ଆଇଆଇଟି ପାଲକ୍କଡର ୭ମ ସମାବର୍ତ୍ତନ ସମାରୋହରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ଆଇଆଇଟି ପଢୁଥିବା ଛାତ୍ରଛାତ୍ରୀଙ୍କ ଉପରେ ଭାରତର ଅଗାଢ଼ ବିଶ୍ୱାସ ଅଛି। ସେମାନେ କେବଳ ଇଞ୍ଜିନିୟରିଂ ସ୍ନାତକ ନୁହଁନ୍ତି ବରଂ ବୁଦ୍ଧିଜୀବୀ ସହ ଅନେକ ଗୁଣର ଅଧିକାରୀ ବୋଲି ଆଜି କେରଳ ସ୍ଥିତ ଆଇଆଇଟି ପାଲକ୍କଡର ସପ୍ତମ ସମାବର୍ତ୍ତନ ସମାରୋହରେ ଯୋଗଦେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀ ପ୍ରଧାନ ସମାବର୍ତ୍ତନ ସମାରୋହରେ ଡିଗ୍ରୀ ଏବଂ ପଦକ ପାଇଥିବା ସ୍ନାତକଧାରୀ ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇବା ସହ କହିଛନ୍ତି ଯେ ଏହି ଅନୁଷ୍ଠାନରେ ପାଠ ପଢୁଥିବା ଛାତ୍ରଛାତ୍ରୀମାନେ ଜୀବନରେ ନୂଆ ବୃତ୍ତିଗତ ଅଧ୍ୟାୟ ଆରମ୍ଭ କରୁଛନ୍ତି। ଆଇଆଇଟି ପାଲକ୍କଡର ଆବେଗ ସହ ସେମାନେ ୨୦୪୭ରେ ବିକଶିତ ଭାରତର କଳ୍ପନାକୁ ଆଗେଇ ନେବା ଦିଗରେ ଯୋଗଦାନ ରଖିବା ଦରକାର। ସେ ଆହୁରି କହିଛନ୍ତି, ୧୦ ବର୍ଷରୁ କମ୍ ସମୟ ମଧ୍ୟରେ ଆଇଆଇଟି ପାଲ୍ଲକଡ ଶିକ୍ଷାଗତ ଉତ୍କର୍ଷତା, ଗବେଷଣା, ନବସୃଜନ ଏବଂ ଉଦ୍ୟମିତା କ୍ଷେତ୍ରରେ ଏକ ଗତିଶୀଳ କେନ୍ଦ୍ରରେ ପରିଣତ ହୋଇଛି, ଯାହା ଅତ୍ୟନ୍ତ ଆନନ୍ଦର ବିଷୟ। ଆଇଆଇଟି ପାଲକ୍କଡ ଭଳି ନୂତନ ଯୁଗର ପ୍ରତିଷ୍ଠାନ ଏକବିଂଶ ଶତାବ୍ଦୀରେ ଭାରତର ଅଭିବୃଦ୍ଧି କାହାଣୀକୁ ଶକ୍ତି ପ୍ରଦାନ କରିବାରେ ଆଗରେ ଅଛନ୍ତି । ଆମେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ମୋଡ଼ରେ ଠିଆ ହୋଇଛୁ। ୨୦୪୭ ସୁଦ୍ଧା ବିକଶିତ ଭାରତର ଲକ୍ଷ୍ୟକୁ ସାକାର କରିବା ଦିଗରେ ଆମକୁ ଆଗକୁ ବଢ଼ିବାକୁ ହେବ। ବିଶ୍ୱମାନର ଭିତ୍ତିଭୂମି ସୃଷ୍ଟି କରିବାକୁ ପଡିବ। ପ୍ରଯୁକ୍ତିବିଦ୍ୟା ଏବଂ ନବସୃଜନରେ ଆତ୍ମନିର୍ଭର ହେବାକୁ ପଡିବ। ଆମର କୃଷି କ୍ଷେତ୍ରକୁ ପ୍ରଯୁକ୍ତିବିଦ୍ୟା ଦୃଷ୍ଟିରୁ ଉନ୍ନତ କରିବାକୁ ପଡିବ। ସ୍ୱଚ୍ଛ ଉର୍ଜା ଏବଂ ଜଳବାୟୁ କାର୍ଯ୍ୟରେ ବିଶ୍ୱ ନେତୃତ୍ୱ ପ୍ରତିଷ୍ଠା କରିବାକୁ ପଡିବ। ଆମକୁ ଅଧିକ ସମାବେଶୀ ଡିଜିଟାଲ୍ ସାର୍ବଜନୀନ ଭିତ୍ତିଭୂମି ସୃଷ୍ଟି କରିବାକୁ ପଡିବ। ଏହି ଲକ୍ଷ୍ୟ ଏବଂ ଅନ୍ୟାନ୍ୟ ଜାତୀୟ ପ୍ରାଥମିକତାକୁ ସାକାର କରିବା ପାଇଁ ଆଗରୁ ନେତୃତ୍ୱ ନେବ ବୋଲି ଶ୍ରୀ ପ୍ରଧାନ ଆଶାବ୍ୟକ୍ତ କରିଛନ୍ତି। ଆଇଆଇଟିର ଛାତ୍ରଛାତ୍ରୀମାନେ ଚତୁର୍ଦ୍ଦଶ ଶତାବ୍ଦୀର ଗଣିତଜ୍ଞ ଏବଂ ଜ୍ୟୋତିର୍ବିଜ୍ଞାନୀ ମାଧବଙ୍କଠାରୁ ପ୍ରେରଣା ନେବା ଦରକାର। ଏହି ପ୍ରେରଣା ନେଇ ସେମାନେ ଆଇଆଇଟିର ଐତିହ୍ୟକୁ ବଢାଇବା ଦରକାର। ଯେମିତିକି ଭାରତ ପାଇଁ ନିର୍ଦ୍ଦିଷ୍ଟ ମଡେଲ ସ୍ଥାପନ କରିବା, ଗବେଷଣା, ନବସୃଜନ ଏବଂ ଉଦ୍ୟମିତା କ୍ଷେତ୍ରରେ ନୂତନ ପଥ ସୃଷ୍ଟି କରିବା ଏବଂ ତାହାର ନେତୃତ୍ୱ ନେବାକୁ ହେବ। ଜାତୀୟ ପ୍ରାଥମିକତା ହାସଲ କରିବା ଏବଂ ଭବିଷ୍ୟତର ମାନଚିତ୍ରକୁ ଚିହ୍ନଟ କରିବା ପାଇଁ ଆଇଆଇଟି ଐତିହ୍ୟର ଆଗକୁ ବଢ଼ାଇବା ଉପରେ ସେ ମତପ୍ରକାଶ କରିଥିଲେ।