ଗଣେଶ ପୂଜାରେ ଛାତ୍ରଛାତ୍ରୀମାନଙ୍କ ସହ ପ୍ରସାଦ ସେବନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର: ଅନୁଗୋଳ ଗସ୍ତରେ ଥିବା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଧବାର ଅଗ୍ରପୂଜ୍ୟ ‘ଶ୍ରୀଗଣେଶ ପୂଜା’ ଅବସରରେ କଣିହାଁ ସ୍ଥିତ ପିଏମ୍ ଶ୍ରୀ ପବିତ୍ର ମୋହନ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସମେତ ଅନେକ ସ୍ଥାନରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିଛନ୍ତି । ଏହି ଗସ୍ତକାଳରେ ଶ୍ରୀ ପ୍ରଧାନ ପ୍ରଥମେ ତାଳଚେର କଣିହାଁ ଠାରେ ‘ପ୍ରଜାମଣ୍ଡଳ ଭବନ’ ସ୍ଥାପନା ପାଇଁ ଭୂମିପୂଜନ କରିଥିଲେ । ପରେ ପିଏମ୍ ଶ୍ରୀ ପବିତ୍ର ମୋହନ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରାୟ ୫ କୋଟି ୮ ଲକ୍ଷ ଟଙ୍କା ବ୍ୟୟର ବିଭିନ୍ନ ପ୍ରକଳ୍ପର ଉଦଘାଟନ ସହ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଛାତ୍ରଛାତ୍ରୀମାନଙ୍କ ସହ ଏକାଠି ନବନିର୍ମିତ ଭୋଜନାଳୟରେ ବସି ମଧ୍ୟାହ୍ନ ଭୋଜନରେ ପ୍ରସାଦ ସେବନ କରିଥିଲେ ଶ୍ରୀ ପ୍ରଧାନ । ଶେଷରେ କଣିହାଁ ସ୍ଥିତ ଡ଼ିଏମଏଫ ପାଣ୍ଠିରୁ ନିର୍ମିତ ହୋଇଥିବା ଟିକିରା ନଦୀ ବ୍ରିଜର ଉଦଘାଟନ କରିଥିଲେ । ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି, ଓଡ଼ିଶାର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ପ୍ରଜାମଣ୍ଡଳ ଆନ୍ଦୋଳନର ପୁରୋଧା ସ୍ୱର୍ଗତ ପବିତ୍ର ମୋହନ ପ୍ରଧାନଙ୍କ ସ୍ମୃତିରେ ‘ପ୍ରଜାମଣ୍ଡଳ ଭବନ’ ନିର୍ମାଣ ହେବା ନେଇ ଚାଳଚେରବାସୀଙ୍କ ଆଗ୍ରହ ଥିଲା। ଖୁବ ଶୀଘ୍ର ଏହାର ନିର୍ମାଣ ହେବ । ଆଗାମୀ ଦିନରେ ଏହି ଭବନ ଯୁବପିଢିଙ୍କୁ ପ୍ରଜାମଣ୍ଡଳ ଆନ୍ଦୋଳନ ଇତିହାସର ଗୌରବଗାଥାକୁ ଉଜାଗର କରିବ । ସେହିପରି ପିଏମ୍ ଶ୍ରୀ ପବିତ୍ର ମୋହନ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଶିକ୍ଷାନୁଷ୍ଠାନର ନୂତନ ଅତିରିକ୍ତ ଶ୍ରେଣୀଗୃହ, ନବନିର୍ମିତ ରୋଷେଇ ଘର ସହିତ ଭୋଜନାଳୟର ଶୁଭାରମ୍ଭ ହୋଇଥିବା ବେଳେ ୧୦୦ ଶଯ୍ୟା ବିଶିଷ୍ଟ ନୂତନ ଛାତ୍ରାବାସ ଓ ବିଜ୍ଞାନ ପ୍ରୟୋଗଶାଳା ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି । ଏହି ପ୍ରକଳ୍ପ ପାଇଁ ଅଟକଳ ପରିମାଣ ହେଉଛି ପ୍ରାୟ ୫ କୋଟି ୮ ଲକ୍ଷ ଟଙ୍କା । ଜିନ୍ଦଲ, ଏମସିଏଲ ଏବଂ ଏନଟିପିସିର ସିଏସଆର ପ୍ରକଳ୍ପ ଅନ୍ତର୍ଗତ ଉଦଘାଟିତ ଓ ଶିଳାନ୍ୟାସ ହୋଇଥିବା ବିକାଶମୂଳକ ପ୍ରକଳ୍ପଗୁଡ଼ିକ ଦ୍ୱାରା ଛାତ୍ରଛାତ୍ରୀମାନେ ବିଶେଷ ଭାବରେ ଉପକୃତ ହେବେ । ଜାତୀୟ ଶିକ୍ଷା ନୀତି ମାଧ୍ୟମରେ ଗୁଣାତ୍ମକ ଶିକ୍ଷା ସହ ଛାତ୍ରଛାତ୍ରୀଙ୍କୁ ଉପଯୁକ୍ତ ସୁବିଧା ପ୍ରଦାନ କରିବା ଆମର ସର୍ବୋଚ୍ଚ ପ୍ରାଥମିକତାରେ ରହିଛି । ସ୍କୁଲର ଉତ୍ତରୋତ୍ତର ଉନ୍ନତି ସହ ଶ୍ରୀ ପ୍ରଧାନ ଅଧ୍ୟୟନରତ ସମସ୍ତ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି । ଅପରପକ୍ଷରେ ଉଦଘାଟିତ ‘ଟିକିରା ନଦୀ ବ୍ରିଜ’ ସ୍ଥାନୀୟ ଅଞ୍ଚଳରେ ଯୋଗାଯୋଗ ଭିତ୍ତିଭୂମି, ବାଣିଜ୍ୟ ବ୍ୟବସାୟ, ପର୍ଯ୍ୟଟନ ଏବଂ ଆର୍ଥିକ ଅଭିବୃଦ୍ଧିକୁ ମଜଭୂତ୍ କରିବ ବୋଲି ଶ୍ରୀ ପ୍ରଧାନ ମତପ୍ରକାଶ କରିଛନ୍ତି । ଏହି ଗସ୍ତକାଳରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ କଣିହାଁ ଠାରେ ତାଳଚେର ପ୍ରଜାମଣ୍ଡଳ ଆନ୍ଦୋଳନର ପୁରୋଧା ସ୍ୱର୍ଗତ ପବିତ୍ର ମୋହନ ପ୍ରଧାନଙ୍କ ପ୍ରତିମୂର୍ତ୍ତି ଓ ତାଳଚେର ପ୍ରଜାମଣ୍ଡଳ ଶହୀଦ ସ୍ମୃତି ସ୍ତମ୍ଭରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଗସ୍ତ କାଳରେ କେନ୍ଦ୍ରମନ୍ତ୍ରୀଙ୍କୁ କଣିହାଁର ବିଭିନ୍ନ ସ୍ଥାନରେ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା ।