କେନ୍ଦ୍ରୀୟ ବିଦ୍ୟାଳୟ ଅସ୍ଥାୟୀ କ୍ୟାମ୍ପସର ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର: ଶିକ୍ଷା କ୍ଷେତ୍ରରେ ଆଠମଲ୍ଲିକ ହେଉଛି ଅଗ୍ରଣୀ ଅଞ୍ଚଳ । ସେହି ପରମ୍ପରାକୁ ଆଗକୁ ନେବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନରେ ଆଠମଲ୍ଲିକ ସବଡିଭିଜନରେ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲାଯିବାର ଜନ ଆକାଂକ୍ଷା ଆଜି ପୂରଣ ହୋଇଛି ବୋଲି ଏହାର ଅସ୍ଥାୟୀ କ୍ୟାମ୍ପସର ଲୋକାର୍ପଣ ଓ ସ୍ଥାୟୀ କ୍ୟାମ୍ପସର ଉଦଘାଟନ କରିବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଗୁରୁବାର ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ଠାରେ କେନ୍ଦ୍ରୀୟ ବିଦ୍ୟାଳୟ, ଆଠମଲ୍ଲିକର ଅସ୍ଥାୟୀ କ୍ୟାମ୍ପସର ଲୋକାର୍ପଣ କରିବା ସହ ଟାଙ୍ଗିଆନିଶା ଠାରେ ଏହାର ସ୍ଥାୟୀ କ୍ୟାମ୍ପସ ପାଇଁ ଭୂମିପୂଜନ କରିଛନ୍ତି । ଏହି ଅବସରରେ ଶ୍ରୀ ପ୍ରଧାନ ଓଡ଼ିଶା ସରକାରଙ୍କ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଥିଲେ । କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଆଠମଲ୍ଲିକରେ ରାଜ୍ୟ ସରକାରଙ୍କ ତରଫରୁ ପାଖାପାଖି ୧୦୯ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ପ୍ରକଳ୍ପ ଶିଳାନ୍ୟାସ ଏବଂ ଉଦଘାଟନ ହୋଇଛି । ଟାଙ୍ଗିଆନିଶା ଠାରେ କେନ୍ଦ୍ରୀୟ ବିଦ୍ୟାଳୟ, ଆଠମଲ୍ଲିକ ନିର୍ମାଣ ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ପ୍ରାୟ ୩୦ କୋଟି ଟଙ୍କା ମଞ୍ଜୁର ହୋଇଛି । ଏଠାରେ ବହୁତ ଦିନରୁ କେନ୍ଦ୍ରୀୟ ବିଦ୍ୟାଳୟ କରିବା ପାଇଁ ଗୁରୁଜନ, ବୁଦ୍ଧିଜୀବୀ ଏବଂ ଯୁବସମାଜର ଅପେକ୍ଷା ରହିଥିଲା । ଆଜି ଉଦଘାଟିତ ଓ ଶିଳାନ୍ୟାସ ହୋଇଥିବା ପ୍ରାୟ ୧୩୯ କୋଟି ଟଙ୍କାର ପ୍ରକଳ୍ପ ଆଠମଲ୍ଲିକରେ ଶିକ୍ଷା ଓ ଯୋଗାଯୋଗ ଭିତ୍ତିଭୂମିକୁ ସୁଦୃଢ କରିବ । ଏହି ବିଦ୍ୟାଳୟ ଦ୍ୱାରା ସ୍ଥାନୀୟ ଅଞ୍ଚଳର ପିଲାମାନେ ବିଶେଷ ଉପକୃତ ହେବେ । ଏହାର ଏବେ ଅସ୍ଥାୟୀ କ୍ୟାମ୍ପସରେ ଚଳିତ ଶିକ୍ଷା ବର୍ଷ ଠାରୁ ଶିଶୁବଟିକା ଆରମ୍ଭ ସହ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୨୦୦ ଜଣରୁ ଅଧିକ  ଛାତ୍ରଛାତ୍ରୀମାନଙ୍କୁ ପାଠ ପଢାଯିବ । ଶ୍ରୀ ପ୍ରଧାନ କହିଛନ୍ତି ଡବଲ ଅଞ୍ଜିନ ସରକାରରେ ଆଠମଲ୍ଲିକରେ ଚାଷ ଓ ଜଳସେଚନକୁ ସୁବ୍ୟବସ୍ଥିତ କରାଯିବ । ଘର ଘରକୁ ପାଇପ ଯୋଗେ ପାନୀୟ ଜଳ ଯୋଗାଯିବ । ଏଠାରେ ପର୍ଯ୍ୟଟନର ବିକାଶ କରାଯିବ ସହ ଚାଷୀମାନଙ୍କ ଜୀବନରେ ଉନ୍ନତି ଅଣାଯିବ । ଆଠମଲ୍ଲିକକୁ କୃଷି ଆଧାରିତ ଅଞ୍ଚଳରେ ପରିଣତ କରିବା ସହ ସ୍ଥାନୀୟ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଏବଂ ଦକ୍ଷତା ଭିତ୍ତିକ ଶିକ୍ଷା ପ୍ରଦାନ କରିବା ପାଇଁ ଆମେ ସମସ୍ତେ ସହଯୋଗୀ ହେବା । ଆଠମଲ୍ଲିକ ଅଞ୍ଚଳର ବିକାଶ ଆମ ଦାୟିତ୍ୱ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button