ଇସ୍ପାତ କ୍ଷେତ୍ରରେ ପ୍ରଗତି ଲାଗି ଭୁବନେଶ୍ୱରରେ ଚିନ୍ତନ ଶିବିରକୁ ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ଵର: ଭାରତର ଇସ୍ପାତ କ୍ଷେତ୍ରର ଭବିଷ୍ୟତ ପ୍ରଗତି ନିମନ୍ତେ ଗହନ ବିଚାରବିମର୍ଶ କରିବା ଉଦ୍ଦେଶ୍ୟରେ ଆଜି ଠାରୁ ଭୁବନେଶ୍ୱର ଠାରେ ଦୁଇ ଦିନିଆ ଚିନ୍ତନ ଶିବିର ଆରମ୍ଭ ହୋଇଛି। କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଏଚ. ଡି କୁମାର ସ୍ୱାମୀ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି। ଉଦଘାଟନୀ କାର୍ଯ୍ୟକ୍ରମରେ କେନ୍ଦ୍ର ଇସ୍ପାତ ରାଷ୍ଟ୍ର ମନ୍ତ୍ରୀ ଭୂପତିରାଜୁ ଶ୍ରୀନିବାସ ବର୍ମା, ଓଡ଼ିଶା ସରକାରଙ୍କ ଶିଳ୍ପ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା, କେନ୍ଦ୍ର ଇସ୍ପାତ ମନ୍ତ୍ରଣାଳୟ ସଚିବ ସନ୍ଦୀପ ପୌଣ୍ଡ୍ରିକ ପ୍ରମୁଖ ଉପସ୍ଥିତ ଥିଲେ। ଏମାନଙ୍କ ବ୍ୟତୀତ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଗଣ, ସେଲ୍‌, ଏନଏମଡିସି, ଏମଓଆଇଏଲ, ମେକନ, ଏମଏସଟିସି ଆଦି କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗର ମୁଖ୍ୟ, ଆଇଏନଏସଡିଏଜି, ଆଇଏସସିଏ, ବିଆଇଏସଏଜି ଆଦିର ବିଶେଷଜ୍ଞଙ୍କ ସମେତ ଟାଟା ଷ୍ଟିଲ୍‌, ଜେଏସଡବ୍ଲୁ ଭଳି ଘରୋଇ ଶିଳ୍ପସଂସ୍ଥାର ପ୍ରତିନିଧିମାନେ ଶିବିରରେ ଯୋଗ ଦେଇଛନ୍ତି।କେନ୍ଦ୍ର ମନ୍ତ୍ରୀ ଏଚ.ଡି କୁମାରସ୍ୱାମୀ ତାଙ୍କର ଅଭିଭାଷଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତାଙ୍କର ରଣନୀତିକ ନେତୃତ୍ୱ ଲାଗି କୃତଜ୍ଞତା ବ୍ୟକ୍ତ କରିଥିଲେ ଏବଂ କହିଥିଲେ, ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନରେ ଭାରତର ଘରୋଇ ଇସ୍ପାତ  ଶିଳ୍ପ ଦୃଢ଼ତା ଏବଂ ବିକାଶ ମାର୍ଗରେ ଅଗ୍ରସର ହେଉଛି। ସେ ରାଷ୍ଟ୍ର ନିର୍ମାଣରେ ଇସ୍ପାତ କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ଭୂମିକାର ଅବତାରଣା କରିଥିଲେ ଏବଂ କ୍ଷମତାକୁ ସୁଦୃଢ଼ କରିବା ଲାଗି ସରକାରଙ୍କର ପ୍ରତିବଦ୍ଧତାକୁ ଦୋହରାଇଥିଲେ। ପ୍ରତିଦ୍ୱନ୍ଦ୍ୱୀ କ୍ଷମତା ବୃଦ୍ଧି କରିବା ଏବଂ ପରିଚାଳନାଗତ ଉତ୍କର୍ଷତା ହାସଲ ଲାଗି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ମେସିନ ଲର୍ଣ୍ଣିଂ ଏବଂ ଡିଜିଟାଲକରଣ ଭଳି ପ୍ରଯୁକ୍ତିବିଦ୍ୟାକୁ ଗ୍ରହଣ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। କେନ୍ଦ୍ର ମନ୍ତ୍ରୀ ଗବେଷଣା ଏବଂ ବିକାଶରେ ନିରନ୍ତର ନିବେଶର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରି କହିଥିଲେ, ସମସ୍ତ ଅଂଶୀଦାରଙ୍କ ସାମୂହିକ ପ୍ରୟାସ ଭାରତର ଇସ୍ପାତ ଶିଳ୍ପର ସାମଗ୍ରିକ ଅଭିବୃଦ୍ଧି ଏବଂ ପ୍ରତିଦ୍ୱନ୍ଦ୍ୱୀ କ୍ଷମତା ସୁନିଶ୍ଚିତ କରିବ, ଯାହା ଦେଶର ପ୍ରଗତିରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେବ।

Related Articles

Leave a Reply

Your email address will not be published. Required fields are marked *

Back to top button