୧୭୨୩ କୋଟି ମୂଲ୍ୟର ବିକାଶ ପ୍ରକଳ୍ପର ଉଦଘାଟନ କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ତମ ଜୟନ୍ତୀ ଅବସରରେ କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଅମିତ ଶାହ ନୂଆଦିଲ୍ଲୀରେ ‘‘ସେବା ପକ୍ଷ” ଅଧୀନରେ ଦିଲ୍ଲୀ ସରକାରଙ୍କ ପ୍ରାୟ ୧୭୨୩ କୋଟି ଟଙ୍କାର ବିଭିନ୍ନ ବିକାଶ ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ଅବସରରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ରେଖା ଗୁପ୍ତା, କେନ୍ଦ୍ର ମନ୍ତ୍ରୀ ଶ୍ରୀ ହର୍ଷ ମାଲହୋତ୍ରା ଏବଂ ଅନ୍ୟ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ଶ୍ରୀ ଶାହ ତାଙ୍କ ଅଭିଭାଷଣରେ କହିଥିଲେ ଯେ, ଆଜି ଦେଶର ପ୍ରତ୍ୟେକ ନାଗରିକ ଏବଂ ସାରା ବିଶ୍ୱରେ ଭାରତୀୟ ବଂଶୋଦ୍ଭବ ଲୋକମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୀର୍ଘାୟୁ ଏବଂ ଉତ୍ତମ ସ୍ୱାସ୍ଥ୍ୟ କାମନା କରୁଛନ୍ତି। ନରେନ୍ଦ୍ର ମୋଦୀ ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ, ସେତେବେଳେ ତାଙ୍କ ଜନ୍ମଦିନକୁ ‘ସେବା ପକ୍ଷ” ଭାବେ ପାଳନ କରିବା ଲାଗି ନିଷ୍ପତ୍ତି ନିଆଯାଇଥିଲା। ବିଗତ ୧୧ ବର୍ଷ ଧରି ସମଗ୍ର ଦେଶ ସେପ୍ଟେମ୍ବର ୧୭ ରୁ ଅକ୍ଟୋବର ୨ ପର୍ଯ୍ୟନ୍ତ ସେବା ପକ୍ଷ ପାଳନ କରିଆସୁଛି। ଶ୍ରୀ ଶାହ କହିଥିଲେ ଯେ ସେବା ପକ୍ଷ ଅଧୀନରେ ଗ୍ରାମ ପଞ୍ଚାୟତ, ଜିଲ୍ଲା, ରାଜ୍ୟ ସରକାର ଏବଂ ଭାରତ ସରକାରଙ୍କ ବିଭିନ୍ନ କାର୍ଯ୍ୟାଳୟ କେବଳ ସ୍ୱଚ୍ଛତା ଅଭିଯାନ ଚଳାଇନାହାନ୍ତି, ବରଂ ଗରିବଙ୍କ ପାଇଁ ଅନେକ କଲ୍ୟାଣମୂଳକ ଯୋଜନାର ଶୁଭାରମ୍ଭ ମଧ୍ୟ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଆଜି ସେପ୍ଟେମ୍ବର ୧୭ ତାରିଖରେ ଦିଲ୍ଲୀ ସରକାର ମଧ୍ୟ ସେବା ପକ୍ଷ ଆରମ୍ଭ କରିଛନ୍ତି ଏବଂ ୧୭ଟି ଜନ କଲ୍ୟାଣକାରୀ ଯୋଜନାର ଶୁଭାରମ୍ଭ କରିଛନ୍ତି। ଅମିତ ଶାହ କହିଥିଲେ ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ୍ମଦିନ ଅବସରରେ ସେବା ପକ୍ଷ ଜରିଆରେ ଆମ ସରକାର ପ୍ରତ୍ୟେକ ବ୍ୟକ୍ତିଙ୍କ କଲ୍ୟାଣର ଯତ୍ନ ନେବାର ପରମ୍ପରା ଆରମ୍ଭ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଗତ ୧୧ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ କେବଳ ଦେଶର ୬୦ କୋଟି ଗରିବ ନାଗରିକଙ୍କୁ ସୁବିଧା ପ୍ରଦାନ କରିନାହାଁନ୍ତି ବରଂ ୨୫ କୋଟି ଲୋକଙ୍କୁ ଦାରିଦ୍ର୍ୟ ସୀମାରେଖା ଉପରକୁ ଉଠିବାରେ ମଧ୍ୟ ସାହାଯ୍ୟ କରିଛନ୍ତି। ଶ୍ରୀ ଶାହ କହିଥିଲେ ଯେ ୨୫ କୋଟି ଲୋକଙ୍କୁ ଦାରିଦ୍ର୍ୟ ସୀମାରେଖା ଉପରକୁ ଆଣିବା ଏବଂ ୬୦ କୋଟି ଲୋକଙ୍କୁ ମୌଳିକ ସୁବିଧା ପ୍ରଦାନ କରିବା ଏକ ବହୁତ ବଡ଼ ପ୍ରୟାସ ଏବଂ ସଂକଳ୍ପ। ସେ କହିଥିଲେ ଯେ ସେବା ପକ୍ଷର ଆରମ୍ଭ ଦେଶର ପ୍ରତ୍ୟେକ ଯୁବପିଢ଼ିଙ୍କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜୀବନରୁ ପ୍ରେରଣା ନେବା ଏବଂ ଅନ୍ୟମାନଙ୍କ ସେବାରେ ନିଜକୁ ନିୟୋଜିତ କରିବା ଲାଗି ପ୍ରେରଣା ଯୋଗାଇବ।