ବଢ଼ିଚାଲିଛି ହରଡ଼ ଡାଲି ଦର

ନୂଆଦିଲ୍ଲୀ,: ଡାଲି ଦରକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଜମାଖୋରଙ୍କ ବିରୋଧରେ ଦେଶବ୍ୟାପୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ମାସେ ହେବ କେତେକ ରାଜ୍ୟରେ ଚଢଉ ଜାରି ରହିଛି। ଏହା ସହିତ ଡାଲିର ମହଜୁଦ ସୀମା ମଧ୍ୟ ଧାର୍ଯ୍ୟ କରାଯାଇଛି। ଏସବୁ ସତ୍ତେ୍ ହରଡ଼ ଡାଲି ଦର ବଢ଼ିଚାଲିଛି। ୨୦୨୨ ଡିସେମ୍ବରରେ ସମଗ୍ର ଦେଶରେ ହରଡ଼ ଡାଲି ଦର କିଲୋ ପିଛା ପାଖାପାଖି ୧୦୦ ଟଙ୍କା ଥିଲା। ଏବେ ଏହା ୧୨୯ ଟଙ୍କାକୁ ବୃଦ୍ଧି ପାଇଥିବା ଜଣାପଡ଼ିଛି । ମାର୍ଚ୍ଚରେ ଦାମ ୧୨୦ ଟଙ୍କା ପାର୍‌ କରିବା ପରେ ସରକାର ଡାଲି ମହଜୁଦ ସୀମା ଧାର୍ଯ୍ୟ କରିଥିଲେ। ନିର୍ଦ୍ଧାରିତ ସୀମାଠାରୁ ଅଧିକ ଡାଲି ରଖିବା ଉପରେ କଟକଣା ଲାଗିଥିଲା। ଏହା ସତ୍ତେ୍ ଦର ବଢ଼ିଚାଲିଛି। ବିଶେଷଜ୍ଞଙ୍କ କହିବାନୁସାରେ, ଚାହିଦା ଏବଂ ଯୋଗାଣ ମଧ୍ୟରେ ଅନ୍ତର ବଢ଼ିବା ଯୋଗୁ ଦାମ୍‌ ବଢୁଛି। ସର୍ବଭାରତୀୟ ଡାଲି କଳ ସଂଘର ଅଧ୍ୟକ୍ଷ ସୁରେଶ ଅଗ୍ରୱାଲ କୁହନ୍ତି, ହରଡ଼ ଡାଲି ଚାଷରେ ୮ ମାସ ସମୟ ଲାଗିଥାଏ । ଏତେ ଲମ୍ବା ସମୟ ଅପେକ୍ଷା କରିବା ପରିବର୍ତ୍ତେ ଚାଷୀ ଅନ୍ୟ ଫସଲ ଆଡ଼କୁ ଢ଼ଳୁଛନ୍ତି । ଗହମ ଏବଂ ଧାନ ଭଳି ଏହାର ସରକାରୀ କ୍ରୟ ମଧ୍ୟ ହୋଇ ନ ଥାଏ । ଚାଷୀ ଉଚିତ ମୂଲ୍ୟକୁ ନେଇ ଆଶ୍ୱସ୍ତ ନ ଥାଏ । ତେଣୁ ମଧ୍ୟ ପ୍ରଦେଶ, ମହାରାଷ୍ଟ୍ର, କର୍ଣ୍ଣାଟକରେ ଚାଷୀମାନେ ଅଳ୍ପ ଜମିରେ ହରଡ଼ ଚାଷ କରିଛନ୍ତି ।  ଉତ୍ପାଦନ କମିବା ଯୋଗୁ ଦର ବଢ଼ିଥିବା ବଜାର ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି । ୨୦୨୧ରେ ଦେଶରେ ୪୨ ଲକ୍ଷ ଟନ୍‌ ହରଡ଼ ଡାଲି ଉତ୍ପାଦନ ହୋଇଥିଲା । ୨୦୨୨ରେ ଏହା ୧୯% ହ୍ରାସ ପାଇ ୩୪ ଲକ୍ଷ ଟନ୍‌ ରହିଥିଲା ।

Related Articles

Leave a Reply

Your email address will not be published.

Back to top button