ଆଜି ଭାରତ ଯୋଡ ନ୍ୟାୟ ଯାତ୍ରାର ଶେଷ ଦିନ

ମୁମ୍ବାଇ: ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ନ୍ୟାୟ ଯାତ୍ରାର ରବିବାର ଅନ୍ତିମ ଦିନ । ମଣିପୁରରୁ ଆରମ୍ଭ ହୋଇଥିବା କଂଗ୍ରେସର ନ୍ୟାୟ ଯାତ୍ରା ଆଜି ମୁମ୍ବାଇରେ ଶେଷ ହେବ । ଅନ୍ତିମ ଦିନରେ ବିରୋଧୀଙ୍କ ଇଣ୍ଡିଆ ମେଣ୍ଟ ମୁମ୍ବାଇରେ ଏକ ରାଲି ଆୟୋଜନ କରିବ । ମେଣ୍ଟରେ ଥିବା ସମସ୍ତ ନେତାମାନେ ଏଥିରେ ସାମିଲ ହେବେ । ମାର୍ଚ୍ଚ ୨୦ ତାରିଖରେ ଭାରତ ଯୋଡ ନ୍ୟାୟ ଯାତ୍ରା ଶେଷ ହେବାକୁ ଥିବାବେଳେ ନିର୍ଦ୍ଧାରିତ ସମୟର ୩ ଦିନ ପୂର୍ବରୁ ଏହାକୁ ସାରିବାକୁ ପୂର୍ବରୁ ନିଷ୍ପତ୍ତି ହୋଇଥିଲା । ଜାନୁଆରୀ ୧୪ ତାରିଖରୁ ମଣିପୁରରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଭାରତ ଯୋଡ ନ୍ୟାୟ ଯାତ୍ରା ଆରମ୍ଭ କରିଥିଲେ । ଦୁଇ ମାସ ଧରି ୬ ହଜାର ୭୧୩ କିଲୋମିଟର ପଦଯାତ୍ରା କରିଥିଲେ କଂଗ୍ରେସ କର୍ମୀ । ମୁମ୍ବାଇରେ ଆଜି ଏହା ଶେଷ ହେବାକୁ ଥିବାବେଳେ ଏକ ରାଲିର ଆୟୋଜନ କରାଯାଇଛି । କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ, ଆରଜେଡି ନେତା ତେଜସ୍ୱୀ ଯାଦବ, ଉଦ୍ଧବ ଠାକରେ, ଆଦିତ୍ୟ ଠାକରେ, ଶରଦ ପାୱାର ଏବଂ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ଚମ୍ପଇ ସୋରେନ ଏହି ରାଲିରେ ସାମିଲ ହେବାର କାର୍ୟ୍ୟକ୍ରମ ରହିଛି । ଏଥିପାଇଁ ଶନିବାର ସନ୍ଧ୍ୟାରେ ମୁମ୍ବାଇରେ ପହଞ୍ଚିଥିଲେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା । ସେ କହିଥିଲେ, ”ଭାରତ ଯୋଡ ନ୍ୟାୟ ଯାତ୍ରା ଶେଷ ହେବାକୁ ଯାଉଛି । ଏଠାରେ ଉପସ୍ଥିତ ଥିବାରୁ ମୁଁ ବହୁତ ଖୁସି । ରାହୁଲ ଗାନ୍ଧୀ ଏହି ଯାତ୍ରା ଏଥିପାଇଁ ଆରମ୍ଭ କରିଥିଲେ କି ଜନତା ଦେଶର ବାସ୍ତବତାକୁ ଜାଣନ୍ତୁ । ପୁରା ଯାତ୍ରା ଜନସାଧାରଣଙ୍କୁ ଅବଗତ କରାଇବାର ଥିଲା ।” ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଜାନୁଆରୀ ୧୪ରେ ମଣିପୁର ଇମ୍ଫାଲରୁ ଭାରତ ଯୋଡ ନ୍ୟାୟ ପତାକା ଉତ୍ତୋଳନ କରାଯାଇଥିଲା । ଏଠାରେ ପ୍ରଥମେ ଯାତ୍ରା ଆରମ୍ଭ ହେବା ପରେ ନାଗାଲାଣ୍ଡ, ଆସାମ, ମେଘାଳୟ, ଅରୁଣାଚଳ ପ୍ରଦେଶ, ପଶ୍ଚିମବଙ୍ଗ, ବିହାର, ଝାଡଖଣ୍ଡ, ଓଡ଼ିଶା, ଉତ୍ତରପ୍ରଦେଶ, ଛତିଶଗଡ, ରାଜସ୍ଥାନ, ଗୁଜରାଟ ସମେତ ୧୫ଟି ରାଜ୍ୟ ଅତିକ୍ରମ କରିଛି । ଏହା ପୂର୍ବରୁ କନ୍ୟାକୁମାରୀରୁ କାଶ୍ମୀର ପର୍ୟ୍ୟନ୍ତ କଂଗ୍ରେସ ଭାରତ ଯୋଡ ଯାତ୍ରା କରିଥିଲା ।

Related Articles

Leave a Reply

Your email address will not be published.

Back to top button