‘ଇଟ୍’ ର ସୁବର୍ଣ୍ଣ ଜୟନ୍ତୀ ରାଜ୍ୟର ଏକ ଉତ୍ସବ ଓ ଗର୍ବ

ଭୁବନେଶ୍ୱର: ଇଟ୍ ନାଟ୍ୟସଂସ୍ଥାର ସୁବର୍ଣ୍ଣ ଜୟନ୍ତୀ ପାଳନ ପୂର୍ବରୁ ବୁଲନଭାଇ ସେବା ଭବନ ଭୁବନେଶ୍ୱର ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଗତ ୧୮ ସେପ୍ଟେମ୍ବର ୨୦୧୪ ତାରିଖ ସଂଧ୍ୟା ୫ ଘଟିକା ସମୟରେ ଅନୁଷ୍ଠିତ ହୋଇଯାଇଛି | ଇଟ୍ ନାଟ୍ୟସଂସ୍ଥାର ସୁବର୍ଣ୍ଣ ଜୟନ୍ତୀ ପାଳନ ରାଜ୍ୟର ଏକ ଉତ୍ସବ ଓ ଗର୍ବ | ଇଣ୍ଟରନାସନାଲ୍ ଥିଏଟର (ଇଟ୍) ଏକ ନାଟ୍ୟ ସଂସ୍ଥା ଯାହା ସ୍ୱର୍ଗତଃ ଗୋବିନ୍ଦ ଗୁପ୍ତା ଓ ଶ୍ରୀମତୀ ବିଜୟା ଗୁପ୍ତାଙ୍କ ଦ୍ୱାରା ୧୯୭୫ ମସିହାରେ ପ୍ରତିଷ୍ଠା ହୋଇଥିଲା । ସେମାନେ ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟ (ଏନ୍ଏସ୍ଡି) ର ଗ୍ରାଜୁଏଟ୍ ଯାହାଙ୍କର ଓଡ଼ିଶାରେ ଭାରତ ସରକାରଙ୍କ ଚାକିରି କାଳରେ ଭୁବନେଶ୍ୱରରେ ଇଟ୍ ପ୍ରତିଷ୍ଠା କରିଥିଲେ । ସେତେବେଳେ ଓଡ଼ିଶାରେ ପେଷାଦାର ରଙ୍ଗମଞ୍ଚର ଅବସାନ ଘଟିବାର ସମୟ ଓ ଅନ୍ୟ ଦିଗରେ ଦେଶରେ ଜରୁରୀକାଳୀନ ପରିସ୍ଥିତି । ନାଟକ ଲାଗି ପ୍ରଥମ କରି ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ନାଟକ ବିଭାଗ ଖୋଲିବାର ଦିନ । ଏହି ଘଡିସନ୍ଧି ମୁହୂର୍ତ୍ତରେ ଓଡ଼ିଶାରେ ଆଧୁନିକ ନାଟକ କରିବା ପାଇଁ ନାଟ୍ୟ କର୍ମୀ ଓ ନାଟ୍ୟ ଦଳ ତିଆରିର ସ୍ୱପ୍ନ ନେଇ ଏହି ଗୁପ୍ତ ଦମ୍ପତ୍ତି ଏକ ନାଟ୍ୟ ଆନ୍ଦୋଳନ ଆରମ୍ଭ କଲେ ଯାହାର ନାମ ଦେଲେ ଇଣ୍ଟରନାସନାଲ୍ ଥିଏଟର । ତୃଣମୂଳ ନାଟ୍ୟ କଳାକାରକୁ ଆନ୍ତର୍ଜାତୀୟ ନାଟ୍ୟ ଜଗତ ସହ ପରିଚିତ କରାଇବା ଓ ଭାରତୀୟ ନାଟ୍ୟ କଳା ପ୍ରତି ବିଶ୍ୱସ୍ତରର ଦୃଷ୍ଟି ଆକର୍ଷଣ କରିବାର ବିରାଟ ଆଶା ନେଇ ସେମାନଙ୍କ ଓଡ଼ିଶାରେ ଥିବା ସମୟରେ ଅନେକ ନାଟକକୁ ଆଞ୍ଚଳିକ କଳାକାର ମାନଙ୍କ ତାଲିମ ଢ଼ଙ୍ଗରେ କରାଇଥିଲେ । ବିଭିନ୍ନ ଜିଲ୍ଲାର ନାଟ୍ୟ ସଂଗଠନ ମାନେ ପ୍ରସ୍ତୁତ ହୋଇ ଇଟ୍ ସହ ଧୀରେ ଧୀରେ ଯୋଡି ହେଲେ । ଏଠାରୁ ୧୯୭୮ ରେ ପାଟନା, ଗୌହାଟି, ଦିଲ୍ଲୀ ଇତ୍ୟାଦି ସ୍ଥାନକୁ ଚାକରି କ୍ଷେତ୍ରରେ ସ୍ଥାନାନ୍ତର କାଳରେ ସେଠାରେ ସେ ଇଟର ଶାଖା ବିସ୍ତାର କରିଥିଲେ । ୨୦୦୨ ମସିହାରେ ଇଟ୍ର ନାଟକ ଏନ୍ଏସ୍ଡିର “ଭାରତ ରଙ୍ଗ ମହୋତ୍ôସବ” ରେ ପ୍ରଦର୍ଶନ ଲାଗି ନିମନ୍ତ୍ରଣ ପାଇଥିଲା । ଓଡ଼ିଶାରେ ତାଙ୍କ ପରେ ୧୯୭୮ ମସିହାଠାରୁ ଶ୍ରୀ ମିହିର୍ ମେହେର ନିର୍ଦ୍ଦେଶକ ଭାର ନେବା ପରେ ଆଜି ଯାଏଁ ଲଗାତାର ଇଟ୍ ନାଟ୍ୟ କାର୍ଯ୍ୟକ୍ରମ କରିଆସୁଛି । ବିଗତ ଦିନରେ ଇଟ୍ ଦ୍ୱାରା ଅନେକ ନୂଆ ନାଟକ ପ୍ରଦର୍ଶନ, ଆଞ୍ଚଳିକ ନାଟ୍ୟ ଉତ୍ସବ, ରାଜ୍ୟସ୍ତରୀୟ ଆଲୋଚନା ଚକ୍ର,ନାଟ୍ୟ ସମ୍ମିଳନୀ, ଆଦି ଆୟୋଜନ କରି ଆସିଛି । ଇଟ୍ ସହ ଏକ ଶାଖା ଭାବେ ସଂଯୁକ୍ତ ଓଡ଼ିଶାର ୩୦ ଜିଲ୍ଲାର ୩୦ ସଂଗଠନକୁ ନେଇ ଏକ ସଂଘ ପରି ସମ୍ପର୍କ ତିଆରି ଇତ୍ୟାଦି କରି ନିକଟରେ ଓଡ଼ିଶା ସଂଗୀତ ନାଟକ ଏକାଡ଼େମୀ ଆୟୋଜିତ ଶ୍ରୀ ମନୋରଂଜନ ଦାସ ନାଟ୍ୟ ଉତ୍ସବ ରେ “ଆଗାମୀ” ନାଟକ ପ୍ରଦର୍ଶନ କରି ନିଜର ସୁନାମ ବଜାୟ ରଖିଛି । ଇଟ୍ ଏକ ଜାଗ୍ରତ ସଂଗଠନ ପରି କୌଣସି ଆତ୍ମ-ପ୍ରଚାର ଆଭିମୁଖ୍ୟ ନ ହୋଇ ନୀରବରେ କାର୍ଯ୍ୟକ୍ରମ ପରେ କାର୍ଯ୍ୟକ୍ରମ କରିଚାଲିଛି, ଯାହାର ତାଲିକା ବେଶ ଲମ୍ବା ।

ଆଜି ଆସିଛି ଇଟ୍ ର ସୁବର୍ଣ୍ଣ ଜୟନ୍ତୀ ପାଳନ କରିବାର ମୁହୂର୍ତ୍ତ । ଆଜିର ଘୋଷଣା ହେଉଛି- ଇଟ୍ ଆସନ୍ତା ୩ ଡିସେମ୍ବର ଠାରୁ ୭ ଡିସେମ୍ବର ଯାଏଁ ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପ ରେ ଏହାର ସୁବର୍ଣ୍ଣ ଜୟନ୍ତୀ ମହାସମାରୋହରେ ପାଳନ ଆରମ୍ଭ କରିବ । ଏଠାରେ ଜାତୀୟ ନାଟକ ଉତ୍ସବ ଆୟୋଜନ ହେବ ଓ ଭାରତର ବିଭିନ୍ନ ସ୍ଥାନରୁ ଦଳ ମାନେ ଯୋଗଦେବାର ଆଶା କରାଯାଇଛି । ଏଠାରେ ୫୦ ଜଣଙ୍କୁ ଇଟ୍ ସମ୍ମାନରେ ସମ୍ମାନୀତ କରାଯିବ ଏବଂ ୫ ଜଣଙ୍କୁ ଇଟ୍ ପୁରସ୍କାର ପ୍ରଦାନକରାଯିବ । ଏହି ଅବସରରେ ଏକ ଜାତୀୟ ଆଲୋଚନା ଚକ୍ର ଆୟୋଜନ କରାଯିବାର ଚିନ୍ତା ମଧ୍ୟ ରହିଛି । ନାଟ୍ୟ ପରିସରରେ ଏକ ପ୍ରଦର୍ଶନୀ ଓ ନାଟ୍ୟ ପୁସ୍ତକ ମେଳା ମଧ୍ୟ ହେବ । ୧୯୭୫ ମସିହା ପରେ ପରେ ଅନେକ ନାଟ୍ୟ ସଂଗଠନ ଧୀରେ ଧୀରେ ମୁଣ୍ଡ ଟେକିବାର ସ୍ୱପ୍ନ ଦେଖିଥିଲେ । ଆଜିର ଅନେକ ନାଟକରେ ନେତୃତ୍ୱ ନେବାର ନାଟ୍ୟବିତ୍ ସେତେବେଳର ଯୁବ ବୟସରେ ନାଟ୍ୟ ଆଗ୍ରହୀ ଇଟ୍ ସହ ସମ୍ପୃକ୍ତ ଥିଲେ । ତେଣୁ ଆଜି ସମସ୍ତେ ହାତ ବଢ଼େଇଛନ୍ତି ଏହି ଉତ୍ସବକୁ ସଫଳ କରିବାକୁ । ସାମନାରେ ଅଛନ୍ତି ଓ ଜଣାଶୁଣା ନାମଧାରି ନାଟ୍ୟ ପୁରୋଧା ମାନେ ଶୁଭେଚ୍ଛା ସହ ଜନ ସାଧାରଣଙ୍କୁ, ପ୍ରାୟୋଜକ ମାନଙ୍କୁ ଓ ମିଡ଼ିଆ ବନ୍ଧୁ ମାନଙ୍କୁ ସହଯୋଗ କରିବାକୁ ଅନୁରୋଧ ମଧ୍ୟ କରିଛନ୍ତି । ଡଃ ଶ୍ରୀ ରମେଶ ପ୍ରସାଦ ପାଣିଗ୍ରାହୀ, ଡଃ ଶ୍ରୀମତୀ ସଂଘମିତ୍ରା ମିଶ୍ର, ଡଃ ଶ୍ରୀ ନାରାୟଣ ସାହୁ, ଶ୍ରୀ ମନୋଜ ପଟ୍ଟନାୟକ ଭିଡିଓ ମାଧ୍ୟମରେ ସେମାନଙ୍କ ଅଭିବ୍ୟକ୍ତି ଦେବା ବ୍ୟତିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀଯୁକ୍ତ ସଂଜୀବ ହୋତା (ଓ.ଇ.ଝ), ପ୍ରାକ୍ତନ ସଂସ୍କୃତି ମହାବିଦ୍ୟାଳୟର କୁଳପତି ଶ୍ରୀଯୁକ୍ତ ନରେନ୍ଦ୍ର ମିଶ୍ର ଓ ନାଟ୍ୟ ବ୍ୟକ୍ତିତ୍ୱ ଡଃ ଶ୍ରୀ ସତ୍ୟବ୍ରତ ରାଉତ, ସୁବୋଧ ପଟ୍ଟନାୟକ ଆଦି ଉପସ୍ଥିତ ଅଛନ୍ତି । ଶ୍ରୀ ମିହିର ମେହେର ନିର୍ଦ୍ଦେଶକ ଇଟ୍ କୁହନ୍ତି –‘ଏହା କେବଳ ଗୋଟିଏ ନାଟ୍ୟ ସଂଗଠନ ନୁହେଁ ବରଂ ଏହା ସହ ଶାଖା ଭାବେ ସଂଯୁକ୍ତ ଓଡ଼ିଶାର ସବୁ ଜିଲ୍ଲାର ସଂଗଠନ ମାନଙ୍କ ମାଧ୍ୟମରେ ସାରା ରାଜ୍ୟର ଗର୍ବ କଳା ଭଳି ଏକ ସଂଘ । ତେଣୁ ବର୍ଷ ତମାମ ବିଭିନ୍ନ ଦାୟିତ୍ୱ ବହନ କରିବାକୁ ଆଗ୍ରହରେ ଯୋଗ ଦେଇଛନ୍ତି । ସେମାନଙ୍କୁ ନେଇ ଏକ ସର୍ବୋଚ୍ଚ ଉପଦେଷ୍ଟା ମଣ୍ଡଳୀ, ଉପଦେଷ୍ଟା ମଣ୍ଡଳୀ, ବୌଦ୍ଧିକ ଉପଦେଷ୍ଟା, ଭିନ୍ନ ଭିନ୍ନ କାର୍ଯ୍ୟବାହୀ ସମ୍ପାଦକ, ବିଭିନ୍ନ ଜୋନର ନେତୃବର୍ଗ, ପ୍ରଚାର ପ୍ରସାର ସମ୍ପାଦକ ଇତ୍ୟାଦି ଇତ୍ୟାଦି ଗଠନ କରାଯାଇଛି । ଏହି ଜାତୀୟ ନାଟ୍ୟ ଉତ୍ସବ ସ୍ୱର୍ଗତ ଗୁପ୍ତାଙ୍କ ପ୍ରତି ଏକ ଶ୍ରଦ୍ଧାଞ୍ଜଳି ହେବ ଓ ଓଡ଼ିଆ ନାଟକର ଆସନ୍ତା ଦିନ ଲାଗି ଉନ୍ନତିର ମଞ୍ଜି ବୁଣିବ’।

Related Articles

Leave a Reply

Your email address will not be published.

Back to top button