ଜିଲ୍ଲାସ୍ତରରେ କାର୍ଯ୍ୟରତ ଅମଲାମାନଙ୍କୁ ସମୁହ ଛୁଟି ପ୍ରସଙ୍ଗ, ମୁଖ୍ୟ ଶାସନ ସଚିବ କଲେ ଆଲୋଚନା

ଭୁବନେଶ୍ୱର: ଜିଲ୍ଲାସ୍ତରରେ କାର୍ଯ୍ୟରତ ଅମଲାମାନେ ଶିକ୍ଷାଗତ ଯୋଗ୍ୟତା ଆଧାରରେ ଦରମା ସମୀକରଣ ଦାବି କରି ଗତକାଲି ଗୁରୁବାର ଠାରୁ ସାମୁହିକ ଛୁଟିରେ ଯିବା ପ୍ରସଙ୍ଗରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଆଜି ଲୋକସେବା ଭବନ କାର୍ଯ୍ୟାଳୟରେ ଜିଲ୍ଲାସ୍ତରୀୟ ବିଭିନ୍ନ ଅମଲା ସଂଘର କର୍ମକର୍ତ୍ତାମାନଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ଅମଲାମାନେ  ସଂଗଠିତ ’ଜିଲ୍ଲାସ୍ତରୀୟ ମିଳିତ ଅମଲା ମଞ୍ଚ’ ମାଧ୍ୟମରେ ଏକାଠି ହୋଇ ମୁଖ୍ୟ ଶାସନ ସଚିବଙ୍କୁ ସେମାନଙ୍କର ଦାବୀ ଲିଖିତ ଭାବରେ ପ୍ରଦାନ କରି ସମସ୍ୟା ସଂପର୍କରେ ଆଲୋଚନା ପୁର୍ବକ କମ୍ ଦିନ ମଧ୍ୟରେ ଏହାର ସମାଧାନ ପାଇଁ ଅନୁରୋଧ କରିଥିଲେ। ଆଲୋଚନାରେ ଜିଲ୍ଲାସ୍ତରୀୟ ମିଳିତ ଅମଲା ମଞ୍ଚ ତରଫରୁ ଦାବି ସମ୍ପର୍କରେ କୁହାଯାଇଛି ଯେ, ଜିଲ୍ଲାସ୍ତରୀୟ ଅମଲାମାନଙ୍କ ଚାକିରିରେ ପ୍ରବେଶ ଶିକ୍ଷାଗତ ଯୋଗ୍ୟତା  ୨୦୧୭ ମସିହାରୁ ଯୁକ୍ତ ଦୁଇରୁ ସ୍ନାତକ ସହିତ କମ୍ପ୍ୟୁଟର ଜ୍ଞାନ ରହିଥିବା ଆବଶ୍ୟକ ବୋଲି ଓଡ଼ିଶା ସରକାରଙ୍କ ରିଜୋଲୁସନ ନଂ ୨୭୩୬୭/୨୦୧୭ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। କିନ୍ତୁ  ଅଦ୍ୟାବଧି ସେମାନଙ୍କୁ ପୂର୍ବବତ୍‌ ମାଟ୍ରିକ୍ ଶିକ୍ଷାଗତ ଯୋଗ୍ୟତା ଭିତ୍ତିରେ ବେତନ ପ୍ରଦାନ କରାଯାଉଛି, ଯାହାକି ଦରମା ପ୍ରଦାନ କ୍ଷେତ୍ରରେ  ଅସଙ୍ଗତି ରହିଛି । କନିଷ୍ଠ ସହାୟକମାନେ ସ୍ନାତକ ଯୋଗ୍ୟତା ଭିତ୍ତିରେ ଗ୍ରେଡ୍ ପେ-୧୯୦୦  (ଲେଭେଲ-୪ ) ପରିବର୍ତ୍ତେ ଗ୍ରେଡ୍ ପେ ୪୨୦୦ ( ଲେଭଲ-୯)  ପ୍ରଦାନ ପାଇଁ ଦାବି ରଖିଛନ୍ତି। ଜିଲ୍ଲାସ୍ତରରେ କାର୍ଯ୍ୟରତ ଅମଲାମାନେ ପାଉଥିବା ଦରମାର  ଅସଙ୍ଗତି ସଂପର୍କରେ ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା ଅବଗତ ହେବା ସହ ଏ ସଂପର୍କରେ ସବିଶେଷ ତଥ୍ୟକୁ ଅନୁଶୀଳନ କରାଯାଇ  ନିଷ୍ପତ୍ତି ନିଆଯିବ ବୋଲି ପ୍ରକାଶ କରିଥିଲେ। ଜିଲ୍ଲାସ୍ତରରେ ଅମଲାମାନେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ନିର୍ବାହ କରୁଥିବାରୁ ସେମାନଙ୍କର ପ୍ରଶାସନିକ ବ୍ୟବସ୍ଥାରେ ମୂଲ୍ୟବାନ ଯୋଗଦାନ ରହିଆସିଥିବା ମୁଖ୍ୟ ଶାସନ ସଚିବ କହିଥିଲେ। ସରକାରଙ୍କ ସ୍ତରରେ ସେମାନଙ୍କର ରହିଥିବା ଦାବୀ ସଂପର୍କରେ ସବିଶେଷ ତଥ୍ୟ ଉପସ୍ଥାପନ ସହ ଆଲୋଚନା କରି ନିଷ୍ପତ୍ତି ନିଆଯିବ ବୋଲି ମୁଖ୍ୟ ଶାସନ ସଚିବ ପ୍ରକାଶ କରିବା ସହ ସମସ୍ତ ଅମଲାମାନଙ୍କୁ ସେମାନଙ୍କର ସମୁହ ଛୁଟି ପ୍ରତ୍ୟାହାର କରି ନିଜ ନିଜ କାର୍ଯ୍ୟରେ ଯୋଗଦାନ ପାଇଁ  ସେ ଅନୁରୋଧ କରିଛନ୍ତି। ସମସ୍ତ ଅମଲାମାନଙ୍କର ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ସରକାରଙ୍କ ଭରସା ରହିଛି ଓ ସରକାର ସେମାନଙ୍କର ଦାବୀ ପ୍ରତି ସହୃଦୟତାର ସହ ସୁବିଚାର କରିବେ ବୋଲି ଅମଲା ସଂଘର କର୍ମକର୍ତ୍ତାମାନେ ପ୍ରକାଶ କରିଥିଲେ। ମିଳିତ ମଞ୍ଚର ଅଧ୍ୟକ୍ଷ ନାରାୟଣ ଦାସଙ୍କ ସମେତ ଓଡ଼ିଶା ଅମଲା ସଂଘର ସଭାପତି ଜ୍ଞାନ ରଞ୍ଜନ ଦାସ, ମୁଖ୍ୟ ପୃଷ୍ଠପୋଷକ ପ୍ରସନ୍ନ କୁମାର ତ୍ରିପାଠୀ,  ଗଣମାଧ୍ୟମ ସମ୍ପାଦକ ଗୁରୁ ଗୋବିନ୍ଦ ଦଳାଇ, ଓଡ଼ିଶା ରାଜସ୍ୱ ଅମଲା ସଂଘର ସାଧାରଣ ସଂପାଦକ ନରେଶ କୁମାର ମହାପାତ୍ର, ଉପସଭାପତି ପ୍ରକାଶ କୁମାର ମାଳିଆ, ଟ୍ରେଜେରୀ ଅମଲା ସଂଘର ସଭାପତି ସମୀର କୁମାର କାନୁନଗୋ, ସାଧାରଣ ସଂପାଦକ ଶ୍ରୀ ଶୁଭେନ୍ଦୁ ରାଉତରାଏ  ପ୍ରମୁଖ ଏହି ସାକ୍ଷାତ ଆଲୋଚନାରେ ଅଂଶଗ୍ରହଣ  କରିଥିଲେ।

Related Articles

Leave a Reply

Your email address will not be published.

Back to top button