ସବୁଠୁ ମୂଲ୍ୟବାନ ୫ ଭାରତୀୟ ବ୍ରାଣ୍ଡ୍ ମଧ୍ୟରେ ରିଲାଏନ୍ସର ଦୁଇଟି ବ୍ରାଣ୍ଡ୍ ସ୍ଥାନିତ

ଭୁବନେଶ୍ୱର: ଦେଶର ସବୁଠୁ ମୂଲ୍ୟବାନ ୫ ବ୍ରାଣ୍ଡ୍ ମଧ୍ୟରେ ରିଲାଏନ୍ସର ଦୁଇଟି ବ୍ରାଣ୍ଡ୍ ରିଲାଏନ୍ସ ଓ ଜିଓକୁ ସ୍ଥାନ ମିଳିଛି। ବିଶ୍ୱର ଅଗ୍ରଣୀ ବ୍ରାଣ୍ଡ୍ କନ୍‌ସଲ୍‌ଟାନ୍ସି ସଂସ୍ଥା ଇଣ୍ଟରବ୍ରାଣ୍ଡ୍ ପକ୍ଷରୁ ଭାରତର ୫୦ ସବୁଠୁ ମୂଲ୍ୟବାନ ବ୍ରାଣ୍ଡ୍ ତାଲିକା ଜାରି କରାଯାଇଛି। ୧,୦୯,୫୭୬ କୋଟି ଟଙ୍କାର ବ୍ରାଣ୍ଡ୍ ମୂଲ୍ୟ ସହ ଟିସିଏସ୍ ତାଲିକାର ଶୀର୍ଷ ସ୍ଥାନରେ ରହିଛି। ଇଣ୍ଟରବ୍ରାଣ୍ଡ୍‌ର ଏହି ତାଲିକାରେ ରିଲାଏନ୍ସ ଦ୍ୱିତୀୟ ସ୍ଥାନରେ ଥିବା ବେଳେ ଜିଓ ପଞ୍ଚମ ସ୍ଥାନ ହାସଲ କରିଛି। ରିଲାଏନ୍ସର ବ୍ରାଣ୍ଡ୍ ମୂଲ୍ୟ ୬୫,୩୨୦ କୋଟି ଟଙ୍କା ଧାର୍ଯ୍ୟ କରାଯାଇଛି। ଜିଓର ବ୍ରାଣ୍ଡ୍ ମୂଲ୍ୟ ୪୯,୦୨୭ କୋଟି ଟଙ୍କା ଧାର୍ଯ୍ୟ କରାଯାଇଥିବା ବେଳେ ତାହା ତାଲିକାର ପଞ୍ଚମ ସ୍ଥାନରେ ରହିଛି। ଜିଓ ପ୍ରଥମ ଥର ପାଇଁ ଏହି ତାଲିକାରେ ସାମିଲ ହୋଇଛି। ଜିଓଠାରୁ ଗୋଟିଏ ପାହାଚ ତଳେ ଷଷ୍ଠ ସ୍ଥାନରେ ଏୟାରଟେଲ୍ ରହିଛି। ଆଇଟି କମ୍ପାନି ଇନ୍‌ଫୋସିସ୍ ୫୩,୩୨୩ କୋଟି ଟଙ୍କାର ବ୍ରାଣ୍ଡ୍ ମୂଲ୍ୟ ସହ ତାଲିକାର ତୃତୀୟ ସ୍ଥାନରେ ଥିବା ବେଳେ ଦେଶର ଅଗ୍ରଣୀ ଘରୋଇ ବ୍ୟାଙ୍କ ଏଚ୍‌ଡିଏଫ୍‌ସି ୫୦,୯୨୧ କୋଟି ଟଙ୍କାର ବ୍ରାଣ୍ଡ୍ ମୂଲ୍ୟ ସହ ଚତୁର୍ଥ ସ୍ଥାନରେ ରହିଛି। ଇଣ୍ଟରବ୍ରାଣ୍ଡ୍ ତଥ୍ୟରୁ ଜଣାପଡ଼ିଛି ଯେ ଶ୍ରେଷ୍ଠ ୫୦ ବ୍ରାଣ୍ଡ୍‌ର ମୋଟ ବ୍ରାଣ୍ଡ୍ ମୂଲ୍ୟ ପ୍ରଥମ ଥର ପାଇଁ ୧୦୦ ବିଲିଅନ ଡଲାରରୁ ଅଧିକ ହୋଇଛି। ଶୀର୍ଷ ତିନିଟି ସ୍ଥାନରେ ଥିବା ବ୍ରାଣ୍ଡ୍ ଟିସିଏସ୍‌, ରିଲାଏନ୍ସ ଓ ଇନ୍‌ଫୋସିସ୍‌ର ମୋଟ ବ୍ରାଣ୍ଡ୍ ମୂଲ୍ୟ ତାଲିକାରେ ପ୍ରଥମ ଥର ସାମିଲ ହୋଇଥିବା ୧୦ ବ୍ରାଣ୍ଡ୍‌ର ମୋଟ ବ୍ରାଣ୍ଡ୍ ମୂଲ୍ୟର ୪୬ ପ୍ରତିଶତ। ତାଲିକାରେ ସାମିଲ ଶୀର୍ଷ ୧୦ଟି ବ୍ରାଣ୍ଡ୍‌ର ମୋଟ ବ୍ରାଣ୍ଡ୍ ମୂଲ୍ୟ ତାଲିକାର ଅନ୍ୟ ୪୦ଟି ସଂସ୍ଥାର ମୋଟ ବ୍ରାଣ୍ଡ୍ ମୂଲ୍ୟଠାରୁ ଅଧିକ ରହିଛି। ଇଣ୍ଟରବ୍ରାଣ୍ଡ୍‌ର ସବୁଠୁ ମୂଲ୍ୟବାନ ଭାରତୀୟ ବ୍ରାଣ୍ଡ୍ ତାଲିକାର ଶୀର୍ଷ ୧୦ ସ୍ଥାନ ମଧ୍ୟରେ ଏଲ୍‌ଆଇସି, ମହିନ୍ଦ୍ରା, ଏସବିଆଇ, ଆଇସିଆଇସିଆଇ ବ୍ୟାଙ୍କର ନାମ ମଧ୍ୟ ରହିଛି। ଏହା ବ୍ୟତୀତ ଟାଟା, ଆଦାନି, ମାରୁତି ସୁଜୁକି, ଆଇଟିସି, ବଜାଜ ଅଟୋ, ଅମୂଲ, ଡାବର, ପତଞ୍ଜଳି ଓ ବ୍ରିଟାନିଆ ଭଳି ବ୍ରାଣ୍ଡ୍ ମଧ୍ୟ ଶୀର୍ଷ ୫୦ ତାଲିକାରେ ସ୍ଥାନ ପାଇଛନ୍ତି।

Related Articles

Leave a Reply

Your email address will not be published.

Back to top button