ମୁଖ୍ୟ ନିର୍ବାଚନ କମିଶନର ନିଯୁକ୍ତି ବିଲ୍ ଲୋକସଭାରେ ପାରିତ

ନୂଆଦିଲ୍ଲୀ: ଲୋକସଭାରେ ପାରିତ ହେଲା ମୁଖ୍ୟ ନିର୍ବାଚନ କମିଶନର ତଥା ଅନ୍ୟାନ୍ୟ ନିର୍ବାଚନ କମିଶନର (ନିଯୁକ୍ତି, ସେବା ସର୍ତ୍ତାବଳୀ ଏବଂ କାର୍ୟ୍ୟାଳୟର ଅବଧି) ବିଲ୍, ୨୦୨୩ । ପୂର୍ବରୁ ରାଜ୍ୟସଭାରେ ଏହି ବିଲ୍ ପାସ୍ ହୋଇ ସାରିଥିବା ବେଳେ ଆଜି ଲୋକସଭାରେ ଏହି ବିଲ୍ ପାରିତ ହୋଇଥିବା ଜଣାପଡ଼ିଛି। ଏହି ବିଲର ଲକ୍ଷ୍ୟ ହେଉଛି ଭାରତର ନିର୍ବାଚନ ଆୟୋଗ (ଇସିଆଇ)ର ତିନିଜଣ ସଦସ୍ୟଙ୍କ ନିଯୁକ୍ତି ପାଇଁ ପ୍ରକ୍ରିୟା ପ୍ରତିଷ୍ଠା କରିବା। ମାର୍ଚ୍ଚରେ ଏକ ଐତିହାସିକ ଆଦେଶରେ ସୁପ୍ରିମ୍‌ କୋର୍ଟଙ୍କ ଏକ ପାଞ୍ଚଜଣିଆ ଖଣ୍ଡପୀଠ ସର୍ବସମ୍ମତି କ୍ରମେ ମୁଖ୍ୟ ନିର୍ବାଚନ କମିଶନର୍‌ଙ୍କ ନିଯୁକ୍ତି ପ୍ରକ୍ରିୟାକୁ ବଦଳେଇ ଦେଇଥିଲେ। ନିଯୁକ୍ତି ଆଉ ସରକାରଙ୍କ ହାତରେ ରହିବ ନାହିଁ ବୋଲି କହିଥିଲେ ସୁପ୍ରିମକୋର୍ଟ। ଅଦାଲତ ପକ୍ଷରୁ କୁହାଯାଇଥିଲା ଯେ, ଏକ ତିନି ସଦସ୍ୟ ବିଶିଷ୍ଟ ସମିତିର ସୁପାରିସ ଆଧାରରେ ମୁଖ୍ୟ ନିର୍ବାଚନ କମିଶନର ତଥା ଅନ୍ୟାନ୍ୟ ନିର୍ବାଚନ କମିଶନର ନିଯୁକ୍ତି ହେବେ ଯେଉଁଥିରେ ପ୍ରଧାନମନ୍ତ୍ରୀ ଓ ଲୋକସଭାରେ ବିରୋଧୀ ଦଳ ନେତାଙ୍କ ବ୍ୟତୀତ ସୁପ୍ରିମ୍‌ କୋର୍ଟର ମୁଖ୍ୟ ନ୍ୟାୟାଧୀଶ ମଧ୍ୟ ସଦସ୍ୟ ରହିବେ। ମାନ୍ୟବର ଅଦାଲତ ଏକଥା ମଧ୍ୟ ସ୍ପଷ୍ଟ କରିଥିଲେ ଯେ, ଏ ବାବଦରେ ଯେ ପର୍ୟ୍ୟନ୍ତ ସଂସଦରେ କୌଣସି ସ୍ଥାୟୀ ଆଇନ ବ୍ୟବସ୍ଥା ନ ହୋଇଛି, ସେ ପର୍ୟ୍ୟନ୍ତ ଏଇ ବ୍ୟବସ୍ଥା ଚାଲୁ ରହିଥିବ। ତେବେ ଆଜି ଲୋକସଭାରେ ମୁଖ୍ୟ ନିର୍ବାଚନ କମିଶନର ତଥା ଅନ୍ୟାନ୍ୟ ନିର୍ବାଚନ କମିଶନର (ନିଯୁକ୍ତି, ସେବା ସର୍ତ୍ତାବଳୀ ଏବଂ କାର୍ୟ୍ୟାଳୟର ଅବଧି) ବିଲ୍ ପାରିତ ହେବା ପରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଆଉ କାର୍ୟ୍ୟକାରୀ ହେବ ନାହିଁ।

Related Articles

Leave a Reply

Your email address will not be published.

Back to top button