ରୁଷିଆ କ୍ଷେପଣାସ୍ତ୍ର ମାଡରେ ୟୁକ୍ରେନୀୟ ଯୁଦ୍ଧ ବିମାନ ଏଫ-୧୬ କ୍ଷତିଗ୍ରସ୍ତ; ପାଇଲଟ୍ ନିହତ

ନୂଆଦିଲ୍ଲୀ: ଆଜି ରୁଷିଆ ୟୁକ୍ରେନର ଏଫ-୧୬ ଯୁଦ୍ଧ ବିମାନକୁ ଗୁଳି କରି ଖସାଇଦେଇଛି, ଯେଉଁଥିରେ ଜଣେ ୟୁକ୍ରେନୀୟ ପାଇଲଟ୍ ନିହତ ହୋଇଛନ୍ତି। ୟୁକ୍ରେନୀୟ ସେନା କହିଛି ଯେ, ଗତ ରାତିରେ ରୁଷିଆ ଅନେକ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ଆକ୍ରମଣ କରିଥିଲା। ସେହି ସମୟ ମଧ୍ୟରେ ଏକ ଏଫ-୧୬ ଯୁଦ୍ଧ ବିମାନ ରୁଷିଆ ସେନାର ଟାର୍ଗେଟରେ ଆସି ଧ୍ଵଂସ ହୋଇଛି। ଶନିବାର ରାତିରେ ରୁଷିଆ ୫୦୦ ରୁ ଅଧିକ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ମାଡ଼ କରି ଏହାର ସବୁଠାରୁ ବଡ଼ ବିମାନ ଆକ୍ରମଣ କରିଥିଲା। ଏହି ଆକ୍ରମଣ ପଶ୍ଚିମ, ଦକ୍ଷିଣ ଏବଂ କେନ୍ଦ୍ରୀୟ ୟୁକ୍ରେନର ଅନେକ ଅଞ୍ଚଳକୁ ଥରାଇ ଦେଇଥିଲା। ୟୁକ୍ରେନୀୟ ବାୟୁସେନା କହିଛି ଯେ, ସେମାନେ ୪୭୭ ଡ୍ରୋନ୍ ଏବଂ ୬୦ କ୍ଷେପଣାସ୍ତ୍ରର ସମ୍ମୁଖୀନ ହୋଇଥିଲେ। ଏଥିମଧ୍ୟରୁ ୨୪୯ ଡ୍ରୋନ୍ ଗୁଳି କରାଯାଇଥିଲା ଏବଂ ୨୨୬ଟିକୁ ଇଲେକ୍ଟ୍ରୋନିକ୍ ଜାମିଂ ମାଧ୍ୟମରେ ନିଷ୍କ୍ରିୟ କରାଯାଇଥିଲା। ଯୁଦ୍ଧ ଆରମ୍ଭ ହେବା ପରଠାରୁ ଏହି ଆକ୍ରମଣକୁ ରୁଷ ଦ୍ୱାରା ସବୁଠାରୁ ଶକ୍ତିଶାଳୀ ବୋମା ମାଡ଼ ଅଭିଯାନ ଭାବରେ ଦେଖାଯାଉଛି। ୟୁକ୍ରେନୀୟ ବାୟୁସେନା ନିଶ୍ଚିତ କରିଛି ଯେ, ଆକ୍ରମଣକୁ ରୋକିବା ପାଇଁ ଏକ ଏଫ-୧୬ ଲଢ଼ୁଆ ବିମାନ ରୁଷ ସେନାର ଟାର୍ଗେଟରେ ଆସିଥିଲା ଏବଂ ଏହାର ପାଇଲଟ୍ ସହିଦ ହୋଇଥିଲେ। ପାଇଲଟ୍ ୭ଟି ବିମାନ ଆକ୍ରମଣ କରି ଖସାଇ ଦେଇଥିଲେ, କିନ୍ତୁ ଶେଷ ଲକ୍ଷ୍ୟସ୍ଥଳକୁ ଆକ୍ରମଣ କରିବା ସମୟରେ ଜେଟ୍ କ୍ଷତିଗ୍ରସ୍ତ ହୋଇଥିଲା। ଏକ କ୍ଷେପଣାସ୍ତ୍ର ଦ୍ୱାରା ଆଘାତ ପାଇବା ପରେ ଲଢ଼ୁଆ ବିମାନଟି ଉଚ୍ଚତାରୁ ଦ୍ରୁତ ଗତିରେ ଖସି ପଡ଼ିବା ଆରମ୍ଭ କରିଥିଲା। ଏହି ସମୟରେ ପାଇଲଟ୍ ବିମାନକୁ ଜନବସତି ଅଞ୍ଚଳରୁ ଦୂରକୁ ନେଇଯିବାକୁ ଚେଷ୍ଟା କରିଥିଲେ। ୟୁକ୍ରେନୀୟ ବାୟୁସେନା ଟେଲିଗ୍ରାମରେ ଏକ ବିବୃତ୍ତି ଜାରି କରି କହିଛି ଯେ, ପାଇଲଟ୍ ତାଙ୍କର ସମସ୍ତ ଅସ୍ତ୍ରଶସ୍ତ୍ର ବ୍ୟବହାର କରିଥିଲେ, କିନ୍ତୁ ଶେଷ ଆକ୍ରମଣରେ ବିମାନଟି ଗୁରୁତର ଭାବରେ କ୍ଷତିଗ୍ରସ୍ତ ହୋଇଥିଲା ଏବଂ ସେ ସମୟ ମଧ୍ୟରେ ବାହାରକୁ ବାହାରି ପାରି ନଥିଲେ। ଏପର୍ଯ୍ୟନ୍ତ ରୁଷ ଆକ୍ରମଣରେ ତିନୋଟି ୟୁକ୍ରେନୀୟ ଲଢ଼ୁଆ ବିମାନ ନଷ୍ଟ ହୋଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button