ଦୀକ୍ଷା ୨.୦’ ସମେତ ବିଭିନ୍ନ ଶିକ୍ଷାଗତ ପଦକ୍ଷେପ ଉଦଘାଟନ ଏବଂ ଶୁଭାରମ୍ଭ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

ନୂଆଦିଲ୍ଲୀ: ଏନସିଇଆରଟି ଦେଶର ଶିକ୍ଷାଗତ ଦୃଶ୍ୟପଟ୍ଟର ଏକ ମୂଜଭୂତ୍ ସ୍ତମ୍ଭ । ପ୍ରତିବଦ୍ଧତା ଏବଂ ସମର୍ପଣ ସହିତ ଲମ୍ବା ସମୟ ଧରି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଠନ କରିବାରେ ଏନସିଇଆରଟିର ବଡ ଯୋଗଦାନ ରହିଛି ସୋମବାର ନୂଆଦିଲ୍ଲୀ ଠାରେ ଏନସିଇଆରଟିର ୬୫ତମ ପ୍ରତିଷ୍ଠା ଦିବସରେ ଯୋଗଦେବା ଅବସରରେ ଉଦବୋଧନ ଦେଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ଅବସରରେ ଶ୍ରୀ ପ୍ରଧାନ ‘ଦୀକ୍ଷା ୨.୦’ ସମେତ ବିଭିନ୍ନ ଶିକ୍ଷାଗତ ପଦକ୍ଷେପ ଗୁଡ଼ିକର ଉଦଘାଟନ ଏବଂ ଶୁଭାରମ୍ଭ କରିଥିଲେ। ଆଧୁନିକ ଓଡ଼ିଶାର ବିକାଶ ପାଇଁ ଅବଦାନ ଦେଇଥିବା ଏବଂ ଜାତୀୟ ସ୍ୱାଧୀନତା ଆନ୍ଦୋଳନରେ ଅଂଶଗ୍ରହଣ କରିଥିବା ଓଡ଼ିଶାର ୧୦୦ ଜଣ ମହାନ ବ୍ୟକ୍ତିତ୍ୱଙ୍କ ଜୀବନ ଏବଂ ଅବଦାନ ସମ୍ବଳିତ ଏକ ପୁସ୍ତକ ‘ଉତ୍କଳ ଜନନୀଙ୍କର ସୁଯୋଗ୍ୟ ସନ୍ତାନ’ ଉନ୍ମୋଚନ କରିଥିଲେ ଶ୍ରୀ ପ୍ରଧାନ। କେନ୍ଦ୍ରମନ୍ତ୍ରୀ ଗତ ୬୪ ବର୍ଷ ମଧ୍ୟରେ ରାଷ୍ଟ୍ର ଗଠନରେ ଏନସିଇଆରଟିର ଅବଦାନ ଉପରେ ଆଲୋକପାତ କରିଥିଲେ। ଗତ ତିନି ବର୍ଷ ମଧ୍ୟରେ ଏନସିଇଆରଟି ଦ୍ୱାରା ବିକଶିତ ନୂତନ ପାଠ୍ୟକ୍ରମ, ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଇଁ ନୂତନ ପାଠ୍ୟପୁସ୍ତକ ଏବଂ ଅନ୍ୟାନ୍ୟ ଶିକ୍ଷାଦାନ ସାମଗ୍ରୀ, ବିଶେଷତଃ ଯାଦୁଇ ପିଟାରାର ପ୍ରଶଂସା କରିଥିଲେ ଶ୍ରୀ ପ୍ରଧାନ। ଏନସିଇଆରଟିକୁ ଭାରତୀୟ ଭାଷାରେ ଶିକ୍ଷା, ଗୁଣାତ୍ମକ ଡିଜିଟାଲ୍ ବିଷୟବସ୍ତୁର ବିକାଶ , ବିଜ୍ଞାନ ଏବଂ ଗଣିତରେ ଶିକ୍ଷା ଉପରେ ଧ୍ୟାନ ଦେବାକୁ ଅନୁରୋଧ କରିଥିଲେ। ଏନସିଇଆରଟିକୁ ଏକ ଗବେଷଣା ବିଶ୍ୱବିଦ୍ୟାଳୟରେ ପରିଣତ କରିବା ଦ୍ୱାରା ଦେଶର ଶିକ୍ଷା କ୍ଷେତ୍ର ଅତ୍ୟନ୍ତ ଲାଭବାନ ହେବ ଏବଂ ଶିକ୍ଷାଗତ ଗବେଷଣାରେ ଏନସିଇଆରଟିକୁ ବିଶ୍ୱସ୍ତରୀୟ ଲିଡର ହେବାରେ ସାହାଯ୍ୟ କରିବ। ଶ୍ରୀ ପ୍ରଧାନ କହିଛନ୍ତି ଆମ ଦେଶର ଶିକ୍ଷା ବ୍ୟବସ୍ଥାର କେନ୍ଦ୍ରବିନ୍ଦୁରେ ଏକ ପ୍ରତୀକାତ୍ମକ ଅନୁଷ୍ଠାନ ହେଉଛି ଏନସିଇଆରଟି। ଏହା କେବଳ ଏକ ପ୍ରତିଷ୍ଠାନ ନୁହେଁ ବରଂ ଏହା ଏକ ‘ଜ୍ଞାନ-କୁମ୍ଭ’। ପ୍ରତିଷ୍ଠା ଦିନଠାରୁ ଏହା ଶିକ୍ଷା ମାଧ୍ୟମରେ ବିଶେଷ ଭାବରେ ରାଷ୍ଟ୍ର ନିର୍ମାଣରେ ଏକ ଦୀର୍ଘ ଦୂରତା ଅତିକ୍ରମ କରିଛି। ଶ୍ରୀ ପ୍ରଧାନ ଏନସିଇଆରଟିକୁ ନୂଆ ଅବତାର ଭାବରେ ଅବତୀର୍ଣ୍ଣ ହେବା ତଥା ସଂସ୍କାର-ମୁଖୀ, ଟେକ୍ନୋଲୋଜି-ଚାଳିତ ଏବଂ ବିଶ୍ୱର ବେଷ୍ଟ୍ ପ୍ରାକ୍ଟିସ୍ ଉପରେ ଧ୍ୟାନ ଦେଇ ଏକ ପରିବର୍ତ୍ତନକାରୀ ନେତୃତ୍ୱ ହେବା ପାଇଁ ସେ ପରାମର୍ଶ ଦେଇଥିଲେ। ସେ ଆହୁରି କହିଛନ୍ତି ଯେ ଆମକୁ ୨୦୪୭ ସୁଦ୍ଧା ଏକ ସମୃଦ୍ଧ ଭାରତ ଗଠନ କରିବାକୁ ପଡିବ । ସମୃଦ୍ଧ ଭାରତର ଲକ୍ଷ୍ୟ ସେତେବେଳେ ସାକାର ହେବ ଯେତେବେଳେ ଆମେ ଆମର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସମାଲୋଚନାମୂଳକ ଏବଂ ସୃଜନଶୀଳ ଚିନ୍ତାଧାରା ବିକଶିତ କରିବା। ‘ଅମୃତ ପିଢି’ରେ ଏନସିଇଆରଟିକୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ କ୍ରିଟିକାଲ ଥିଙ୍କିଂ ବିକଶିତ କରିବା ପାଇଁ ବହୁଭାଷୀ ଶିକ୍ଷାକୁ ପ୍ରୋତ୍ସାହିତ କରିବାକୁ ପଡିବ। ଜ୍ଞାନକୁ ଦକ୍ଷତାରେ ପରିଣତ କରିବାର ଉପାୟ ମଧ୍ୟ ବାହାର କରିବାକୁ ପଡିବ। ଏନସିଇଆରଟି ଶିକ୍ଷାଗତ ସଂସ୍କାର ଆଣିବା ସହ ଶିକ୍ଷାଦାନ ଏବଂ ଶିକ୍ଷଣରେ ଏକ ଆଦର୍ଶ ପରିବର୍ତ୍ତନ ଆଣିବ। ସମୃଦ୍ଧ ଭାରତର ଲକ୍ଷ୍ୟକୁ ସାକାର କରିବାରେ ଏନସିଇଆରଟି ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ଶ୍ରୀ ପ୍ରଧାନ ଦୃଢୋକ୍ତି ପ୍ରକାଶ କରିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button