠାରୁ ଆଭାସୀ ମାଧ୍ୟମରେ ‘ବୋଇଂ ସୁକନ୍ୟା ପ୍ରୋଗ୍ରାମ ଷ୍ଟେମ୍ ଲ୍ୟାବ୍’ର ଉଦଘାଟନ କରିଥିଲେ। ସମ୍ବଲପୁରର ସିଏସବି ଜିଲ୍ଲା ହାଇସ୍କୁଲ, ଗୌରଚନ୍ଦ୍ର ହାଇସ୍କୁଲ, ରେଢ଼ାଖୋଲ ଏବଂ ସରକାରୀ ହାଇସ୍କୁଲ କୁଚିଣ୍ଡାରେ ଏହି ଲ୍ୟାବର ଉଦଘାଟନ କରି ଶ୍ରୀ ପ୍ରଧାନ ଖୁସି ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ‘ଜାତୀୟ ଶିଶୁ କନ୍ୟା ଦିବସ’ ଅବସରରେ ଓଡ଼ିଶାର ପ୍ରଥମ ‘ବୋଇଂ ଷ୍ଟେମ ଲ୍ୟାବ୍’ ସମ୍ବଲପୁରରୁ ଆରମ୍ଭ ହୋଇଛି। ଏହି ଲ୍ୟାବରେ ବିଜ୍ଞାନ ସହ ଏରୋସ୍ପେସ୍ ସମ୍ବନ୍ଧୀୟ ଶିକ୍ଷା ଏବଂ ପାଇଲଟ୍ ହେବା ପାଇଁ ଆବଶ୍ୟକୀୟ ପ୍ରଶିକ୍ଷଣ ପ୍ରଦାନ କରାଯିବ। ଏହି ଉଦ୍ୟମ ଆମର ଛାତ୍ରଛାତ୍ରୀ, ବିଶେଷ କରି ଛାତ୍ରୀମାନଙ୍କ ମଧ୍ୟରେ ବୈଜ୍ଞାନିକ ଚିନ୍ତାଧାରା ଓ ନବସୃଜନର ନୂତନ ଜ୍ୟୋତି ପ୍ରଜ୍ୱଳିତ କରିବ।



