୩୧ ସୁଦ୍ଧା ପହଞ୍ଚିବ ଯୁକ୍ତ ଦୁଇ ପ୍ରଶ୍ନପତ୍ର
ଭୁବନେଶ୍ୱର: ଯୁକ୍ତ ଦୁଇ ପରୀକ୍ଷା ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି । ଆସନ୍ତା ୨୩ ତାରିଖରୁ ସମସ୍ତ ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନପତ୍ର ପଠାଇବା ଆରମ୍ଭ ହେବ । ମାସ ଶେଷ ଅର୍ଥାତ୍ ୩୧ ତାରିଖ ସୁଦ୍ଧା ସମସ୍ତ ଥିଓରୀ ଓ ପ୍ରାକ୍ଟିକାଲ ପ୍ରଶ୍ନପତ୍ର ପହଞ୍ଚିବ । ଜାନୁଆରୀ ୨ରୁ ୧୨ ତାରିଖ ମଧ୍ୟରେ ଯୁକ୍ତ ଦୁଇ ପ୍ରାକ୍ଟିକାଲ ପରୀକ୍ଷା ଅନୁଷ୍ଠିତ ହେବ । ଏଥିପାଇଁ ୨୩ ତାରିଖରୁ ପ୍ରଶ୍ନପତ୍ର ପଠାଯିବ । ପରୀକ୍ଷା କେନ୍ଦ୍ରକୁ ଉତ୍ତର ଖାତା ସମେତ ପ୍ରାକ୍ଟିକାଲ ପ୍ରଶ୍ନପତ୍ର, ମାର୍କ ଫୁଏଲ୍ ଆଦି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) ରୁ ପରୀକ୍ଷା କେନ୍ଦ୍ରକୁ ପଠାଯିବ । ଖାତା ପହଞ୍ଚିବା ପରେ ପରୀକ୍ଷା କେନ୍ଦ୍ର ଅଧୀକ୍ଷକ କିମ୍ବା ଉଚ୍ଚ ମାଧ୍ୟମିକ ସ୍କୁଲ ଅଧ୍ୟକ୍ଷ ଏହାକୁ ଗଣି ରଖିବେ । ଯଦି ପରୀକ୍ଷାର୍ଥୀଙ୍କଠୁ କମ୍ ସଂଖ୍ୟାରେ ଏହା ପହଞ୍ଚିଥିବ ତେବେ ତତ୍କ୍ଷଣାତ୍ ପରୀକ୍ଷା ନିୟନ୍ତ୍ରକଙ୍କୁ ଜଣାଇବେ । ଏହି ପ୍ରଶ୍ନପତ୍ରକୁ ଷ୍ଟ୍ରଙ୍ଗରୁମ୍ରେ ରଖାଯିବ ।