ଦାବିଦାର ନ ଥିବା ମୃତଦେହ ଶୀଘ୍ର ସତ୍କାର କରାଯିବ

ଭୁବନେଶ୍ୱର,୧୧।୬(ବ୍ୟୁରୋ): ବାହାନଗା ଟ୍ରେନ୍‌ ଦୁର୍ଘଟଣାରେ ୨୮୮ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଏବେ ବି ବହୁ ମୃତଦେହକୁ ଚିହ୍ନଟ କରାଯାଇପାରି ନାହିଁ। ମୃତଦେହ ଚିହ୍ନଟ ଲାଗି ବିଭିନ୍ନ ପର୍ଯ୍ୟାୟରେ ଏମ୍‌ସ ଭୁବନେଶ୍ୱରକୁ ୧୬୨ମୃତ ଦେହ ଆସିଥିଲା। ୮୧ ମୃତଦେହକୁ ଚିହ୍ନଟ ପରେ ସେମାନଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବାବେଳେ ବାକି ୮୧ଟି ମୃତଦେହର ଚିହ୍ନଟ ପ୍ରକ୍ରିୟା ଜାରି ରହିଛି। କେତେକ ମୃତଦେହର ଏକାଧିକ ଦାବିଦାର ଥିବାବେଳେ ଅନେକ ମୃତଦେହର କେହି ଦାବିଦାର ନାହାନ୍ତି। ତେଣୁ ଡିଏନ୍‌ଏ ପରୀକ୍ଷା ପାଇଁ ପ୍ରଥମ ପର୍ଯ୍ୟାୟରେ ୩୩ଟି ନମୁନା ଦିଲ୍ଲୀ ପଠାଯାଇଥିବାବେଳେ ଶନିବାର ସୁଦ୍ଧା ୭୦ରୁ ଊର୍ଦ୍ଧ୍ୱ ନମୁନା ସଂଗ୍ରହ କରାଯାଇଛି। ତେବେ ରିପୋର୍ଟ ଆସିବା ବିଳମ୍ବ ହେଉଥିବାରୁ ମୃତଦେହ ଚିହ୍ନଟ ଓ ସଂରକ୍ଷଣ ବଡ଼ ଚ୍ୟାଲେଞ୍ଜ ହୋଇଛି। ଦୁର୍ଘଟଣାର ୩୬ରୁ ୪୦ ଘଣ୍ଟା ପରେ ମୃତଦେହଗୁଡିକ ଏମ୍‌ସ ଶବ ସଂରକ୍ଷଣ ଗୃହକୁ ଆସିଥିଲା। ବିକୃତ ଭାବେ ଅନେକ ଶରୀର ଥିବାରୁ ସେଗୁଡିକ ପ୍ରଥମେ ଏମ୍‌ବାଲ୍‌ମ୍ବିଂ (ମୃତଦେହ ସଂରକ୍ଷଣ ପ୍ରକ୍ରିୟା) କରାଯାଇଥିଲା। ଶବ ଗୃହରେ ସ୍ଥାନାଭାବ ଯୋଗୁ ପାରାଦୀପରୁ ୫ଟି କଣ୍ଟେନର ଅଣାଯାଇ ସେଥିରେ ମୃତଦେହକୁ ରଖାଯାଇଛି। ତେବେ ଜଣେ ବ୍ୟକ୍ତିର ମୃତଦେହ ମୃତ୍ୟୁର ୧୨ ଘଣ୍ଟା ଭିତରେ ଏମ୍‌ବାଲ୍‌ମ୍ବିଂ କରାଗଲେ ଏହାକୁ ବର୍ଷାଧିକ ସମୟ ରଖାଯାଇପାରିବ। ମାତ୍ର ବାହାନଗା ଟ୍ରେନ ଦୁର୍ଘଟଣାରେ ଆସିଥିବା ମୃତଦେହଗୁଡିକ ୪୦ ଘଣ୍ଟା ପରେ ଆସିଥିବାରୁ, ପୁଣି ତାହା ବିକୃତ ହୋଇଯାଇଥିବାରୁ କଣ୍ଟେନର ଫ୍ରିଜରରେ ଏଗୁଡିକୁ ଅଧିକ ଦିନ ରଖିବା ସମ୍ଭବ ନୁହେଁ। ତେଣୁ ମୃତଦେହ ଚିହ୍ନଟ ହୋଇ ନ ପାରିଲେ ଓ କେହି ଦାବିଦାର ନ ଆସିଲେ ତାହାକୁ ସତ୍କାର କରିଦିଆଯିବ ବୋଲି ଏମ୍‌ସ ପକ୍ଷରୁ ସୂଚନା ଦିଆଯାଇଛି। ଡିଏନ୍‌ଏ ଟେଷ୍ଟ ରିପୋର୍ଟ ଦିନକରେ ପଠାଇବାକୁ ଏମ୍‌ସ ଦିଲ୍ଲୀକୁ ଅନୁରୋଧ କରାଯାଇଥିଲେ ମଧ୍ୟ ଆସିବା ବିଳମ୍ବ ହେଉଛି। ଏନେଇ ଭୁବନେଶ୍ୱର ଏମ୍‌ସର ଆଡିଶନାଲ ସୁପରିଣ୍ଟେଣ୍ଡେଣ୍ଟ ପ୍ରଭାସ ରଞ୍ଜନ ତ୍ରିପାଠୀ କହିଛନ୍ତି, ଏବେ ଏମ୍‌ସରେ ୮୧ଟି ମୃତଦେହ ରହିଛି। ଏହା ଭିତରୁ ଅନେକ ମୃତଦେହର କେହି ଦାବିଦାର ନାହାନ୍ତି। ସେପଟେ ଏକାଧିକ ଲୋକ ମଧ୍ୟ ଗୋଟିଏ ମୃତଦେହର ଦାବିଦାର ରହିଛନ୍ତି। ସେଥିପାଇଁ ୭୦ଜଣ ଲୋକଙ୍କ ଡିଏନ୍‌ଏ ନମୁନା ସଂଗ୍ରହ ହୋଇଛି। ଆଉଦିନେ ଦୁଇଦିନ ଭିତରେ ସ୍ପଷ୍ଟ ରିପୋର୍ଟ ଆସିବ। ଦୁର୍ଘଟଣାରେ ଅଧିକ କ୍ଷତବିକ୍ଷତ ହୋଇଥିବା ମୃତଦେହଗୁଡିକ ଆଉ ୬ରୁ ୭ ଦିନ ସଂରକ୍ଷିତ ରଖାଯାଇପାରିବ। ତଥାପି ଅଧିକ ଦିନ ସଂରକ୍ଷିତ ରଖିବାକୁ ଚେଷ୍ଟା କରାଯାଉଛି। ସ୍ଥିତିକୁ ଦେଖି ଦାବିଦାର ନ ଥିବା ମୃତଦେହକୁ ୪ରୁ ୫ ଦିନ ପରେ ନିୟମ ଅନୁସାରେ ସଂସ୍କାର କରି ଦିଆଯିବ ବୋଲି ସେ ସୂଚନା ଦେଇଛନ୍ତି।

Related Articles

Leave a Reply

Your email address will not be published.

Back to top button