ଆଜି ପବିତ୍ର ମହାଶିବରାତ୍ରି: ବିଭିନ୍ନ ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ଭୁବନେଶ୍ବର: ଆଜି ପବିତ୍ର ମହାଶିବରାତ୍ରି । ଫାଲ୍ଗୁନମାସ କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ତିଥି । ମହାମୃତ୍ୟୁଞ୍ଜୟ ମନ୍ତ୍ରରେ ଶିବାଳୟ ମୁଖରିତ ହୋଇଉଠିଛି । ଭକ୍ତ ନିଜ ଆରାଧ୍ୟ ଦେବତା ଶିବଶଙ୍କରଙ୍କୁ ଦର୍ଶନ କରିବାକୁ ବିଭିନ୍ନ ଶୈବ ପୀଠରେ ଭିଡ଼ ଲଗାଇଲେନି । ବେଶ୍ ଆଧ୍ୟାତ୍ମିକ ପରିବେଶ ସହିତ ଚଳଚଞ୍ଚଳ ହୋଇ ଉଠିଛି ମନ୍ଦିର ଓ ଶୈବ ପୀଠ । ଅକାଳମୃତ୍ୟୁ ହରଣକାରୀ ମହାଦେବଙ୍କ ଆରାଧାନା ପାଇଁ ଶିବାଳୟରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି । ଭକ୍ତ ଭଗବାନଙ୍କ ନିକଟରେ ଭୋଗ, ନୈବେଦ୍ୟ, ଦୀପ, ଧୂପ ଚଢାଇ ନିଜ ଆରାଧ୍ୟଙ୍କ ଆଶୀର୍ବାଦ ଗ୍ରହଣ କରିଛି । ଏହି ଅବସରରେ ରାଜ୍ୟର ବିଭିନ୍ନ ଶିବାଳୟ ଓ ଶୈବପୀଠରେ ଭକ୍ତଙ୍କ ଭିଡ଼ ଜମିବାରେ ଲାଗିଛି । କଡ଼ା ସୁରକ୍ଷା ବଳୟ ମଧ୍ୟରେ ମହାପ୍ରଭୁ ଲିଙ୍ଗରାଜ, ଧବଳେଶ୍ବର, ଲୋକନାଥ, ଆରଡ଼ି, ଆଖଣ୍ଡଳମଣି ମନ୍ଦିର, ମହେନ୍ଦ୍ରଗିରି ଆଦି ପ୍ରସିଦ୍ଧ ଶୈବ ପୀଠ ଲୋକାରଣ୍ୟ ହୋଇ ଉଠିଛି ।



