ଟ୍ରେନ୍‌ରେ କଟି ୬ ମୃତ

ଭୁବନେଶ୍ବର: ବାହାନଗା ଟ୍ରେନ୍‌ ଦୁର୍ଘଟଣା ମନରୁ ଲିଭି ନଥିବା ବେଳେ ବୁଧବାର ଅପରାହ୍‌ଣରେ ରାଜ୍ୟରେ ପୁଣି ଏକ ଅଘଟଣ ଘଟିଛି। ଯାଜପୁର-କେନ୍ଦୁଝରରୋଡ ଷ୍ଟେସନ୍‌ରେ ଟ୍ରେନ୍‌ ମାଡ଼ିଯିବାରୁ ୬ ଜଣ ଲୋକଙ୍କର ମୃତ୍ୟୁ ହୋଇଛି। ଏହି ଅଘଟଣ ଯୋଗୁଁ ଅନ୍ୟ ୨ ଜଣ ଆହତ ହୋଇଥିବା ଜଣାପଡ଼ିଛି। ମୃତାହତଙ୍କ ପରିଚୟ ମିଳିପାରି ନାହିଁ। ସୂଚନା ଅନୁସାରେ ଆଜି ଅପରାହ୍‌ଣ ୫ଟା ୧୫ ସମୟରେ ଯାଜପୁରରୋଡ ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ହୋଇଥିଲା। ଏହି ସମୟରେ ବର୍ଷାରୁ ବର୍ତ୍ତିବା ପାଇଁ ଶ୍ରମିକମାନେ ଯାଜପୁର-କେନ୍ଦୁଝରରୋଡ ରେଳଷ୍ଟେସନର ସାଈମନ୍ଦିର ରେଳଫାଟକ ନିକଟରେ ଅଟକିଥିବା ଏକ ମାଲଗାଡ଼ି ତଳେ ଆଶ୍ରୟ ନେଇଥିଲେ। ଷ୍ଟେସନ୍‌ରେ ଠିଆ ହୋଇଥିବା ଟ୍ରେନ୍‌ଟି ଅଳ୍ପ ସମୟ ପରେ ଆଗକୁ ବଢ଼ିଥିଲା। ଫଳରେ ଟ୍ରେନ୍‌ର ଚକା ତଳେ ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟ ୫ ଜଣ ଆହତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଯାଜପୁରରୋଡ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ୩ଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟ ୨ ଗୁରୁତରଙ୍କୁ କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ତେବେ ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଯାଜପୁରରୋଡ ଅଞ୍ଚଳକୁ ବିଭିନ୍ନ ଅଞ୍ଚଳରୁ କାମ କରିବା ପାଇଁ ଶ୍ରମିକମାନେ ଆସିଥାନ୍ତି। ଯେଉଁ ଶ୍ରମିକମାନେ ମାଲବାହୀ ଟ୍ରେନ୍‌ ତଳେ ଆଶ୍ରୟ ନେଇ ଦୁର୍ଘଟଣାର ଶିକାର ହୋଇଛନ୍ତି, ସେମାନେ ମଧ୍ୟ କାମ କରିବାକୁ ଆସିଥାଇ ପାରନ୍ତି। ସେମାନେ କାମ ସାରି ଟ୍ରେନ୍‌କୁ ଅପେକ୍ଷା କରିଥିବା ଅନୁମାନ କରାଯାଉଛି। ତେବେ ଘଟଣାର ତଦନ୍ତ ପରେ ପ୍ରକୃତ କାରଣ ଜଣାପଡ଼ିବ ବୋଲି ଆଶା କରାଯାଉଛି। ସୂଚନାଯୋଗ୍ୟ, ଗତ ୨ ତାରିଖ ଦିନ ବାଲେଶ୍ବର ଜିଲ୍ଲା ବାହାନଗା ବଜାରରେ କରମଣ୍ଡଳ ଏକ୍ସପ୍ରେସ୍‌, ଯଶବନ୍ତପୁର-ହାୱଡ଼ା ଏକ୍ସପ୍ରେସ୍‌ ଏବଂ ଏକ ମାଲଗାଡ଼ି ଦୁର୍ଘଟଣା ଯୋଗୁଁ ମୋଟ ୨୮୮ ଜଣଙ୍କର ମୃତ୍ୟୁ ହୋଇସାରିଛି। ଏହି ମୃତକଙ୍କ ମଧ୍ୟରେ ଓଡ଼ିଶାରୁ ୩୯ ଜଣ ଅଛି। ସେହିପରି ଦୁର୍ଘଟଣା କାରଣରୁ ୧୦୦୦ରୁ ଊର୍ଦ୍ଧ୍ବ ଲୋକ ଆହତ ହୋଇଛନ୍ତି। ସେମାନଙ୍କର ମଧ୍ୟରୁ ଅଧିକାଂଶ ଡାକ୍ତରଖାନାରେ ଚିକିତ୍ସା ସେବା ପାଇଲା ପରେ ସୁସ୍ଥ ହୋଇ ଘରକୁ ଯାଇସାରିଛନ୍ତି।

Related Articles

Leave a Reply

Your email address will not be published.

Back to top button