ମହାପ୍ରଭୁଙ୍କ ରଥଯାତ୍ରା, ସକାଳ ୯ଟା ୩୦ରେ ପହଣ୍ଡି ବିଜେ

ଭୁବନେଶ୍ବର: ଆସନ୍ତାକାଲି ମଙ୍ଗଳବାରରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା। ବଡଭାଇ ବଳଭଦ୍ର, ଭଉଣୀ ସୁଭଦ୍ରାଙ୍କୁ ସାଥିରେ ଧରି ପ୍ରଭୁ ଗୁଣ୍ଡିଚା ମନ୍ଦିର ଯିବେ। ଏହି ଯାତ୍ରା ଉପଲକ୍ଷେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ରଥ ନିର୍ମାଣ କାର୍ଯ୍ୟ ମଧ୍ୟ ଶେଷ ହୋଇସାରିଛି। କେବଳ ଅପେକ୍ଷା ପ୍ରଭୁଙ୍କ ପହଣ୍ଡି ବିଜେକୁ। ତେବେ ରଥଯାତ୍ରା ଉପଲକ୍ଷେ ମନ୍ଦିର ପ୍ରଶାସନ ଏବଂ ସେବାୟତଙ୍କ ମିଳିତ ବୈଠକରେ ପ୍ରଭୁଙ୍କ ନୀତିକାନ୍ତିର ସମୟ ନିର୍ଘଣ୍ଟ ହୋଇଛି। ସେହି ଅନୁସାରେ ମଙ୍ଗଳବାର ଦିନ ମହାପ୍ରଭୁ ସକାଳ ୯ଟା ୩୦ରେ ପହଣ୍ଡି ବିଜେ ହୋଇ ରଥାରୁଢ ହେବ। ପ୍ରଥମେ ଭାଇ ବଳଭଦ୍ର, ପରେ ମା ସୁଭଦ୍ର ଏବଂ ଶେଷରେ ଜଗନ୍ନାଥ ହଲି ଦୋହଲି ରଥ ଉପରେ ବିଜେ କରିବେ। ତେବେ ବୈଠକରେ ଯେଉଁ ନୀତି ନିର୍ଘଣ୍ଟ ସ୍ଥିର ହୋଇଛି ତାହା ହେଲା ପ୍ରଥମେ ମଙ୍ଗଳା ଆରତି କରାଯିବ। ଏହା ଭୋର ୬ଟାରେ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ପ୍ରଥମାର୍ଦ୍ଧରେ ମଙ୍ଗଳା ଆରତିଠାରୁ ରଥ ପ୍ରତିଷ୍ଠା ନୀତି କରାଯିବ। ଏହା ଭୋର ୬ଟାରୁ ଆରମ୍ଭ ହୋଇ ସକାଳ ୯ଟାରେ ଶେଷ ହେବ। ଏହା ପରେ ପହଣ୍ଡି ବିଜେ ପାଇଁ ସମସ୍ତ ପ୍ରସ୍ତୁତି କରାଯିବ। ୯ ଟା ୧୫ରେ ମଙ୍ଗଳାର୍ପଣ ପରେ ଭାଇଭଉଣୀ ଜଣେ ଜଣେ ହୋଇ ପହଣ୍ଡି ବିଜେ କରି ରଥାରୁଢ ହେବେ। ଏହି ନୀତି ଦିନ ୧୨ ଟା ୩୦ ସୁଦ୍ଧା ଶେଷ କରାଯିବ। ତିନିଠାକୁର ରଥରେ ବିଜେ ହେବା ପରେ ଗଜପତି ମହାରାଜା ଛେରା ପହଁରା କରିବେ। ଏହା ମଧ୍ୟାହ୍ନ ୨ ଟା ୩୦ ରୁ ଆରମ୍ଭ ହୋଇ ୩ ଟା ୩୦ରେ ଶେଷ ହେବ। ଏହାପରେ ରଥଟଣା ପାଇଁ ଚାରମାଳ ଫିଟାଯିବା ସହିତ ଘୋଡ଼ା ଯୋଚା ଯିବ। ଅପରାହ୍ନ ପ୍ରାୟ ୪ଟା ବେଳକୁ ରଥଟଣା ଯିବ। ଗୁଣ୍ଡିଚା ମନ୍ଦିରରେ ତିନି ରଥ ଲାଗିବା ପରେ ଅନ୍ୟାନ୍ୟ ନୀତି କରାଯିବ।

Related Articles

Leave a Reply

Your email address will not be published.

Back to top button