ବଦଳିଲା ତାରିଖ,ଏବେ ଜୁଲାଇ ୨୧ରୁ ଅଗଷ୍ଟ ୨୧ ଯାଏଁ ଚାଲିବ ସଂସଦର ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ: ବଦଳିଲା ସଂସଦର ମୌସୁମୀ ଅଧିବେଶନ ତାରିଖ । ଜୁଲାଇ ୨୧ରୁ ଅଗଷ୍ଟ ୧୨ ଭିତରେ ବସିବାକୁ ଥିବା ସଂସଦର ମୌସୁମୀ ଅଧିବେଶନ ଏବେ ଜୁଲାଇ ୨୧ରୁ ଅଗଷ୍ଟ ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ । ଏନେଇ କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ ଟୁଇଟ୍ କରି ସୂଚନା ଦେଇଛନ୍ତି । ସ୍ୱାଧୀନତା ଦିବସକୁ ଦୃଷ୍ଟିରେ ରଖି ୧୩ ଏବଂ ୧୪ ତାରିଖରେ କୌଣସି ବୈଠକ ବସିପାରିବ ନାହିଁ । ସାଧାରଣତଃ ସଂସଦର ମୌସୁମୀ ଅଧିବେଶନ ସ୍ୱାଧୀନତା ଦିବସ ଅର୍ଥାତ ଅଗଷ୍ଟ ୧୫ ତାରିଖ ପୂର୍ବରୁ ଶେଷ ହୋଇଯାଇଥାଏ । ହେଲେ ଏଥର କିନ୍ତୁ ମୌସୁମୀ ଅଧିବେଶନ ଅଗଷ୍ଟ ୧୫ ତାରିଖ ପରେ ମଧ୍ୟ ଚାଲିବ । କେନ୍ଦ୍ରମନ୍ତ୍ରୀ ରିଜିଜୁଙ୍କ କହିବା ମୁତାବକ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଂସଦର ମୌସୁମୀ ଅଧିବେଶନର ଏହି ନୂଆ ତାରିଖକୁ ମଞ୍ଜୁରି ଦେଇଛନ୍ତି । ଯାହାକି ଜୁଲାଇ ୨୧ରୁ ଆରମ୍ଭ ହୋଇ ଅଗଷ୍ଟ ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ । ଯେଉଁଥିରେ କି ଲୋକସଭା ଏବଂ ରାଜ୍ୟସଭାର କାର୍ଯ୍ୟ ସକାଳ ୧୧ଟାରୁ ଆରମ୍ଭ ହେବ । ଏଥର ରାଜନୈତିକ ଦୃଷ୍ଟିକୋଣରୁ ସଂସଦର ମୌସୁମୀ ଅଧିବେଶନ ବେଶ୍ ଗୁରୁତ୍ୱପୂର୍ଣ୍ଣ । କାହିଁକି ନା, ପହଲଗାମ୍ ଆକ୍ରମଣ, ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ପରେ ଏବେ ସଂସଦର ଅଧିବେଶନ ବସିବାକୁ ଯାଉଛି । ତେଣୁ ଏଥର ପହଲଗାମ୍ ଆକ୍ରମଣ, ଅପରେସନ୍ ସିନ୍ଦୂର, ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ଆଦି ପ୍ରସଙ୍ଗରେ ଗୃହ ସରଗରମ ହୋଇପାରେ ।