ରଥକାଠ ଚିରଟ ଅନୁକୂଳ

ଭୁବନେଶ୍ବର: ଆସନ୍ତା ଘୋଷଯାତ୍ରା ନିମନ୍ତେ ରବିବାର କଟକ ସହର ଖପୁରିଆସ୍ଥିତ ସ’ ମିଲ୍ରେ ରଥକାଠ ଚିରଟ ଅନୁକୂଳ ହୋଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ, ରଥ ଅମିନ ଲକ୍ଷ୍ମଣ ମହାପାତ୍ର, ଭୋଇ ସର୍ଦ୍ଦାର ରବୀନ୍ଦ୍ରନାଥ ଭୋଇ, ବରିଷ୍ଠ ତତ୍ତ୍ୱାବଧାରକ ସୁଦର୍ଶନ ମେକାପ ପ୍ରମୁଖ ମହାପ୍ରଭୁଙ୍କ ଆଜ୍ଞାମାଳ ଧରି ମଧ୍ୟାହ୍ନ ୧୨ଟା ୩୦ରେ ଖପୁରିଆରେ ପହଞ୍ଚିଥିଲେ। ପୂଜାର୍ଚ୍ଚନା ପରେ ତିନୋଟି ଧଉରା କାଠ ଚିରଟ କରାଯାଇଥିଲା। ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ସମୁଦାୟ ୮୬୫ ଖଣ୍ଡର ଆବଶ୍ୟକତା ଥିବାବେଳେ ଗତବର୍ଷର ୫୧ଖଣ୍ଡ ବଳକା କାଠ ରହିଛି। ତେବେ ଅବଶିଷ୍ଟ ୮୧୪ ଖଣ୍ଡ କାଠର ଆବଶ୍ୟକତା ରହିଛି। ଆଜି ଖପୁରିଆ କରତକଳରେ ତିନି ଖଣ୍ଡ ୧୨ ଫୁଟିଆ ଧଉରା କାଠ କଟାଯାଇଛି। ଏହି କାଠରୁ ପ୍ରଥମେ ଚକ ପାଇଁ ଆବାହକ ଅର ପ୍ରସ୍ତୁତ ହେବ। ପ୍ରଥମ ପର୍ଯ୍ୟାୟରେ ନୟାଗଡ଼ ଓ ଖୋର୍ଦ୍ଧା ବନଖଣ୍ଡରୁ କାଠ ଅଣାଯାଇଛି। ପ୍ରତିଦିନ ସକାଳ ୬ଟାରୁ ୯ଟା ପର୍ଯ୍ୟନ୍ତ ଏହି କାଠ ଚିରା କାମ ଚାଲିବ। ମହାପ୍ରଭୁଙ୍କ ରଥ ର୍ନିମାଣର ସ୍ୱତନ୍ତ୍ର ବିଧି ରହିଛି। କେଉଁ ଦିନ ରଥର କ’ଣ ର୍ନିମାଣ ହେବ, ତାହା ବିଧି ମୁତାବକ କରାଯାଇଥାଏ। ସେହି ଅନୁସାରେ ଶ୍ରୀରାମ ନବମୀରେ ରଥକାଠ ଚିରଟ ଅନୁକୂଳ ପରମ୍ପରା ରହିଛି। ଚିରଟ ଅନୁକୂଳ ସମୟରେ କଟକ ସଦର ବିଧାୟକ ଇଂ. ପ୍ରକାଶ ସେଠୀ, କର୍ପୋରେଟର୍ ସନ୍ତୋଷ ଭୋଳ ପ୍ରମୁଖ ଉପସ୍ଥିତ ଥିଲେ।