ମଞ୍ଜୁରୀରୋଡ଼ ଅନତିଦୂରରେ ଅଟକିଲା ବନ୍ଦେ ଭାରତ ଟ୍ରେନ

ଭୁବନେଶ୍ୱର: ଗତ କିଛିଦିନ ପୂର୍ବରୁ ଲୋକାର୍ପିତ ହୋଇଥିବା ବନ୍ଦେ ଭାରତ ଟ୍ରେନ ଆଜି ଦୀର୍ଘ ସମୟ ଧରି ମଞ୍ଜୁରୀରୋଡ଼ ଷ୍ଟେସନର ଅନତିଦୂରରେ ଅଟକି ରହିଛି । ଟ୍ରେନଟି ପୁରୀରୁ ହାୱାଡା ଆସୁଥିବା ବେଳେ ଦିନପ୍ରାୟ ୪.୩୦ମିନିଟ ସମୟରେ ଏହା କାଳ ବୈଶାଖୀର ଶିକାର ହୋଇଥିଲା । ଆକାଶରେ ହଠାତ ଝଡବର୍ଷା ଆରମ୍ଭ ହୋଇଥିବା ବେଳେ ଏହା ତତ୍କ୍‌ଷଣାତ ଉଗ୍ରରୂପ ନେଇଥିଲା । ପବନର ବେଗ ବୃଦ୍ଧି ପାଇବାରୁ ଟ୍ରେନ ଲାଇନର ତାର ମଧ୍ୟ ଛିଡି ଯାଇଥିଲା । ଫଳରେ ମଞ୍ଜୁରୀରୋଡ଼ ଷ୍ଟେସନର ଅନତିଦୂର ଖପୁରିଆପଦା ଗାଁ ଦେଇ ଯାଇଥିବା ରେଳ ଧାରଣା ଉପରେ ବନ୍ଦେ ଭାରତ ଟ୍ରେନ ବାଧ୍ୟ ହୋଇ ଅଟକି ରହିଥିଲା । ଏହି ସମୟରେ ଗାଡ଼ିରେ ଯାନ୍ତ୍ରିକ ତ୍ରୁଟି ମଧ୍ୟ ଦେଖା ଦେଇଥିବା କୁହାଯାଉଛି । ପବନ ଯୋଗୁ ଗାଡିର ଆଗ କାଚ ଫାଟି ଥିବା ବେଳେ ଅନ୍ୟାନ୍ୟ କ୍ଷତି ମଧ୍ୟ ହୋଇଛି । ଏଭଳି ପରିସ୍ଥିତିରେ ଶହ ଶହ ଯାତ୍ରୀ ଗାଡିରୁ ଓଲ୍‌ହାଇ ରେଳଧାରଣ ଉପରେ ବୁଲୁଥିବା ଦେଖିବାକୁ ମିଳିଛି । ଏଥିଯୋଗୁଁ ଡାଉନ ଲାଇନରେ ଦୀର୍ଘ ୩ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ଧରି ଗାଡି ଚଳାଚଳ ବନ୍ଦ ରହିଥିବା ଜଣାପଡିଛି । ସୁଚନା ପାଇଁ ରେଳ ବିଭାଗର ଯାନ୍ତ୍ରିକ ଟିମ ସେଠାରେ ପହଞ୍ଚି ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଜାରୀରଖିଥିବା ଦେଖିବାକୁ ମିଳିଛି । ରାତି ହୋଇଯାଇଥିବାରୁ ମରାମତି କାର୍ଯ୍ୟ ବିଳମ୍ବ ଘଟୁଥିବା ବେଳେ ଯାତ୍ରୀ ମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଖବର ଲେଖାହେବା ଯାଏଁ ଟ୍ରେନ ଚଳାଚଳ ସ୍ୱାଭାବିକ ହୋଇନଥିବା ସୂଚନା ମିଳିଛି ।

Related Articles

Leave a Reply

Your email address will not be published.

Back to top button