୧୧ରେ ମୁଖ୍ୟମନ୍ତ୍ରୀ ତୃତୀୟ ସମ୍ବଲପୁର ଗସ୍ତ

ଭୁବନେଶ୍ବର: ସାଧାରଣ ନିର୍ବାଚନକୁ କମ୍ ଦିନ ବାକି ଥିବାରୁ ବଢିଲାଣି ରାଜନୈତିକ ଉଷ୍ମତା । ଗତ ୧୫ ଦିନ ଭିତରେ ସମ୍ବଲପୁରକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସିଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨ ଥର ଆସିସାରିଛନ୍ତି । ଆସନ୍ତା ୧୧ ତାରିଖରେ ମୁଖ୍ୟମନ୍ତ୍ରୀ ପୁଣି ଥରେ ସମ୍ବଲପୁର ଜିଲ୍ଲା ଗସ୍ତ କରିବାର କାର୍ୟ୍ୟକ୍ରମ ରହିଛି । ଚାରମାଲରେ ହେବାକୁ ଥିବା ଓଡି଼ଶା କେନ୍ଦୁପତ୍ର କର୍ମଚାରୀ ସଂଘର ମହାସମାବେଶରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ । ଏହି କାର୍ୟ୍ୟକ୍ରମରେ କେନ୍ଦୁପତ୍ର କର୍ମଚାରୀମାନଙ୍କ ଦାବି ନେଇ ମୁଖ୍ୟମନ୍ତ୍ରୀ କିଛି ବଡ଼ ଘୋଷଣା କରିପାରନ୍ତି ବୋଲି ଆଶା କରାଯାଉଛି । ଗତ ଜାନୁଆରୀ ୨୭ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବଲପୁର ଆସି ସମଲେଇ ପ୍ରକଳ୍ପ ଲୋକାର୍ପଣ କରିଥିଲେ । ଫେବୃଆରୀ ୩ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଇଆଇଏମ ଉଦଘାଟନ କାର୍ୟ୍ୟକ୍ରମରେ ମଧ୍ୟ ମୁଖ୍ୟମନ୍ତ୍ରୀ ଯୋଗ ଦେଇଥିଲେ । ଏବେ ପୁଣି ଆସନ୍ତା ୧୧ ତାରିଖରେ ରେଢ଼ାଖୋଲ ବିଧାନସଭା ନିର୍ବାଚନ ମଣ୍ଡଳୀର ଚାରମାଲକୁ ଆସିବେ ମୁଖ୍ୟମନ୍ତ୍ରୀ । ସେଠାରେ ହେବାକୁ ଥିବା ଓଡି଼ଶା କେନ୍ଦୁପତ୍ର କର୍ମଚାରୀ ସଂଘର ମହାସମାବେଶରେ ଯୋଗଦେବେ ମୁଖ୍ୟମନ୍ତ୍ରୀ । ଏହିଭଳି ଭାବରେ ୧୬ ଦିନର ଅବଧି ଭିତରେ ଏହା ମୁଖ୍ୟମନ୍ତ୍ରୀଙ୍କ ତୃତୀୟ ସମ୍ବଲପୁର ଗସ୍ତ ହେବ ବୋଲି ଜଣାପଡ଼ିଛି । ମୁଖ୍ୟତଃ ବର୍ତ୍ତମାନ ସମ୍ବଲପୁର ଲୋକସଭା ନିର୍ବାଚନ ମଣ୍ଡଳୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେପିର ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ହେଉଛି । ସମ୍ବଲପୁରକୁ ଜାତୀୟ ସ୍ତରର ପ୍ରମୁଖ ବିଜେପି ନେତାଙ୍କ ନିୟମିତ ଭାବେ ଘନ ଘନ ଗସ୍ତ ହେଉଛି । ଜିଲ୍ଲାରେ ବିଜେପି ପାଇଁ ଏକ ମାହୋଲ ତିଆରି ହେଉଥିବାବେଳେ ଏହାକୁ ଚେକ୍ ଦେବପାଇଁ ମୁଖ୍ୟମନ୍ତ୍ରୀଙ୍କ ବାରମ୍ଭାର ସମ୍ବଲପୁର ଗସ୍ତ ବିଜେଡିର ଏକ ରଣନୀତି ବୋଲି ମତ ପ୍ରକାଶ ପାଇଛି । କେନ୍ଦୁପତ୍ର କର୍ମଚାରୀ ସଂଘ ମହାସମାବେଶରେ ମୁଖ୍ୟମନ୍ତ୍ରୀଙ୍କ ଯୋଗଦାନ ବିଜେଡିର ସଂଗଠନ ପାଇଁ ସହାୟକ ହେବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।

Related Articles

Leave a Reply

Your email address will not be published.

Back to top button