ସମ୍ବଲପୁର କୃଷି ଭବନର ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ବର: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ‘ଶୀତଳ ଷଷ୍ଠୀ’ର ପବିତ୍ର ଅବସରରେ ସମ୍ବଲପୁରରେ କୃଷି ଭବନର ଉଦଘାଟନ କରିବା ସହ ମୂର୍ତ୍ତିକା ଭବନ ପରିଦର୍ଶନ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏହି ଅବସରରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ସମ୍ବଲପୁର ଏକ କୃଷି ପ୍ରଧାନ ଅଞ୍ଚଳ। ଆଜି ଲୋକାର୍ପିତ ଅତ୍ୟାଧୁନିକ କୃଷି ଭବନ ସମ୍ବଲପୁରର କୃଷି ଗବେଷଣା ସହ କୃଷି କ୍ଷେତ୍ରକୁ ନୂଆ ପରିଚୟ ଦେବା ସହ ଅନ୍ନଦାତାଙ୍କ ଉତ୍ତରୋତ୍ତର ଉନ୍ନତି ଦିଗରେ ବିଶେଷ ସହାୟକ ହେବ। ଏଥିପାଇଁ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ ଆହୁରି କହିଛନ୍ତି ଯେ ଦେଶର ପ୍ରଧାନମନ୍ତ୍ରୀ ମୋଦୀଙ୍କ କଳ୍ପନାରେ ଓଡ଼ିଶାର ଗରିବ, ଚାଷୀ, ମହିଳା, ଯୁବକଙ୍କ କଲ୍ୟାଣ ଏବଂ ଶିଶୁଙ୍କୁ ଉପଯୁକ୍ତ ପୋଷଣ ପ୍ରଦାନ କରିବା ଦିଗରେ ଡବଲ ଇଞ୍ଜିନ ସରକାର ସମର୍ପିତ । ନୂଆ ସରକାରର ଶାସନକୁ ଏକ ବର୍ଷ ପୂର୍ତ୍ତି ହେବାକୁ ଯାଉଛି । ଲମ୍ବା ସମୟ ଧରି ଓଡ଼ିଶାର ଥିବା ଆବଶ୍ୟକତାକୁ ଡବଲ ଇଞ୍ଜିନ ସରକାର ପୂରଣ କରୁଛନ୍ତି । ପୂର୍ବ ସରକାର ସୋହେଲାରେ ଧାନ ଉପରେ ୧୦୦ ଟଙ୍କା ଅତିରିକ୍ତ ବୋନସ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ତାହାକୁ ପୂରଣ କରିନଥିଲେ । ବିଜେପି ନେତୃତ୍ୱାଧୀନ ରାଜ୍ୟ ସରକାର ଇନପୁଟ ସବସିଡିକୁ ମିଶାଇ ଧାନର ଏମଏସପି କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କାକୁ ବୃଦ୍ଧି କରାଯାଇଛି । ରାଜ୍ୟର ଖରିଫ ଓ ରବି ଧାନ ସଂଗ୍ରହ ପ୍ରାୟ ୯୦ ହଜାରରୁ ୧ ଲକ୍ଷ ମେଟ୍ରିକ୍ ଟନ କିଣାଯାଉଛି । ରାଜ୍ୟ ସରକାର ଧାନ କିଣା ବାବଦକୁ ନିଜସ୍ୱ ବଜେଟରୁ ପ୍ରାୟ ୮୦୦୦ କୋଟି ଟଙ୍କା ଚାଷୀମାନଙ୍କୁ ଦେଉଛନ୍ତି । ସୁଭଦ୍ରା ଯୋଜନାରେ ପ୍ରାୟ ଏକ କୋଟି ମାଆ ଭଉଣୀମାନଙ୍କୁ ୧୦,୦୦୦ କୋଟି ଦିଆଯାଇଛି, ଯାହା ସେମାନଙ୍କୁ ସଶକ୍ତ କରିଛି । ହିତାଧିକାରୀମାନଙ୍କୁ ଡିବିଟି ଜରିଆରେ ସିଧାସଳଖ ସହାୟତା ରାଶି ପ୍ରଦାନ ସହ ବିଭିନ୍ନ କଲ୍ୟାଣକାରୀ ଯୋଜନା ଓଡ଼ିଶାର ବିକାଶ ଗତିକୁ ତ୍ୱରାନ୍ୱିତ କରୁଛି । ସ୍କୁଲ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ସହ ସେମାନଙ୍କୁ ପୁଷ୍ଟିକର ଖାଦ୍ୟ ଦେଇ ଶାରିରୀକ ଓ ମାନସିକ ସ୍ୱାସ୍ଥ୍ୟକୁ ବିକଶିତ କରିବାର ଦାୟିତ୍ୱ ନିଆଯାଇଛି । ଶ୍ରୀ ପ୍ରଧାନ ଏହି ଅବସରରେ ସମ୍ବଲପୁର କୃଷି ଭବନ ପରିସରରେ “ମାଆ ପାଇଁ ଗଛଟିଏ” ଅଭିଯାନରେ ବୃକ୍ଷରୋପଣ କରିଥିଲେ । ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ଗ୍ରାମୀଣ ବିକାଶ ଓ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ ଏବଂ ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ଉପସ୍ଥିତ ଥିଲେ ।

Related Articles

Leave a Reply

Your email address will not be published. Required fields are marked *

Back to top button