ମହାନଦୀ ଜଳ ବିବାଦ ନେଇ ତେଜିଲା ରାଜନୀତି

ଭୁବନେଶ୍ବର : ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ରାଜନୈତିକ ବୟାନବାଜି ଥମିବାର ନାଁ ନେଉନାହିଁ। ଆଜି ଉଭୟ ବିଜେପି ଓ କଂଗ୍ରେସ ଏ ପ୍ରସଙ୍ଗରେ ବିଜେଡିକୁ ଘେରିଥିବା ବେଳେ ବିଜେଡି ମଧ୍ୟ ସାମ୍ବାଦିକ ସମ୍ମିଳନୀ ଜରିଆରେ ମାଟି ଓ ପାର୍ଟିର କଥା ଉଠାଇ ଜବାବ ଦେଇଛି। କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି, ପ୍ରଥମେ ମହାନଦୀ ଉପରେ ଛତିଶଗଡ଼ ବନ୍ଧ ବାନ୍ଧିବା ପ୍ରସଙ୍ଗରେ କଂଗ୍ରେସ ହିଁ ପ୍ରଶ୍ନ ଉଠାଇଥିଲା ଓ ସର୍ବଦଳୀୟ ବୈଠକ ଡାକିଥିଲା। କିନ୍ତୁ ଶାସକ ଦଳର କେହି ଯୋଗ ଦେଲେନି। ଆଉ ତତ୍କାଳୀନ ଜଳ ସମ୍ପଦ ସଚିବ କହିଥିଲେ, ଛତିଶଗଡ଼ ଶହେ ବନ୍ଧ ବାନ୍ଧିଲେ ବି ଓଡ଼ିଶା ଉପରେ ପ୍ରଭାବ ପଡ଼ିବନାହିଁ। ଆଉ ଏବେ ସ୍ଥିତି କଣ ? ମହାନଦୀରେ ଖୁବଶୀଘ୍ର ଆଡ଼ିବନ୍ଧ ବାନ୍ଧିବାକୁ କୁହାଯାଇଥିଲା। କିନ୍ତୁ ଏ ଯାଏ ଗୋଟିଏ ଆଡ଼ିବନ୍ଧ ହେଲାଣି କି ? ୨୨ବର୍ଷ ଭିତରେ ‌ରାଜ୍ୟ ସରକାର କେତୋଟି ଆଡ଼ିବନ୍ଧ କରିଛନ୍ତି ତାହାର ଉତ୍ତର ଦିଅନ୍ତୁ। ବିଜେଡି ଓ ବିଜେପି ଏ ପ୍ରସଙ୍ଗରେ ସବୁବେଳେ ଡ୍ରାମା କରିଛନ୍ତି ବୋଲି ଶ୍ରୀ ବାହିନୀପତି କହିଛନ୍ତି। ବିଜେପି ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲ୍ଲୀପ ମଲ୍ଲିକ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି। ଶ୍ରୀ ମଲ୍ଲିକ କହିଛନ୍ତି, ଓଡ଼ିଶାରେ ବିଜୁ ଜନତା ଦଳ ୨୩ବର୍ଷ ଧରି ଶାସନରେ ରହିଛି। ଓଡ଼ିଶା ପ୍ରଦେଶର ଦାୟିତ୍ୱ ଓ ସୁରକ୍ଷା ତାଙ୍କର କାମ। କେବଳ ଚିଠି ଲେଖିବା କିମ୍ବା ନିଜ ଦଳର ପ୍ରବକ୍ତାଙ୍କୁ ଲଗାଇ ରାଜନୈତିକ ବିବୃତି ଦେଇ ଦେଲେ ମହାନଦୀ ସୁରକ୍ଷିତ ହେବ ନାହିଁ କି ଓଡ଼ିଶାର ବିକାଶ ହେବ ନାହିଁ। ଓଡ଼ିଶାର ଜୀବନ ରେଖା ମହାନଦୀ ବୋଲି କହି ଆସୁଥିବା ବିଜେଡି ସରକାର ଗତ ୨୩ବର୍ଷ ମଧ୍ୟରେ ମହାନଦୀ ସୁରକ୍ଷା ନେଇ କ’ଣ ପଦକ୍ଷେପ ନେଇଛନ୍ତି ତାହା ରାଜ୍ୟବାସୀଙ୍କୁ ଜଣାନ୍ତୁ। ମହାନଦୀର ଉପର ମୁଣ୍ଡରେ ଛତିଶଗଡ଼ ସରକାର ଯେତେବେଳେ ଡ୍ୟାମ ନିର୍ମାଣ କରୁଥିଲେ, ସେତେବେଳେ ରାଜ୍ୟ ସରକାର ଶୋଇଥିଲେ କାହିଁକି? ରାଜ୍ୟ ସରକାର ତାଙ୍କର ଦାୟିତ୍ୱକୁ ଭୁଲି କେବଳ ଅନ୍ୟମାନଙ୍କ ନାଁରେ ଅଯଥା ବିବୃତି ଦେଉଛନ୍ତି। ଜଳ ବିବାଦ ଟ୍ରିବ୍ୟୁନାଲରେ ଓଡ଼ିଶା ସପକ୍ଷରେ ତଥ୍ୟ ପ୍ରମାଣ ସହ ଯୁକ୍ତି ଉପସ୍ଥାପନ କରିବାରେ ରାଜ୍ୟ ସରକାରଙ୍କ ଅକ୍ଷମତା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ପ୍ରଥମରୁ ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ଜଳସେଚନ ବିଭାଗ ରହିଆସିଛି। ମହାନଦୀ ଶୁଖିଲା ପଡ଼ିବା ଓ ରାଜ୍ୟରେ ଜଳସେଚନର ଅଗ୍ରଗତି ନ ହେବା ପାଇଁ ରାଜ୍ୟ ସରକାରଙ୍କ ଅପାରଗତା ହିଁ ଦାୟୀ। ଏବେ ମହାନଦୀ କଥା ଉଠିଲେ ବିଜେଡି ନିଜର ଦୋଷ ଘୋଡ଼ାଇବା ପାଇଁ କେବଳ ଅନ୍ୟ ଉପରେ ଦୋଷ ଲଦୁଛି। ମହାନଦୀ ସମ୍ପର୍କରେ ରାଜ୍ୟ ସରକାରଙ୍କ ଆନ୍ତରିକତା ନାହିଁ କି ଉଦ୍ୟମ ନାହିଁ। କେବଳ ମହାନଦୀକୁ ନେଇ ରାଜନୈତିକ ପଇଁନ୍ତରାବାଜି କରୁଛି ବିଜେଡି। ବିଜେଡିର ଏପରି ମାନସିକତାକୁ ରାଜ୍ୟବାସୀ ଆଦୌ କ୍ଷମା ଦେବେ ନାହିଁ ବୋଲି ଶ୍ରୀ ମଲ୍ଲିକ କହିଛନ୍ତି। ଅପରପକ୍ଷରେ ଉଭୟ ବିଜେପି ଓ କଂଗ୍ରେସକୁ ଜବାବ ଦେଇଛି ବିଜେଡି। ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର ଓ ସ୍ବୟଂ ପ୍ରକାଶ ମହାପାତ୍ର ସାମ୍ବାଦିକ ସମ୍ମିଳନୀରେ ଜରିଆରେ କହିଛନ୍ତି, ମହାନଦୀ ଜଳ ବିବାଦ ଓଡ଼ିଶା ପ୍ରଗତି ଓ ଉନ୍ନତିର ସହ ସମାନ। ଅଢ଼େଇ କୋଟି ଜୀବନ ଜୀବିକା ମହାନଦୀ ସହ ଜଡ଼ିତ। ୨୦୧୭ ମସିହାରେ ମହାନଦୀ ଉପର ମୁଣ୍ଡରେ ଛତିଶଗଡ଼ର ବେଆଇନ ବ୍ୟାରେଜ ନିର୍ମାଣକୁ ନେଇ ମର୍ମାହତ ହୋଇଥିଲୁ। ଏହି କାମ ବନ୍ଦ କରିବାକୁ ବିଜେଡି ସରକାର ଛତିଶଗଡ଼ ସରକାରଙ୍କୁ ଅନୁରୋଧ କରିଥିଲେ। ସେତେବେଳ ଛତିଶଗଡ଼ରେ ବିଜେପି ସରକାର ଥିଲେ ବି ରାଜ୍ୟର ଅନୁରୋଧକୁ କର୍ଣ୍ଣପାତ କଲେନାହିଁ। ପରେ କେନ୍ଦ୍ର ସରକାରଙ୍କୁ ଏଥିରେ ମଧ୍ୟସ୍ଥତା କରି ବିବାଦର ସମାଧାନ କରିବାକୁ ଅନୁରୋଧ କରାଯାଇଥିଲା। ମାତ୍ର କେନ୍ଦ୍ରମନ୍ତ୍ରୀ ରାଜ୍ୟ ସରକାରଙ୍କ ସପକ୍ଷରେ ଛିଡ଼ା ହେଲେ ନାହିଁ ବରଂ ଛତିଶଗଡ଼ ସରକାର ଯାହା କରିଛନ୍ତି ଠିକ୍ ବୋଲି ନିରବ ରହି ପ୍ରମାଣ କଲେ। ମୁଖ୍ୟମନ୍ତ୍ରୀ ବାରମ୍ବାର କେନ୍ଦ୍ର ସରକାର ଓ ଛତିଶଗଡ଼ ସରକାରଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି।

Related Articles

Leave a Reply

Your email address will not be published.

Back to top button