ଦେଶ ୩୧ ମାର୍ଚ୍ଚ, ୨୦୨୬ ସୁଦ୍ଧା ନକ୍ସଲବାଦ ମୁକ୍ତ ହେବ: ଅମିତ ଶାହ

ନୂଆଦିଲ୍ଲୀ: ଏସପି ଏମଆରଏଫ୍ ଦ୍ୱାରା ଆୟୋଜିତ ‘ଭାରତ ମନ୍ଥନ’ ୨୦୨୫ – ‘ନକ୍ସଲ ମୁକ୍ତ ଭାରତ’ କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ ୩୧ ମାର୍ଚ୍ଚ, ୨୦୨୬ ସୁଦ୍ଧା ଦେଶ ନକ୍ସଲବାଦ ମୁକ୍ତ ହୋଇଯିବ। ଏହି ଅବସରରେ ଉଦବୋଧନ ଦେଇ କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଅମିତ ଶାହ କହିଥିଲେ ଯେ ୨୦୨୬ ମସିହା ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଭାରତ ନକ୍ସଲବାଦରୁ ମୁକ୍ତ ହୋଇଯିବ। ସେ କହିଥିଲେ ଯେ ଭାରତୀୟ ସମାଜ ନକ୍ସଲବାଦର ଆଦର୍ଶଗତ ପୋଷଣ, ଆଇନଗତ ସମର୍ଥନ ଏବଂ ଆର୍ଥିକ ପୋଷଣକୁ ବୁଝିବା ପର୍ଯ୍ୟନ୍ତ ନକ୍ସାଲବାଦ ବିରୋଧରେ ଲଢ଼େଇ ଶେଷ ହେବ ନାହିଁ। ସେ କହିଥିଲେ ଯେ ଆଭ୍ୟନ୍ତରୀଣ ସୁରକ୍ଷା ଏବଂ ଦେଶର ସୀମାର ସୁରକ୍ଷା ସର୍ବଦା ଆମ ବିଚାରଧାରାର ଏକ ପ୍ରମୁଖ ଅଂଶ ହୋଇ ରହିଛି। ସେ କହିଥିଲେ ଯେ ଆମ ଦଳର ମୌଳିକ ଉଦ୍ଦେଶ୍ୟ ମଧ୍ୟରେ ତିନୋଟି ବିଷୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ-ଦେଶର ଆଭ୍ୟନ୍ତରୀଣ ଏବଂ ବାହ୍ୟ ସୁରକ୍ଷା, ସାଂସ୍କୃତିକ ରାଷ୍ଟ୍ରବାଦ ଏବଂ ଭାରତୀୟ ସଂସ୍କୃତିର ସମସ୍ତ ଅଂଶର ପୁନରୁଦ୍ଧାର। କେନ୍ଦ୍ର ଗୃହ ମନ୍ତ୍ରୀ ୧୯୬୦ ଦଶକରୁ ବର୍ତ୍ତମାନ ସୁଦ୍ଧା ବାମପନ୍ତୀ ହିଂସାରେ ଯେଉଁ ଲୋକମାନେ ପ୍ରାଣବଳୀ ଦେଇଛନ୍ତି, ଯେଉଁମାନେ ନିଜ ଲୋକଙ୍କୁ ହରାଇଛନ୍ତି, ଶାରିରୀକ ଓ ମାନସିକ ଭାବେ କ୍ଷତିଗ୍ରସ୍ତ ହୋଇଛନ୍ତି, ସେହି ସବୁ ଲୋକଙ୍କୁ ପ୍ରଣାମ କରିଛନ୍ତି । ସେ କହିଛନ୍ତି ଯେ ଯେପର୍ଯ୍ୟନ୍ତ ବାମପନ୍ଥୀ ଦଳ ପଶ୍ଚିମବଙ୍ଗରେ କ୍ଷମତାକୁ ଆସିନଥିଲେ ସେ ପପର୍ଯ୍ୟନ୍ତ ସେଠାରେ ନକ୍ସଲବାଦ ଥିଲା, କିନ୍ତୁ ଯେତେବେଳେ ସେମାନେ କ୍ଷମତାକୁ ଆସିଲେ ସେତେବେଳେ ନକ୍ସଲବାଦ ଗାଏବ ହୋଇଯାଇଥିଲା। ଅମିତ ଶାହ କହିଛନ୍ତି ଯେ ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦାୟିତ୍ୱ ଗ୍ରହଣ କରିଥିଲେ, ସେତେବେଳେ ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ଦୃଷ୍ଟିରୁ ତିନୋଟି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର-ଜାମ୍ମୁ-କାଶ୍ମୀର, ଉତ୍ତର-ପୂର୍ବ ଏବଂ ବାମପନ୍ଥୀ କରିଡର ଦେଶର ଆଭ୍ୟନ୍ତରୀଣ ସୁରକ୍ଷାକୁ ଦୁର୍ବଳ କରି ରଖିଥିଲା। ସେ କହିଥିଲେ ଯେ ପାଖାପାଖି ୪ରୁ ୫ ଦଶନ୍ଧି ଧରି ଏହି ତିନୋଟି ସ୍ଥାନରେ ଦେଖାଦେଇଥିବା ଅସ୍ଥିରତା କାରଣରୁ ହଜାର ହଜାର ଲୋକ ପ୍ରାଣ ହରାଇଥିଲେ, ସମ୍ପତ୍ତିର ବହୁତ କ୍ଷତି ହେଉଥିଲା, ଦେଶର ବଜେଟର ଏକ ବଡ଼ ଅଂଶ ଗରିବଙ୍କ ବିକାଶ ପରିବର୍ତ୍ତେ ଏହି ହଟସ୍ପଟଗୁଡ଼ିକର ପରିଚାଳନା ପାଇଁ ଖର୍ଚ୍ଚ ହେଉଥିଲା, ଏବଂ ସୁରକ୍ଷା ବାହିନୀ ମଧ୍ୟ ବ୍ୟାପକ କ୍ଷୟକ୍ଷତିର ସମ୍ମୁଖୀନ ହେଉଥିଲେ। ସେ କହିଥିଲେ ଯେ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହେବା ମାତ୍ରେ ଏହି ତିନୋଟି ହଟସ୍ପଟ ଉପରେ ଧ୍ୟାନ କେନ୍ଦ୍ରିତ କରାଯାଇଥିଲା ଏବଂ ଏକ ସ୍ପଷ୍ଟ ଦୀର୍ଘକାଳୀନ ରଣନୀତି ଆଧାରରେ କାର୍ଯ୍ୟ କରାଯାଇଥିଲା।