ଆଜି ଓଡ଼ିଶା ପୋଲିସର ୯୦ ତମ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର : ଭୁବନେଶ୍ୱରରେ ୯୦ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ । ରିଜର୍ଭ ପୋଲିସ ପ୍ୟାରେଡ ପଡିଆରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ପୋଲିସ କମିଶନର ଏସ ଦେବଦତ୍ତ ସିଂ । ଏହି ଅବସରରେ ଉଲ୍ଲେଖନୀୟ କାର୍ଯ୍ୟ ଦକ୍ଷତା ପାଇଁ କିଛି ପୋଲିସ କର୍ମଚାରୀଙ୍କୁ ସମ୍ମାନିତ ଓ ପୁରସ୍କୃତ କରାଯାଇଥିଲା । ସହିଦ ପୋଲିସ କର୍ମଚାରୀଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ୧୯୩୬ ମସିହାରେ ଉତ୍କଳ ପ୍ରଦେଶ ଗଠନ ସମୟରେ ଆଇନ ଶୃଙ୍ଖଳା ରକ୍ଷା ପାଇଁ ଗଠନ ହୋଇଥିଲା ପୋଲିସ ବିଭାଗ । ସେହିପରି କଟକ ବକ୍ସି ବଜାର ସ୍ଥିତ ରିଜର୍ଭ ପୋଲିସ ପଡିଆରେ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଛି । ଏହି ଅବସରରେ ରାଜ୍ୟସ୍ତରୀୟ ପରେଡ କରାଯାଇଥିଲା । ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ପୋଲିସ ଡିଜି ୱାଇବି ଖୁରାନିଆ । ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ପୁରସ୍କୃତ କରାଯାଇଥିଲା । ରାଜ୍ୟରେ ଆଇନ ଶୃଙ୍ଖଳା ରକ୍ଷା ପାଇଁ ପୋଲିସର ଦାୟିତ୍ବ ଓ କର୍ତ୍ତବ୍ୟ ରହିଛି । ବର୍ତ୍ତମାନ ରାଜ୍ୟରେ ନକ୍ସଲ ଓ ସାଇବର କ୍ରାଇମ୍ ପୋଲିସ ପାଇଁ ଏକ ବଡ ଆହ୍ବାନ । ପୋଲିସ ଦୃଢତାର ସହ ମୁକାବିଲା କରୁଛି । ଏହାସହ ନିସ୍ବାର୍ଥପର ଦେବା ପୋଲିସର ଧର୍ମ ବୋଲି କହିଥିଲେ ଡିଜିପି । ସୁନ୍ଦରଗଡରେ ବି ରିଜର୍ଭ ପୋଲିସ ଗ୍ରାଉଣ୍ଡରେ ୯୦ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି ପ୍ରତିଷ୍ଠା ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ସୁନ୍ଦରଗଡ ଏସପି ପ୍ରତ୍ୟୁଷ ଦିବାକର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ସମ୍ମିଳିତ ପ୍ୟାରେଡ୍ରେ ଅଭିଭାଦନ ଗ୍ରହଣ କରିଥିଲେ । ଆରକ୍ଷୀ ବାହିନୀମାନଙ୍କୁ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ପଢି ଶୁଣାଇଥିଲେ । ଆରକ୍ଷୀ ବାହିନୀ କିଭଳି ଆଜିର ଦିନରେ ଲୋକଙ୍କ ଆସ୍ଥା ଭାଜନ ହୋଇପାରିବ ସେ ନେଇ ସୂଚନା ଦେଇଥିଲେ। ଏହି ପ୍ରତିଷ୍ଠା ଦିବସ ସମାରୋହରେ ଆଇପିଏସ ପ୍ରୋବେସନର ଅନନ୍ୟା ଅବସ୍ତିଙ୍କ ସମେତ ବହୁ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ ।