ଶ୍ରୀମନ୍ଦିର ଉପରେ ପୁଣି ଉଡିଲା ଡ୍ରୋନ
ଭୁବନେଶ୍ବର: ଆଜି ପୁଣି ଥରେ ପୁରୀ ଶ୍ରୀମନ୍ଦିର ଉପରେ ଏକ ଡ୍ରୋନ ଉଡିଛି। ଯାହାକୁ ନେଇ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି। କିଏ ଓ କାହିଁକି ଏହି ଡ୍ରୋନ ଉଡାଇଲା ସେ ନେଇ ତଦନ୍ତ ଆରମ୍ଭ ହୋଇଛି। ତେବେ ଶ୍ରୀମନ୍ଦିର ଉପରେ ଏପରି ବାରମ୍ବାର ଡ୍ରୋନ ଉଡାଇବା ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହୋଇଛି। ଫଳରେ ଜଗନ୍ନାଥ ପ୍ରେମୀ ଏହାକୁ ନେଇ ତୀବ୍ର ବିରୋଧ କରିଛନ୍ତି। ଘଟଣାରୁ ପ୍ରକାଶ ଯେ, ଆଜି ଭୋର ଚାରିଟା ବେଳେ ଶ୍ରୀମନ୍ଦିର ଉପରେ ଏକ ଆଲୋକିତ ଡ୍ରୋନ ବୁଲିଥିଲା। ପ୍ରଥମେ ଏହି ଡ୍ରୋନଟି ମେଘନାଦ ପାଚେରୀ ଚାରିପଟେ ଘୁରି ବୁଲିଲା। ଏହାପରେ ସେ ସିଧା ଉପକୁ ଉଠି ନୀଳ ଚକ୍ର ଉପରେ ମଧ୍ୟ ଉଡିବାକୁ ଲାଗିଲା। ପ୍ରାୟ 30 ମିନିଟ ଧରି ଏହି ଡ୍ରୋନଟି ଶ୍ରୀମନ୍ଦିରର ବିଭିନ୍ନ ସ୍ଥାନରେ ଚକ୍କର କାଟିଥିଲା। ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ। ସେ କହିଛନ୍ତି ଯେ, ଏପରି କାର୍ଯ୍ୟ ଯେ କରିଛି ତାହା ବେଆଇନି। ଏ ନେଇ ପୁରୀ ପ୍ରଶାସନ ତରଫରୁ ପଦକ୍ଷେପ ଆରମ୍ଭ କରାଯାଇଛି। ଯେ ଏପରି କାର୍ଯ୍ୟ କରିଛି ତା ବିରୋଧରେ ନିଶ୍ଚିତ ଭାବେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।