ଆଜି ପବିତ୍ର ମାଘ ପୂର୍ଣ୍ଣିମାରେ ମହାପ୍ରଭୁଙ୍କ ଗଜ ଉଦ୍ଧାରଣ ବେଶ

ଭୁବନେଶ୍ବର: ଆଜି ପବିତ୍ର ମାଘ ପୂର୍ଣ୍ଣିମା । ଏହି ଅବସରରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ‘ଗଜ ଉଦ୍ଧାରଣ ବେଶ’ । ଏହି ବେଶ ମହାପ୍ରଭୁଙ୍କ ଦ୍ବିପହର ଧୂପ ସରିବା ପରେ ହୋଇଥାଏ । ଗଜ ଉଦ୍ଧାରଣ ବେଶର ବିଶେଷତ୍ୱ ହେଲା ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ଶ୍ରୀବଳଭଦ୍ର ଚତୁଃହସ୍ତ ରୂପେ ଓ ଦେବୀ ସୁଭଦ୍ରା ଦ୍ୱିଭୁଜ ବିଶିଷ୍ଟା ହୁଅନ୍ତି । ଚତୁଃହସ୍ତଧାରୀ ଶ୍ରୀଜଗନ୍ନାଥ ଗରୁଡ଼ ଉପରେ ବସି ଶ୍ରଦ୍ଧାଳୁଙ୍କ ଦର୍ଶନ ଦେଇଥାନ୍ତି । ଗରୁଡ଼ ପୃଷ୍ଠରେ ଜଗନ୍ନାଥ ପଦ୍ମାସନ ଭଙ୍ଗିରେ ବସିବା ସହ ଚାରିହସ୍ତରେ ଶୋଲ ଓ ଜରି ନିର୍ମିତ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଶୋଭାପାଇଥାଏ । ପଦ୍ମାସନ ଭଙ୍ଗିରେ ଗୋଟିଏ ଆସ୍ଥାନରେ ବସିଥିବା ବଳଭଦ୍ର ତାଙ୍କର ଉର୍ଦ୍ଧ୍ୱ ଦୁଇ ହସ୍ତରେ ଶୋଲ ଓ ଜରି ନିର୍ମିତ ଶଙ୍ଖ ଓ ଚକ୍ର ତଥା ନିମ୍ନ ଦୁଇ ହସ୍ତରେ ହଳ ଓ ମୂଷଳ ଧାରଣ କରିଥାନ୍ତି । ଦେବୀ ସୁଭଦ୍ରା ଦୁଇଭୂଜ ଓ ଦୁଇ ପାଦଯୁକ୍ତା ହୋଇ କୃଷ୍ଣଙ୍କ ଭଳି ଛନ୍ଦାୟିତ ଭଙ୍ଗିରେ ଛିଡ଼ା ହୋଇଥାନ୍ତି । ଦେବୀଙ୍କ ହସ୍ତଦ୍ୱୟ ମୁଷ୍ଟିବଦ୍ଧ ତଥା ତଳ ଉପର ହୋଇ ରହିଥାଏ ଏବଂ ସେ ପଦ୍ମ ଫୁଲଟିଏ ଧରି ଥାଆନ୍ତି ।ଏହି ବେଶରେ କାଠ ଓ ଶୋଲ ନିର୍ମିତ ଦୁଇଟି ହସ୍ତୀ ପ୍ରତିମୂର୍ତ୍ତି ବ୍ୟବହୃତ ହୋଇଥାଏ । ଗୋଟିଏ ହସ୍ତୀ ବଳଭଦ୍ରଙ୍କ ସମୀପରେ ରତ୍ନ ସିଂହାସନ ଆଗରେ ପୋଖରୀଆରେ ଏବଂ ଅନ୍ୟଟି ଶ୍ରୀ ଜଗନ୍ନାଥଙ୍କ ବିଗ୍ରହ ସମ୍ମୁଖରେ ରଖାଯାଇଥାଏ ।



