ନବ ଦାସ ହତ୍ୟାକାଣ୍ଡର ଜଣାପଡ଼ିଲା କାରଣ, ୫୪୩ ପୃଷ୍ଠାର ଚାର୍ଜସିଟ ଦାଖଲ କଲା କ୍ରାଇମ ବ୍ରାଞ୍ଚ
ଭୁବନେଶ୍ବର: ଆଜି ଝାରସୁଗୁଡା ଜେଏମଏଫସି କୋର୍ଟରେ କ୍ରାଇମବ୍ରାଞ୍ଚ ନବ ଦାସ ହତ୍ୟାକାଣ୍ଡର ଚାର୍ଜସିଟ ଦାଖଲ କରିଛି। ତିନିଜଣିଆ ଟିମ ପ୍ରାରମ୍ଭିକ ୫୪୩ ପୃଷ୍ଠାର ତଦନ୍ତ ରିପୋର୍ଟ କୋର୍ଟରେ ପ୍ରଦାନ କରିଛନ୍ତି। ଦୀର୍ଘ ଦିନ ଧରି କ୍ରାଇମ ବ୍ରାଞ୍ଚ ଏହି ଚାଞ୍ଚଲ୍ୟ ହତ୍ୟାକାଣ୍ଡର ତଦନ୍ତ କରିବା ପରେ ଏହି ଚାର୍ଯ୍ୟସିଟ ଦାଖଲ କରିଛି। ଏଥିରେ ଗୋପାଳ ଦାସଙ୍କୁ ତଦନ୍ତ ସଂସ୍ଥା ହତ୍ୟାକାରୀ ଭାବେ ଅଭିହିତ କରି ଦୋଷୀ ସାବ୍ୟସ୍ତ କରାଯାଇଛି। ଏଥିରେ କୁହାଯାଇଛି ଯେ, ଗୋପାଳ ଦାସ ସୁସ୍ଥ ମସ୍ତିସ୍କରେ ଏହି ହତ୍ୟାକାଣ୍ଡ କରିଛି। ସେ ଏହି ହତ୍ୟା ନିଜ ଜୀବନକୁ ଭୟ କରି ହତ୍ୟା କରିଛି ବୋଲି କୁହାଯାଇଛି। ଚାର୍ଜସିଟରେ ପ୍ରକୃତରେ କ’ଣ ରହିଛି ତାହା ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ବିଭିନ୍ନ ସୁତ୍ରରୁ ଜଣାପଡିଛି ଯେ, ନବ ଦାସ ଏବଂ ତାଙ୍କର ସମର୍ଥକଙ୍କୁ ଗୋପାଳ ଭୟ କରୁଥିଲା। କାଳେ ସେମାନେ ତାକୁ ମାରି ଦେବେ, ତା ପୂର୍ବରୁ ସେ ନବ ଦାସକୁ ମାରିଦେଲା ବୋଲି ଏହି ରିପୋର୍ଟରେ ରହିଛି ବୋଲି କୁହାଯାଇଛି। ଗୋପାଳ ବିଭିନ୍ନ ସମୟରେ ମନ୍ତ୍ରୀ ସ୍ବର୍ଗତ ନବ ଦାସଙ୍କ ପାଖକୁ ଯାଇ ବିଭିନ୍ନ ଅଭିଯୋଗ କରୁଥିଲା। ସାହାଯ୍ୟ ପାଇଁ ଅନୁରୋଧ କରୁଥିଲା। ହେଲେ ନବ ଦାସ ତାହା ଶୁଣି ନ ଥିଲେ। ଏହାକୁ ନେଇ ଗୋପାଳର ସନ୍ଦେହ ସୃଷ୍ଟି ହୋଇଥିଲା ଯେ ନବ ଦାସ ତାଙ୍କ ଉପରେ କାଳେ ରାଗ ରଖିଛନ୍ତି। ସେ ତାଙ୍କ ସମର୍ଥକଙ୍କୁ ଲଗାଇ କାଳେ ତାଙ୍କୁ ହତ୍ୟା କରିଦେବେ ତା’ ପୂର୍ବରୁ ସେ ନବ ଦାସଙ୍କୁ ହତ୍ୟା କରିଦେଲା। ନବ ଦାସଙ୍କ ହତ୍ୟା ପରେ ପୋଲିସ ଗୋପାଳ ଦାସଙ୍କୁ ପିସ୍ତଲ ସହିତ ଗିରଫ କରିଥିଲା। ଏହାପରେ ଗୋପାଳ ମାନସିକ ସ୍ଥିତି ଯାଞ୍ଚ କରିବା ପାଇଁ କ୍ରାଇମ ବ୍ରାଞ୍ଚ ତରଫରୁ ବିଭିନ୍ନ ପଦ୍ଧତି ଅବଲମ୍ବନ କରାଯାଇଥିଲା। ଗୋପାଳର ଗୁଜରାଟ ଗାନ୍ଧୀନଗର ସ୍ଥିତ ଫରେନସିକ୍ ଲ୍ୟାବରେ ପଲିଗ୍ରାଫ୍ ଓ ନାର୍କୋ ଟେଷ୍ଟ କରାଯାଇଥିଲା। ଦିଲ୍ଲୀ ଫରେନସିକ୍ ଲ୍ୟାବର ବିଶେଷଜ୍ଞଙ୍କ ଦ୍ୱାରା ଝାରସୁଗୁଡ଼ାରେ ଗୋପଳର ହୋଇଥିବା ଏଲଭିଏ ଟେଷ୍ଟର ମଧ୍ୟ ତର୍ଜମା କରାଯାଇଥିଲା। ଏସସିବି ମାନସିକ ଚିକିତ୍ସା ପ୍ରତିଷ୍ଠାନର ୫ ଜଣିଆ ବିଶେଷଜ୍ଞ ଟିମର ଯାଞ୍ଚ ସହ ନିମହାନ୍ସ ବିଶେଷଜ୍ଞ ଦଳ ମଧ୍ୟ ମାନସିକ ସ୍ଥିତିର ପରୀକ୍ଷା କରିଥିଲେ। ଏ ସବୁ ପରୀକ୍ଷାରେ ତାଙ୍କର ମାନସିକ ସ୍ଥିତି ଠିକ ଥିଲା ବୋଲି କୁହାଯାଇଛି। ତେବେ ଏହାପରେ କ୍ରାଇମ ବ୍ରାଞ୍ଚ ପୁଣି ଥରେ ଏହି ହତ୍ୟାକାଣ୍ଡର ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିବେ। ଆସନ୍ତା ୨୯ ତାରିଖରେ ଏହି ହତ୍ୟାକାଣ୍ଡକୁ ଚାରିମାସ ପୂରଣ ହେବ। କାରଣ ଗତ ଜାନୁୟାରୀ ୨୯ ତାରିଖରେ ନବ ଦାସଙ୍କୁ ହତ୍ୟା କରାଯାଇଥିଲା।