ବିଶ୍ୱର ସର୍ବବୃହତ ସମବାୟ ଖାଦ୍ୟଶସ୍ୟ ସଂରକ୍ଷଣ ଯୋଜନାର ସମୀକ୍ଷା କଲେ କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଅମିତ ଶାହ ନୂଆଦିଲ୍ଲୀରେ ବିଶ୍ୱର ସର୍ବବୃହତ ସମବାୟ ଖାଦ୍ୟଶସ୍ୟ ସଂରକ୍ଷଣ ଯୋଜନାର ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଥିଲେ। ଏହି ବୈଠକରେ ସମବାୟ ରାଷ୍ଟ୍ରମନ୍ତ୍ରୀ କ୍ରିଷନ ପାଲ ଗୁର୍ଜର ଏବଂ ମୁରଲୀଧର ମୋହୋଲଙ୍କ ବ୍ୟତୀତ ସମବାୟ, ଖାଦ୍ୟ ଏବଂ ସାଧାରଣ ବଣ୍ଟନ, ଉପଭୋକ୍ତା ବ୍ୟାପାର, ଭାରତୀୟ ଖାଦ୍ୟ ନିଗମ (ଏଫସିଆଇ), ନାବାର୍ଡ, ଜାତୀୟ ସମବାୟ ବିକାଶ ନିଗମ (ଏନସିଡିସି) ଏବଂ ଅନ୍ୟାନ୍ୟ ଅନୁଷ୍ଠାନର ଅଧିକାରୀମାନେ ଉପସ୍ଥିତ ଥିଲେ। ଏହି ବୈଠକକୁ ସମ୍ବୋଧିତ କରି କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ ବିଶ୍ୱର ସର୍ବବୃହତ ଖାଦ୍ୟଶସ୍ୟ ସଂରକ୍ଷଣ ଯୋଜନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ “ସହକାର ସେ ସମୃଦ୍ଧି” ର ସ୍ୱପ୍ନକୁ ସାକାର କରିବା ଦିଗରେ ଏକ ବଡ଼ ପଦକ୍ଷେପ। ସେ କହିଥିଲେ ଯେ ଭାରତରେ ଆର୍ଥିକ ପ୍ରଗତିର ମାପ ପାଇଁ ଦୁଇଟି ପ୍ରମୁଖ ମାନଦଣ୍ଡ ରହିଛି-ମୋଟ ଘରୋଇ ଉତ୍ପାଦ (ଜି.ଡି.ପି) ଏବଂ ନିଯୁକ୍ତି ସୃଷ୍ଟି। ଖାଦ୍ୟ ସଂରକ୍ଷଣ ଯୋଜନା ଏହି ଉଭୟ ଦିଗକୁ ସୁଦୃଢ଼ କରିବା ପାଇଁ ଉଦ୍ଦିଷ୍ଟ, ଯାହାର ଉଦ୍ଦେଶ୍ୟ ପ୍ରାଥମିକ କୃଷି ଋଣ ସମିତି (ପିଏସିଏସ) ର ଆୟ ବୃଦ୍ଧି କରିବା ସହିତ ଗ୍ରାମୀଣ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା। କୃଷି ଭିତ୍ତିଭୂମି ପାଣ୍ଠି (ଏଆଇଏଫ୍) ଅଧୀନରେ ଋଣ ଅବଧି ବୃଦ୍ଧି କରି ପିଏସିଏସ ର ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା ପାଇଁ ତୁରନ୍ତ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ଉପରେ ଶ୍ରୀ ଶାହ ଗୁରୁତ୍ୱାରୋପ କରିଥିଲେ। ଖାଦ୍ୟ ସଂରକ୍ଷଣ ଯୋଜନାରେ ପିଏସିଏସ ର ବ୍ୟାପକ ଯୋଗଦାନ ଉପରେ ଗୁରୁତ୍ୱାରୋପ କରି କେନ୍ଦ୍ର ସମବାୟ ମନ୍ତ୍ରୀ କହିଥିଲେ ଯେ ପିଏସିଏସ କୁ ଏହି ଯୋଜନାର ଏକ ଅବିଚ୍ଛେଦ୍ୟ ଅଙ୍ଗ କରିବା ଆବଶ୍ୟକ, ଯାହାଦ୍ୱାରା ପିଏସିଏସ ର ଆର୍ଥିକ ସାମର୍ଥ୍ୟ ଏବଂ ସାମାଜିକ ପ୍ରଭାବଶୀଳତା ସୁନିଶ୍ଚିତ କରାଯାଇପାରିବ। ସେ ଖାଦ୍ୟ ଏବଂ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ ଏବଂ ଭାରତୀୟ ଖାଦ୍ୟ ନିଗମକୁ ସାରା ଦେଶରେ ଗୋଦାମଗୁଡ଼ିକର ଜାତୀୟ ସ୍ତରୀୟ ମ୍ୟାପିଂ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଯାହା ଦ୍ୱାରା ଆଞ୍ଚଳିକ ଆବଶ୍ୟକତା ଅନୁଯାୟୀ ଯୋଜନାର କାର୍ଯ୍ୟକାରିତା ସୁରୁଖୁରୁରେ କରାଯାଇପାରିବ। ଶ୍ରୀ ଅମିତ ଶାହ ଏଫସିଆଇ, ଏନସିସିଏଫ୍, ନାଫେଡ୍ ଏବଂ ରାଜ୍ୟ ପଣ୍ୟାଗାର ନିଗମଗୁଡ଼ିକୁ ଯଥା ସମ୍ଭବ ଅଧିକ ସଂଖ୍ୟକ ପଣ୍ୟାଗାର ସହିତ ପିଏସିଏସ ଗୁଡ଼ିକୁ ଯୋଡ଼ିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି ବୈଠକରେ ଏହା ମଧ୍ୟ ନିଷ୍ପତ୍ତି ନିଆଯାଇଥିଲା ଯେ ରାଜ୍ୟଗୁଡ଼ିକ ଏହି ଯୋଜନାରେ ନିଜ ସ୍ତରରେ ଅଧିକ ପିଏସିଏସ କୁ ସାମିଲ କରିବା ଉଚିତ ଏବଂ ରାଜ୍ୟ ସ୍ତରୀୟ ବିପଣନ ସଂଘଗୁଡ଼ିକୁ ମଧ୍ୟ ଏହା ସହିତ ଯୋଡ଼ାଯିବା ଆବଶ୍ୟକ, ଯାହାଦ୍ୱାରା ଏକ ସମ୍ପୂର୍ଣ୍ଣ ସମବାୟ ଯୋଗାଣ ଶୃଙ୍ଖଳା ବିକଶିତ ହୋଇପାରିବ। କେନ୍ଦ୍ର ସମବାୟ ମନ୍ତ୍ରୀ ଅମିତ ଶାହ ସମସ୍ତ ସଙ୍ଗଠନକୁ ଏହି ଯୋଜନାକୁ ସମୟୋଚିତ ଏବଂ ପ୍ରଭାବଶାଳୀ ଢଙ୍ଗରେ ସମନ୍ୱୟ ଏବଂ କାର୍ଯ୍ୟକାରୀ କରିବାକୁ ଆହ୍ୱାନ କରିଛନ୍ତି ଯାହା ଦ୍ୱାରା ଏହି ଯୋଜନା ‘ଆତ୍ମନିର୍ଭର ଭାରତ’ ଏବଂ ‘ସହକାର ସେ ସମୃଦ୍ଧି’ ର ଲକ୍ଷ୍ୟ ହାସଲ କରିବାରେ ଏକ ମାଇଲଖୁଣ୍ଟ ଭାବରେ ପ୍ରମାଣିତ ହେବ।