ଦେବଗଡ଼ରେ ଗଣେଶ ପୂଜା ମଣ୍ଡପ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର: ଗଣେଶ ପୂଜା ସାମାଜିକ, ଧାର୍ମିକ ଓ ସାଂସ୍କୃତିକ ସମନ୍ୱୟର ପ୍ରତୀକ ବୋଲି ଦେବଗଡ଼ର ବିଭିନ୍ନ ସ୍ଥାନରେ ଆୟୋଜିତ ଗଣେଶ ପୂଜାରେ ସାମିଲ ହେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀ ପ୍ରଧାନ ଦେବଗଡ଼ରେ ଜିଲ୍ଲା ବ୍ୟବସାୟୀ ସଂଘ ପକ୍ଷରୁ ଆୟୋଜିତ ୭୬ ତମ ସାର୍ବଜନୀନ ଗଣେଶ ମେଳାରେ ସାମିଲ ହେବା ସହ ବିଭିନ୍ନ ପୂଜା ମଣ୍ଡପ ବୁଲି ଦର୍ଶନ କରିଛନ୍ତି। ‘ଶ୍ରୀ ଗଣେଶ ଚତୁର୍ଥୀ’ର ଶୁଭେଚ୍ଛା ଜଣାଇବା ସହ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଗଣେଶ ପୂଜା ସାମାଜିକ ଐକ୍ୟ ଓ ସାମୟିକ ପ୍ରଗତିର ବିଶେଷ ଆକର୍ଷଣ । ଦେବଗଡ଼ରେ ଗଣେଶ ପୂଜାକୁ ନେଇ ଲୋକମାନଙ୍କ ମଧ୍ୟରେ ବିଶେଷ ଆଗ୍ରହ ଓ ଉତ୍ସାହ ଅଛି । ସବୁଠି ଅଧ୍ୟାତ୍ମିକ ବାତାବରଣ ତିଆରି ହୋଇଛି। ଶ୍ରୀଗଣେଶ ପୂଜାର ପରମ୍ପରାକୁ ଆକର୍ଷଣୀୟ ଭାବେ ଲମ୍ବା ସମୟ ଧରି ଆୟୋଜନ ହୋଇ ଆସୁଥିବାରୁ ଶ୍ରୀ ପ୍ରଧାନ ସମସ୍ତ ପୂଜା କମିଟିର ସଦସ୍ୟମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ବିଘ୍ନହର୍ତା ଭଗବାନ ଶ୍ରୀଗଣେଶଙ୍କ ଆଶୀର୍ବାଦ ସମସ୍ତଙ୍କ ଜୀବନରେ ଖୁସି ଓ ଉଲ୍ଲାସ ଓ ସମୃଦ୍ଧି ଆଣିଦେବା ନେଇ ସେ ପ୍ରାର୍ଥନା କରିଛନ୍ତି । ଶ୍ରୀ ପ୍ରଧାନ ଆହୁରି କହିଥିଲେ ଯେ ୧୯୩୬ ମସିହା ଏପ୍ରିଲ ମାସ ପହିଲାରେ ଓଡ଼ିଶା ଭାଷାଭିତ୍ତିକ ରାଜ୍ୟ ଭାବେ ସ୍ୱତନ୍ତ୍ର ପ୍ରଦେଶ ଗଠନ କରିଥିଲା । ଏହାକୁ ରୂପ ଦେବାରେ ଦିଗରେ ବାମଣ୍ଡା ରାଜା ସାର୍ ବାସୁଦେବ ସୁଢଳଦେବଙ୍କ ଅବଦାନ ଚିର ସ୍ମରଣୀୟ। ଏହା ତାଙ୍କର ପ୍ରଗତିଶୀଳ ଦୂରଦୃଷ୍ଟି ନେତୃତ୍ୱର ପ୍ରତିଫଳନ। ଓଡ଼ିଆ ସାହିତ୍ୟରେ ତାଙ୍କର ପ୍ରତ୍ୟକ୍ଷ ଦିଗଦର୍ଶନ କାରଣରୁ ଓଡ଼ିଶାର ମର୍ଯ୍ୟାଦା ବୃଦ୍ଧି ପାଇଥିଲା । ଦେବଗଡ଼ରେ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତିକୁ ନେଇ ସମସ୍ତଙ୍କ ଉଦ୍ୟମରେ ଏକ ମ୍ୟୁଜିୟମ କରିବା। ଏହା ସହ ଜିଲ୍ଲାରେ ଅନେକ ପୁରାତନ ମନ୍ଦିର ଅଛି। ଦେବଗଡ଼ରେ ସାଂସ୍କୃତିକ ଓ ପର୍ଯ୍ୟଟନ ବିକାଶକୁ ଆଗେଇ ନେବା ଦିଗରେ ସେହି ସବୁ ମନ୍ଦିରର ବିକାଶ କରିବା ଉପରେ ଦୃଷ୍ଟି ଦେବା ଦିଗରେ ଶ୍ରୀ ପ୍ରଧାନ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button